ବନ୍ଦେ ଉତ୍କଳ ଜନନୀ ହେଲା ରାଜ୍ୟ ସଙ୍ଗୀତ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର। ଓଡ଼ିଆ ଜାତୀୟତାବାଦର ଉଦ୍ରେକ ତଥା ସମସ୍ତ ଓଡ଼ିଆଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଏ ସମ୍ବନ୍ଧରେ ଏକ ସଂକଳ୍ପ ପ୍ରସ୍ତାବ ଗ୍ରହଣ କରିଛନ୍ତି। ଏହି ପ୍ରସ୍ତାବ ଅନୁସାରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଂ ସ୍ଥିର କରିବ।
ଏହି ଐତିହାସିକ ମୁହୂର୍ତ୍ତକୁ ଚିରସ୍ଥାୟୀ କରିବା ପାଇଁ ତଥା ସାଢେ ଚାରି କୋଟି ଓଡିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ୍ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅନବଦ୍ୟ ସୃଷ୍ଟି ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ଭାବରେ ସରକାରୀ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କ୍ୟାବିନେଟ୍ ବୈଠକ ଅନୁୂଷ୍ଠିତ ହୋଇଥିଲା। ବୈଠକ ପରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ କାନ୍ତକବିଙ୍କ ରଚିତ ସମ୍ପୂର୍ଣ୍ଣ ବନ୍ଦନ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବରେ ଗ୍ରହଣ କରାଯାଇଛି। ଏହି ସଙ୍ଗୀତ ଗାୟନର ଅନୁମୋଦିତ ସ୍ବର, ଶୈଳୀ ତଥା ରେକର୍ଡିଂ ଓଡିଶା ସରକାରଙ୍କର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯିବା ସହ ଏହାର ଗାୟନ ଅବଧି ସ୍ବର ତଥା ଶୈଳୀ ବିଭାଗ ନିର୍ଦ୍ଧାରଣ କରିବ ବୋଲି ସ୍ଥିର କରାଯାଇଛି।
କ୍ୟାବିନେଟ୍ଙ୍କ ଅନୁମୋଦନ ଅନୁସାରେ ରାଜ୍ୟ ସରକାରଙ୍କର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ, ବିଧାନସଭାର ଅଧିବେଶନ ଏବଂ ଅନ୍ୟାନ୍ୟ ସ୍ବତନ୍ତ୍ର ଭାବରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏହି ସଙ୍ଗୀତର ବିନା ବାଦ୍ୟରେ ପ୍ରସ୍ତୁତ ଅନୁମୋଦିତ ସଂସ୍କରଣ ପରିବେଷଣ/ଗାନ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ସଭାସମିତି ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୃଷ୍ଠସଙ୍ଗୀତ କିମ୍ବା ବାଦ୍ୟଯନ୍ତ୍ର ସଙ୍ଗତ ସହିତ ଏହାକୁ ପରିବେଷଣ/ଗାନ କରାଯିବ।
କୌଣସି ଉତ୍ସବ ଓ ସାଧାରଣ ସଭାର ଉଦ୍ଘାଟନୀ, ଉଦ୍ଯାପନୀ ଓ ଉଦ୍ବୋଧନୀ ସଙ୍ଗୀତ ଭାବରେ ଏହା ଗାନ କରାଯିବା ସମୟରେ ଏହି ରାଜ୍ୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ସମସ୍ତେ ସଙ୍ଗୀତ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦଣ୍ଡାୟମାନ ରହିବେ। ମାତ୍ର ବୟସ୍ମ, ଅସୁସ୍ଥ, ଭିନ୍ନକ୍ଷମ, ଗର୍ଭବତୀ ମହିଳା ଯେଉଁମାନେ ନିଜର ଉପରୋକ୍ତ ଅକ୍ଷମତା କାରଣରୁ ଦଣ୍ଡାୟମାନ ହେବାରେ ଅସୁବିଧା ଅନୁଭବ କରୁଥିବେ ସେମାନେ ଏହି ସଙ୍ଗୀତ ପରିବେଷଣ/ଗାନ ସମୟରେ ନିଜ ସ୍ଥାନରେ ନମ୍ର ଭାବରେ ବସି ରହି ଏଥିପ୍ରତି ସମ୍ମାନ ପ୍ରଦର୍ଶନ କରିପାରିବେ। ଶିଶୁମାନଙ୍କୁ ମଧ୍ୟ ଏହି ସଙ୍ଗୀତ ପରିବେଷଣ / ଗାନ ସମୟରେ ଦଣ୍ଡାୟମାନ ରହିବାରୁ ଅବ୍ୟାହତି ଦିଆଯାଇଥିବାସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ଏହି ସଙ୍ଗୀତ ପୋଲିସ୍ ବ୍ୟାଣ୍ଡ, ବଂଶୀ, ସିତାର ଭଳି ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମଧ୍ୟ ପରିବେଷଣ କରାଯିବ। ଏହି ସଙ୍ଗୀତର ପ୍ରଚାର ପ୍ରସାର ତଥା ଅଭିବୃଦ୍ଧି ନିମନ୍ତେ ଏହାର ସୃଜନାତ୍ମକ ପରିବେଷଣ ଉପରେ କୌଣସି କଟକଣା ରହିବ ନାହିଁ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଏହି ସଙ୍ଗୀତକୁ ଅନ୍ତର୍ଭୁକ୍ତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।