ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚ ଶିକ୍ଷା ପାଇଁ ସଂରକ୍ଷଣ : କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ବର, (ଓଡିଶା ଟାଇମ୍) : ଏଣିକି ସରକାରୀ ସ୍କୁଲରେ ପାଠ ପଢ଼ିଲେ ମିଳିବ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ଯେକୌଣସି ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷା ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯିବ। ଡାକ୍ତରୀ ଓ ଇଂଜିନିୟରିଂ ଶିକ୍ଷା ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା ରହିବ। ଏନେଇ ରାଜ୍ୟ କ୍ୟାବିନେଟରେ ସଂରକ୍ଷଣ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଆଗାମୀ ଶିକ୍ଷାବର୍ଷରୁ ବ୍ୟବସ୍ଥା ଲାଗୁ କରାଯିବା ନେଇ ସଂକଳ୍ପ ଆଗତ। ସଂକଳ୍ପକୁ ଚୂଡ଼ାନ୍ତ ରୂପ ଦେବାକୁ ହେବ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯିବ। ଏହି କମିଟିରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ରହିବେ। ସେହିପରି କମିଟିରେ ବିଶିଷ୍ଟ ଶିକ୍ଷାବିତ୍ ଓ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିବେ। ଏହି କମିଟି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କମିଟି ସୁପାରିସକୁ ଆଗାମୀ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାଯାଇଛି।
ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଏହା ଏକ ଐତିହାସିକ ନିଷ୍ପତ୍ତି। ଗ୍ରାମାଞ୍ଚଳର ଯେଉଁ ପିଲାମାନେ ରହୁଛନ୍ତି ସେମାନେ ଇଂଜିନିୟରିଂ ଓ ମେଡିକାଲ କୋଚିଂରୁ ବଞ୍ଚିତ ହେଉଛନ୍ତି। କାହିଁକିନା ସେମାନଙ୍କ ପାଇଁ ସେତେଟା ସୁବିଧା ନାହିଁ। ଏହାକୁ ଆଖି ଆଗରେ ରଖି ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା କରାଯାଇଛି।