ବନ୍ଦେ ଉତ୍କଳ ଜନନୀ: ଭଲ କଲେ ମୁଖ୍ୟମନ୍ତ୍ରୀ ଦେଖିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କୋଭିଡ୍ ଯୋଦ୍ଧାକୁ ଅନୁପ୍ରାଣୀତ କରିବା ତଥା ଓଡ଼ିଆ ଜାତୀୟତାବାଦରେ ଏକାଠି ହେବା ଲାଗି ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସାଧାରଣ ପ୍ରଶାସନ ପକ୍ଷରୁ ସରକାରୀ ସ୍ତରରେ ଏହି ସଙ୍ଗୀତଗାନ ପାଇଁ କିପରି ବ୍ୟବସ୍ଥା କରାଯିବ ସେଥିଲାଗି ନିର୍ଦେଶାବଳୀ ସ୍ଥିର ହୋଇଛି। ବିଶେଷକରି ସୂଚନା ଓ ଲୋକସମ୍ପର୍କ ବିଭାଗ, ପଞ୍ଚାୟତିରାଜ ବିଭାଗ, ରାଜ୍ୟ ପୁଲିସ ପ୍ରଶାସନକୁ ଏହି ଜାତୀୟତାବୋଧ ସଙ୍ଗୀତଗାନକୁ ସ୍ମରଣୀୟ କରିବା ଲାଗି ସରକାରୀ ସ୍ତରରେ ବିଶେଷ ପ୍ରାବଧାନ କରିବା ଲାଗି ନିର୍ଦେଶ ଦିଆଯାଇଛି।
ଆସନ୍ତା କାଲି ଅର୍ଥାତ୍ ଶନିବାର ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସଙ୍ଗୀତଗାନ କରାଯିବ। ସାଧାରଣ ଲୋକଙ୍କୁ ସ୍ଵତଃ ଏକାଠି ହୋଇ ଏହି ସଙ୍ଗୀତଗାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନକୁ ସାକାର କରିବା ଲାଗି ସରକାରୀ ସ୍ତରରେ ସଙ୍ଗୀତଗାନ ବାଧ୍ୟତାମୂଳକ କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ସ୍ପଷ୍ଟ କରିଛି।
ଖାଲି ସେତିକି ନୁହେଁ, ଶ୍ରେଷ୍ଠ ପରିବେଷଣ କରିଥିବା ୧୦ କାର୍ଯ୍ୟାଳୟର ଭିଡିଓକୁ ମୁଖ୍ୟମନ୍ତ୍ରୀ ଦେଖିବେ ବୋଲି ଜଣାଇଛନ୍ତି। ଏହାଦ୍ଵାରା ରାଜ୍ୟରେ ଏକ ପ୍ରତିଦ୍ଵନ୍ଦ୍ଵିତାମୂଳକ ବାତାବରଣ ସୃଷ୍ଟି ହୋଇଛି।
ସଙ୍ଗୀତ ଦେବ ସୂଚନା ଓ ଲୋକସମ୍ପର୍କ ବିଭାଗ
ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଦସ୍ତଖତରେ ପ୍ରକାଶିତ ଏହି ବିଜ୍ଞପ୍ତି କୁହାଯାଇଛି ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ‘ବନ୍ଦେ ଉତ୍କଳ ଜନନୀ’ର କେଉଁ ଅଂଶକୁ କେମିତି ଗାନ କରାଯିବ ତାହାର ଏକ ନମୁନା ପ୍ରଦାନ କରିବେ। ଏହା ଏକ ଦୀର୍ଘ କବିତା ହୋଇଥିବାରୁ ବିଧାନସଭାରେ ଗାନ ତଥା ବିଭିନ୍ନ ସଭା ସମିତିରେ କିପରି ଗାନ ହେବ ସେ ନେଇ ଏକ ସ୍ଵତନ୍ତ୍ର କୋଡ୍ ପୂର୍ବରୁ ପ୍ରସ୍ତୁତ ହୋଇଥିଲା। ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବା ଲାଗି ଯେଉଁ ପ୍ରସ୍ତୁତି ହୋଇଥିଲା ସେତେବେଳେ ତାହାକୁ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ସମ୍ପୃକ୍ତ ନିଷ୍ପତ୍ତି ଅଧାରୁ ଅଟକି ଯାଇଥିବାରୁ ଏବେ କେଉଁଭଳି ସଙ୍ଗୀତ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରଦାନ କରିବ ତାହାକୁ ଅପେକ୍ଷା କରାଯାଇଛି।
ଏହି ବିଭାଗ କେବଳ ସରକାରୀ ସ୍ତରରେ ସଙ୍ଗୀତର ନମୁନାକୁ ପ୍ରଦାନ କରିବ ତା’ ନୁହେଁ। ବିଭିନ୍ନ ସୋଶାଳ୍ ମିଡିଆ ପ୍ଲାଟ୍ଫର୍ମରେ ମଧ୍ୟ ତାହାକୁ ଶେୟର କରିବ, ଯାହାଦ୍ଵାରା ବିଶ୍ଵର ଯେକୌଣସି କୋଣରେ ଥିବା ଓଡ଼ିଆ ତାହାକୁ ଦେଖି ଗାନ କରିପାରିବ ।
ପଞ୍ଚାୟିତରାଜ ବିଭାଗକୁ ଗୁରୁ ଦାୟିତ୍ଵ
ରାଜ୍ୟର ତୃଣମୂଳ ସ୍ତରରେ ଏହି ସଙ୍ଗୀତ ଯେମିତି ମର୍ଯ୍ୟାଦାଜନକ ଭାବେ ସୁଶୋଭିତ ପ୍ରଚ୍ଛଦପଟ୍ଟରେ ଗାନ କରାଯିବ ସେଥିଲାଗି ପଞ୍ଚାୟତ ସ୍ତରୀୟ ସଂସ୍ଥାକୁ ନିଯୁକ୍ତି କରିବା ଲାଗି ସରକାର ନିର୍ଦେଶ ଦେଇଛନ୍ତି। ଏହି ଅନୁସାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ଆବଶ୍ୟକ ବ୍ୟବସ୍ଥା କରିବେ।
ସରକାରୀ ଅଫିସ ଯେମିତି ଲୋକସେବା ଭବନ ଓ ଅନ୍ୟ ସରକାରୀ ପ୍ରତିଷ୍ଠାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ କିପରି ଏହି ସଙ୍ଗୀତ ଗାନ ହେବ ସେଥିଲାଗି ବ୍ୟବସ୍ଥା କରାଯାଇଛି। ଏଥିଲାଗି ସାଧାରଣ ପ୍ରଶାସନ ବିଭାଗ ଦା୍ରୟିତ୍ଵ ନେଇଛି। ଜିଲ୍ଲାପାଳମାନଙ୍କୁ ମଧ୍ୟ ପ୍ରଶାସନ ଅନୁରୋଧ କରିଛି। ପୁଲିସ କମିଶନରେଟ୍, ଡିଜି ପୁଲି, ଏସ୍ପି ଅଫିସ ଏହି କାର୍ଯ୍ୟକ୍ରମରେ ଭାଗିଦାରୀ ହେବ। ଯେମିତି ସେମାନଙ୍କ କାର୍ଯ୍ୟାଳୟରେ ଉତ୍କୃଷ୍ଟ ପରିବେଷଣ ହେବ ସେଥିଲାଗି ପଦକ୍ଷେପ ନେବେ।
ମୁଖ୍ୟମନ୍ତ୍ରୀ ଦେଖିବେ
ଖାଲି ସେତିକି ନୁହେଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟଗୁଡ଼ିକରେ ହେଉଥିବା ପରିବେଷଣକୁ ଅନୁଧ୍ୟାନ କରିବେ। ଏଣୁ ଏଥିଲାଗି ସମ୍ପୃକ୍ତ କାର୍ଯ୍ୟାଳୟମାନେ ଏହି ପରିବେଷଣର ଭିଡିଓ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ସୂଳଚନା ଓ ଲୋକସମ୍ପର୍କ ବିଭାଗର ସେଶାଲ୍ ମିଡିଆ ହ୍ୟାଣ୍ଡଲ୍ରେ ସଂଯୋଗ କରିବେ। ସୂଚନା ଓ ଲୋକସମ୍ପର୍କ ବିଭାଗ ସେଥିରୁ ୧୦ଟି ଭିଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।