ସୋମବାର ସକାଳ ୧୦ରୁ ୪ ରେଳରୋକୋ: ଓଡ଼ିଶା ପ୍ରଦେଶ କଂଗ୍ରେସର ସମର୍ଥନ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସୋମବାରଦିନ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ରେଳରୋକୋ ଡାକରାକୁ ସମର୍ଥନ କରିଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି। ଏହି ମର୍ମରେ ଜିଲ୍ଲାସ୍ତରରେ ଥିବା କଂଗ୍ରେସ କମିଟିଗୁଡ଼ିକ ପକ୍ଷରୁ ସାରା ରାଜ୍ୟରେ ରେଳରୋକ କାର୍ଯ୍ୟକ୍ରମକୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିବାପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  ଜିଲ୍ଲା ସଭାପତି ମାନଙ୍କୁ ପତ୍ର ଲେଖିଛନ୍ତି ।

ଏକ ପ୍ରେସ୍‌ ବିଜ୍ୟପ୍ତିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ,  ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ସାମୁଖ୍ୟ ଓ ପ୍ରକୋଷ୍ଠର କର୍ମକତା, ସାଂସଦ ଓ ବିଧାୟକ ପ୍ରାର୍ଥୀ, କୃଷକ, ଶ୍ରମିକ ନେତାମାନେ ୧୮ ତାରିଖ ସୋମବାର ଦିନ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଜନସାଧାରଣଙ୍କ ସହ  ରେଳରୋକରେ ସାମିଲ ହେବେ।

ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡଦେବା ଏବଂ କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ସାରାଦେଶରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ୬ ଘଂଟିଆ ରେଳରୋକ ଡାକରା ଦିଆଯାଇଛି।

ଶ୍ରୀ ପଟ୍ଟନାୟକ କହିଛନ୍ତି ଆଜି ଭାରତ ବର୍ଷରେ ଚାଲିଥିବା ଅନ୍ୟାୟ, ଅବିଚାର, ଅତ୍ୟାଚାର, କୃଷକ ଗଣହତ୍ୟା, କୃଷକ ଶ୍ରମିକ ମାରଣନୀତି, ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି, କ୍ରମବର୍ଦ୍ଧିଷ୍ଣୁ ବେକାରୀ ସମସ୍ୟା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଏବଂ ମହିଳା ମାନଙ୍କ ବିରୋଧରେ ହିଂସା ଆକ୍ରମଣ ଇତ୍ୟାଦି ସବୁ ପାଇଁ କେନ୍ଦ୍ରର ମୋଦି ସରକାର ଦାୟୀ । ମୋଦି ସରକାର ହେଉଛନ୍ତି ଦେଶ ଏବଂ ବିଦେଶବାସୀଙ୍କ ଶତ୍ରୁ ।

Leave a Reply

Your email address will not be published. Required fields are marked *