ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବଶାଖା ଓ ନିଖିଳ ଉତ୍କଳ ଗ୍ରାମିଣ ଚାଷୀ ମୂଲିଆ ସଂଘର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସ୍ଥାନୀୟ ଆଇ.ଏନ୍‌.ଟି.ୟୁ.ସି ରାଜ୍ୟ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖା ଓ ନିଖିଳ ଉତ୍କଳ ଗ୍ରାମିଣ ଚାଷୀ ମୂଲିଆ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଯୁବ ସଭାପତି ଶ୍ରୀ ସତ୍ୟବ୍ରତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ କୃଷି ବିରୋଧି ବିଲ ପ୍ରତ୍ୟାହାର ଦାବୀରେ ସହିଦ ହୋଇଥିବା ଅନ୍ନଦାତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରି ସଭା ଆରମ୍ଭ କରାଯାଇଥିଲା ।

ସଭାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟଉପସଭାପତି, ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା କଳା କୃଷି ଆଇନ ଓ ଏହି ଆଇନ ପ୍ରତ୍ୟାହାର ଦାବୀରେ ଆନ୍ଦୋଳନରତ କୃଷକଙ୍କୁ ନୈତିକ ସମର୍ଥନ ପାଇଁ ମତଦାନ କରିଥିଲେ । କୃଷକ ହେଉଛି ସମଗ୍ର ଦେଶର ଅନ୍ନଦାତା । କେବଳ କୃଷକ ଫସଲକୁ ଉପୁଜାଏ ନାହିଁ ପ୍ରାକୃତିକ ପରିବେଶ ମଧ୍ୟ ସଂରକ୍ଷଣ ଓ ସୁରକ୍ଷା ପ୍ରଦାନ କରେ । କୃଷକ ମାନଙ୍କ ଯୋଗୁଁ ଆଜି ସମଗ୍ର ଦେଶରେ ଆର୍ଥିିକ ବ୍ୟବସ୍ଥା ସୁଦୃଢ଼ ହୋଇପାରିଥିଲା । ତେଣୁ କୃଷକଙ୍କୁ ଏମ୍‌.ଏସ୍‌.ପି. ପାଇବାର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି କହିଥିଲେ । ଏହା ସହିତ ରାଜ୍ୟରେ ଚାଲିଥିବା ମଣ୍ଡି ବ୍ୟବସ୍ଥା ଭିତରେ ଓ ବାହାରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଯୋଗୁଁ ୮୦ ପ୍ରତିଶତ ଚାଷୀ ଏମ୍‌.ଏସ୍‌.ପି ପାଉନଥିବା ଓ ସର୍ବଦା ଚାଷ ଓ ଚାଷୀଙ୍କୁ ସରକାରୀ ସ୍ତରରେ ମଧ୍ୟ ଅବହେଳା କରାଯାଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଏହା ସହିତ କଂଟ୍ରାକ୍ଟ ଫାର୍ମି ଆକ୍ଟ ନାମରେ କରାଯାଇଥିବା ଯୋଜନାବଦ୍ଧ ଷଡ଼ଯନ୍ତ୍ର ଦୁଃଖଦ ଓ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିଲେ । ତେଣୁ ଏହି କଳା ଆଇନ ତୁରନ୍ତ ପ୍ରତ୍ୟାହାର କରାଯିବା ଦରକାର ବୋଲି କହିଥିଲେ ।

ରାଜ୍ୟରେ ବେକାର ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ । କରୋନା ମହାମାରି ସମୟରେ ପ୍ରବାସୀଙ୍କ ଦୁଃଖ କହିଲେ ନ ସରେ । ଏହା ଦ୍ୱାରା ଅନେକ ଶ୍ରମିକ କର୍ମଚାରୀ ପ୍ରଭାବିତ ହୋଇ ନିଜର ଜୀବନ ଜିବିକା ହରାଇଛନ୍ତି । ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତର ସହିତ ବିଚାର କରି ଛଟେଇ ଶ୍ରମିକଙ୍କୁ ତୁରନ୍ତ ପୁନଃ ନିଯୁକ୍ତି ପ୍ରଦାନ, ବେକାରୀ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବା ସହିତ ୮୦ ପ୍ରତିଶତ ସ୍ଥାନ ସଂରକ୍ଷଣ, କୃଷି କ୍ଷେତ୍ରରେ କାର୍ଯ୍ୟରତ କୃଷକ ଓ ଶ୍ରମିକଙ୍କୁ ଅବସର ସମୟ ୬୦ ବର୍ଷ ପରେ ୬୦୦୦ ଟଙ୍କା ପେନସନ୍ । ରାଜ୍ୟରେ କୃଷକଙ୍କ କଲ୍ୟାଣ ପାଇଁ କୃଷି କଲ୍ୟାଣ ବୋର୍ଡ଼ ଗଠନ, ଫସଲବୀମା ପ୍ରଦାନରେ ହେଉଥିବା ବିଭ୍ରାଟର ସମାଧାନ ଓ ମନରେଗା ଶ୍ରମିକଙ୍କୁ ୨୦୦ ଦିନର କାମ ପ୍ରଦାନ ଓ ସର୍ବନିମ୍ନ ୫୦୦ ଟଙ୍କା ମଜୁରୀ ପ୍ରଦାନ ଆଦି ଦାବୀ କରାଯାଇଥିଲା । ଏହି କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁବ ଶାଖା ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବେକାରୀଙ୍କୁ ନିଯୁକ୍ତି, ବେକାରୀ ଭତା ଓ କୃଷକଙ୍କ ବିଭିନ୍ନ ସମସ୍ୟା ଉପରେ ଗୋଟେ ଦିନ ସାରା ରାଜ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି ।

ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର କିଶୋର ଜେନା, ଶ୍ୟାମ ସୁନ୍ଦର ମହାପାତ୍ର, ଧରଣୀଧର ସ୍ୱାଇଁ, ଚାଷୀମୂଲିଆ ସଂଘର ଫକିର ଚରଣ ଖଟୁଆ, କେଶବ ବେହେରା, ବସନ୍ତ ସେଠୀ, ପ୍ରେମ ଭୋଇ, ଯୁବ ଆଇ. ଏନ୍‌.ଟି.ୟୁ.ସିର କର୍ମକର୍ତା କୃଷ୍ଣଚନ୍ଦ୍ର ସାହୁ, ପଦ୍ମାକର ଗୁରୁ, ବିମଳ ପ୍ରଧାନ, ବିଦ୍ୟୁଭୂଷଣ ମହାପାତ୍ର ଓ ମହେନ୍ତ୍ର ମିଶ୍ର, ସାଗର ରଂଜନ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ବିଭିନ୍ନ ସମସ୍ୟା ଉପରେ ଅଲୋକ ପାତ ପରିଥିଲେ ।

Leave a Reply

Your email address will not be published.