+୩ ଓ ପିଜି ଶେଷ ପରୀକ୍ଷା ବାତିଲ, ହାରାହାରି ଭିତ୍ତିରେ ମିଳିବ ମାର୍କ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାର ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ସର୍ବଶେଷ ପରୀକ୍ଷାଗୁଡ଼ିକୁ ବାତିଲ କରିଛନ୍ତି। ସେମାନଙ୍କୁ ପୂର୍ବ ସେମେଷ୍ଟାର ପରିକ୍ଷାରେ ଅର୍ଜନ କରିଥିବା ମାର୍କ ଭିତ୍ତିରେ ହାରାହାରି ମାର୍କ ଦେଇ ପରୀକ୍ଷା ଫଳାଫଳ ପ୍ରକାଶ କରିବାକୁ ବିଶ୍ଵବିଦ୍ୟାଳୟଗୁଡ଼ିକୁ ଆଦେଶ ଦେଇଛନ୍ତି ଉଚ୍ଚଣିକ୍ଷା ବିଭାଗ। ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିଥିବା କୁଳପତି ବୈଠକରେ ଏହି ଗୁରୁତ୍ଵପୂଣ୍ଣ ନିଷ୍ପତ୍ତି ନିଆଯାଇଛି।

ଏହି ନିଷ୍ପତ୍ତି ଦ୍ଵାରା +୩ ଶେଷ ବର୍ଷର ଶେଷ ପରୀକ୍ଷା ଏବଂ ପିଜି ଶେଷ ବର୍ଷର ଶେଷ ସେମେଷ୍ଟାର ପରୀକ୍ଷା ଆଉ ହେବ ନାହିଁ। ଏହି ପରୀକ୍ଷା ପାଇଁ ପ୍ରଯୁଜ୍ୟ ଇଣ୍ଟରନାଲ୍‌ ବା ଆଭ୍ୟନ୍ତରୀଣ ପରୀକ୍ଷ ପାଇଁ ଆବଶ୍ୟକ ପରୀକ୍ଷାକୁ  ଅନୁଷ୍ଠିତ ନକରାଇ ଅନୁଦିତ ଓ୍ବେଟେଜ୍‌ ଭିତ୍ତିିରେ ମାର୍କ ପ୍ରଦାନ କରିବେ। ସେହିପରି ଶେଷ ସେମେଷ୍ଟାର ଲିଖିତ ପରୀକ୍ଷାକୁ ବିଶ୍ଵବିଦ୍ୟାଳୟ ଏବଂ ଅଟୋନମସ୍‌ କଲେଜ୍‌ମାନେ ଅବଶିଷ୍ଟ ଓ୍ବେଟେଜ୍‌ ଭିତ୍ତିରେ ମୂଲ୍ୟାୟନ କରିବେ।

ଏହି ମୂଲ୍ୟାୟନ ପୂର୍ବ ସେମେଷ୍ଟର ବା ଶ୍ରେଣୀରେ ଛାତ୍ରଛାତ୍ରୀ ହାସଲ କରିଥିବା ମାର୍କକୁ ଭିତ୍ତିକରି ପ୍ରଦାନ କରାଯିବ। ଅଗଷ୍ଟ ମାସ ଶେଷସୁଦ୍ଧା ଏହି ମୂଲ୍ୟାୟନ ଶେଷ କରି ଫଳାଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶ ଦେଇଛନ୍ତି।

ଯେଉଁ ଛାତ୍ରଛାତ୍ରୀମାନେ ଏହି ଫଳାଫଳରେ ଅସନ୍ତୁଷ୍ଟ ହେବେ ତଥା ସେମାନେ ପରୀକ୍ଷା ହେଲେ ଅଧିକ ମାର୍କ ଅର୍ଜନ କରିବେ ବୋଲି ଚିନ୍ତା କରନ୍ତି ସେମାନଙ୍କୁ ମଧ୍ୟ ବିଶ୍ଵବିଦ୍ୟାଳୟ ବିକଳ୍ପ ପରୀକ୍ଷାରେ ଭାଗ ନେବା ଲାଗି ସୁଯୋଗ ସୃଷ୍ଟି କରିବ। ଏହିକ୍ରମରେ ନଭେମ୍ବର ମାସରେ ପରୀକ୍ଷା ଅନୁଷ୍ଠିତ ହୋଇପାରେ। ଏହି ପରୀକ୍ଷା ଫଳାଫଳକୁ ଆଉ ଥରେ ପ୍ରକାଶ କରାଯିବ।

ବୈଠକରେ କୁଳପତି ଓ ଅଧ୍ୟକ୍ଷମାନେ କୋଭିଡ୍‌ ସଂକ୍ରମଣକୁ ଆଖଇରେ ରଖି ପରୀକ୍ଷା ନୁଷ୍ଠିତ କରିବା ସମ୍ଭବ ନୁହେଁ ବୋଲି ମତ ଦେଇଥିଲେ। ଏହିକ୍ରମରେ ବିକଳ୍ପ ନୀତି ସ୍ଥିର କରାଯାଇଥିଲା। ଏହି ପରୀକ୍ଷାଫଳ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ଲାଗି ଜରୁରୀ ହୋଇଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ବ୍ୟାକ୍‌ ପେପର

ଯେଉଁ ବିଶ୍ଵବିଦ୍ୟାଳୟ ଓ କଲେଜରେ ପୂର୍ବରୁ ପରୀକ୍ଷା ହୋଇ ସାରିଛି ସେମାନଙ୍କ ଲାଗି ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ନାହିଁ। ଯେଉଁମାନଙ୍କର  ଗୋଟିଏ ବା ଦୁଇଟି ବ୍ୟାକ୍‌ ପେପର ଥିବ ସେମାନଙ୍କ ପରୀକ୍ଷା ବାତିଲ କରାଯିବ।  ଆନୁପାତିକ ହାର ବା ଅନ୍ୟ କୌଣସି ପ୍ରକ୍ରିୟାରେ ସେମାନଙ୍କ ମୂଲ୍ୟାୟନ ହେବ। କିନ୍ତୁ ଯେଉଁମାନଙ୍କର ୨ରୁ ଅଧିକ ବ୍ୟାକ୍‌ ପେପର ଥିବ ସେମାନଙ୍କ ଲାଗି ପୁଣିଥରେ ସାଧାରଣ ରୀତିରେ ପାରୀକ୍ଷା ଦେବାକୁ ହେବ। ଏଥିଲାଗି ବିଶ୍ଵବିଦ୍ୟାଳୟ ତଥା ସମ୍ପୃକ୍ତ କଲେଜମାନେ ତାରିଖ ନିର୍ଦ୍ଧାରଣ କରିବେ।

ମେଡିକାଲ୍‌ ପରୀକ୍ଷା କ୍ଷେତ୍ରରେ ଏହି ନିଷ୍ପତ୍ତି ଲାଗୁ ହେବ ନାହିଁ।

Leave a Reply

Your email address will not be published.