ଓଡ଼ିଶା ଅର୍ଥ ସେବା କ୍ୟାଡର ପୁନର୍ଗଠିତ, ସୃଷ୍ଟି ହେଲା ୧୦୪ ନୂତନ ପଦ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଅର୍ଥ ସେବାକୁ ତ୍ବରାନ୍ବିତ କରିବା ଲାଗି ଦୀର୍ଘଦିନ ଧରି ହୋଇ ଆସୁଥିବା କ୍ୟାଡର ପୁନର୍ଗଠନ ଦାବିକୁ ସରକାର ମାନି ନେଇଛନ୍ତି। ଏହାକୁ ନେଇ ବିଭାଗ ପକ୍ଷରୁ ୧୦୪ ନୂତନ ଓଡ଼ିଶା ଅର୍ଥ ସେବା(ଓଏଫ୍ଏସ) ପଦ ସୃଷ୍ଟି କରାଯାଇଛି। ଏସଂକ୍ରାନ୍ତରେ ଅର୍ଥବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି କରାଯାଇଛି।

ସେଥିରେ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଦର୍ଶାଇଛନ୍ତି ଯେ ସ୍ଥାନୀୟ ପାଣ୍ଠି ସମୀକ୍ଷା କ୍ଷେତ୍ରରେ ଅଧିକ ସ୍ବଚ୍ଛତା ଆଣିବାପାଇଁ ବିଭାଗ ପକ୍ଷରୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ସଫଳ ହେବ। ଏହାବାଦ୍ ଦ୍ରବ୍ୟକର, ସେବାକରକୁ ନିୟମିତ ଭାବେ ତଦାରଖ କରାଯାଇ ପାରିବ। ରାଜ୍ୟର ରାଜସ୍ବ ବୃଦ୍ଧି ହେବା ସହିତ ଆର୍ଥିକ ସଂସ୍କାର ଆସି ପାରିବ।

ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଓଏଫଏସ୍ ସ୍ବତନ୍ତ୍ର ସଚିବ ପାହ୍ୟାରେ ୧୫ଟି ଅତିରିକ୍ତ ପଦ ସୃଷ୍ଟି କରାଯାଇଛି। ଏବେ ୧୬ଜଣ ସ୍ବତନ୍ତ୍ର ସଚିବ ପାହ୍ୟା ଅଧିକାରୀ ଥିବାବେଳେ ଏଥିରେ ଆଉ ୧୫ଜଣ ମିଶିବେ। ମାତ୍ର ଅତିରିକ୍ତ ସଚିବ ପାହ୍ୟାରେ ୭୦ଜଣ ଓଏଫଏସ୍ ଥିବାରୁ ଏଥିରେ ଅତିରିକ୍ତ ପଦ ସୃଷ୍ଟି କରାଯାଇ ନାହିଁ। ହେଲେ ଓଏଫଏସ ବରିଷ୍ଠ ପାହ୍ୟା ତଥା ଯୁଗ୍ମସଚିବ ପଦରେ ଥିବା ୧୧୩ ପଦରେ ଆଉ ଅତିରିକ୍ତ ୧୭ ପଦ ମିଶିଥିବାବେଳେ ଓଏଫଏସ୍ ବରିଷ୍ଠ ଶାଖା ତଥା ଉପସଚିବ ପାହ୍ୟାରେ ୨୦ ପଦ ଏବଂ ଓଏଫଏସ୍ କନିଷ୍ଠ ଶାଖା ତଥା ଅନୁସଚିବ ପାହ୍ୟାରେ ୫୨ ପଦ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *