ବଦଳିଲା କେନ୍ଦ୍ରମନ୍ତ୍ରିମଣ୍ଡଳ, ବଦଳିବ ଓଡ଼ିଶା ସମୀକରଣ

ଆଗକୁ ରାଜ୍ୟ ବିଜେପିର ରିମୋଟ୍‌ ପରିବର୍ତ୍ତନ !

ଯେଉଁମାନେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରୁଛନ୍ତି ସେମାନେ ମୁଖ୍ୟତଃ ତାଙ୍କଠାରୁ ଅର୍ଥନୀତିକ କ୍ଷମତାର ଫାଇଦା ନେବାକୁ ଠୁଳ ହୋଇଥିଲେ

ଓଡ଼ିଶାରେ ବିଜେପି ଏବଂ ବିଜେଡି ଭିତରେ ରାଜନୀତିକ ସମୀକରଣ ରକ୍ଷା କରିବା ଲାଗି ଆଉ ଏକ ସୂତ୍ରଭାବେ ବିଜେପି ସେତେବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ଜନ୍ମ ଦେଇଥଲା

ଭୁବନେଶ୍ୱର,(ଓଟି): ଆସନ୍ତା କିଛିଦିନ ଭିତରେ ଓଡ଼ିଶାରେ ବିଜେପିର ସାଂଗଠନିକ ଅସ୍ତିତ୍ୱ ଏବଂ ରାଜନୀତିକ ସମୀକରଣ ବଦଳିପାରେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ପରେ ଏହି ଆଶା ଉଙ୍କି ମାରିଛି । ଓଡ଼ିଶା ବିଜେପିକୁ ରିମୋଟ୍ ମାଧ୍ୟମରେ ନିୟନ୍ତ୍ରଣ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦବୀ ଏବଂ କ୍ଷମତାରେ ପରିବର୍ତ୍ତନ ପରେ ଏମିତି ଅନୁମାନ କରାଯାଉଛି । କେବଳ ମନ୍ତ୍ରିମଣ୍ଡଳରେ ନୁହେଁ, ବରଂ ଆଗକୁ ଓଡ଼ିଶା ବିଜେପିର ରିମୋଟ୍‌କୁ ମଧ୍ୟ ସେ ହରାଇ ପାରନ୍ତି ବୋଲି ବିଚାର ହେଉଛି । ଏ ଭିତରେ ଅଶ୍ୱିନୀ ବୈଷ୍ଣବଙ୍କ ଆବିର୍ଭାବ ଓଡ଼ିଶାରେ ନୂଆ ସମୀକରଣ ସୃଷ୍ଟି କରିପାରେ ।

ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନର ମୂଳ ବାସିନ୍ଦା । ଯୋଧପୁରରେ ତାଙ୍କ ଘର । ଆଇଏଏସ୍ ପାଇବା ପରେ ୨୦୦୩ ଯାଏ ଓଡ଼ିଶାରେ ସେ ଜିଲ୍ଲାପାଳଭାବେ କାର୍ଯ୍ୟ କରିଛନ୍ତି । କଟକ ଏବଂ ବାଲେଶ୍ୱରର ଜିଲ୍ଲାପାଳ ସେ ରହିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପ ସଚିବଭାବେ କାର୍ଯ୍ୟ କରିଥିଲେ । ଏଇଠୁ ତାଙ୍କର ବିଜେପି ସହ ସମ୍ପର୍କ ଯୋଡ଼ି ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ଥିବା ବାଜପେୟୀଙ୍କ ସହ ସମ୍ପର୍କ ଏତେ ଘନିଷ୍ଠ ହୋଇଥିଲା ଯେ  ୨୦୦୪ରେ ଏନ୍‌ଡିଏ  ନିର୍ବାଚନ ହାରିବା ପରେ ତାଙ୍କୁ ବାଜପେୟୀ ନିଜର ବ୍ୟକ୍ତିଗତ ସଚିବଭାବେ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ପରେ ସେ ଆଉ ସରକାରଙ୍କ ଅମଲାତାନ୍ତ୍ରିକ ବ୍ୟବସ୍ଥାରେ ନ ରହି କର୍ପୋରେଟ୍ କ୍ଷେତ୍ରକୁ ଅଧିକ ପସନ୍ଦ କରିଥିଲେ । ମୋରମୁଙ୍ଗା ପୋର୍ଟ ଟ୍ରଷ୍ଟର ଉପାଧ୍ୟକ୍ଷଭାବେ କାର୍ଯ୍ୟ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ ବିଦେଶ ଗସ୍ତ କରିଲେ ଆଉ ତା ପରେ ଆଇଏଏସ୍ ଛାଡ଼ି ସମ୍ପୂର୍ଣ୍ଣଭାବେ କର୍ପୋରେଟ୍ କ୍ଷେତ୍ରକୁ ଚୟନ କରିଲେ । ଗଲା ଦୁଇବର୍ଷ ତଳେ ଅର୍ଥାତ୍ ଜୁନ୍ ୨୦୧୯ରେ ସେ ବିଜେପିରେ ବିଧିବଦ୍ଧଭାବେ ଯୋଗ ଦେଲେ ଏବଂ ରାଜ୍ୟ ସଭାକୁ ନିର୍ବାଚିତ ହେଲେ । ବିଜେପି ଟିକେଟ୍‌ରେ ରାଜ୍ୟସଭାକୁ ଯାଇଥିଲେ ମଧ୍ୟ ବିଜେଡି ତାଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲା । ସେଥିଲାଗି ସେତେବେଳେ ବୈଷ୍ଣବଙ୍କ ବିରୁଦ୍ଧରେ ବିଜେଡି କୌଣସି ପ୍ରାର୍ଥୀ ଦେଇ ନ ଥିଲା । ଅର୍ଥାତ୍ ଓଡ଼ିଶାରେ ବିଜେପି ଏବଂ ବିଜେଡି ଭିତରେ ରାଜନୀତିକ ସମୀକରଣ ରକ୍ଷା କରିବା ଲାଗି ଆଉ ଏକ ସୂତ୍ରଭାବେ ବିଜେପି ସେତେବେଳେ ଅଶ୍ୱିନୀ ବୈଷ୍ଣବଙ୍କୁ ଜନ୍ମ ଦେଇଥଲା । ଆଜି ସେଇ ବୈଷ୍ଣବଙ୍କୁ ବିଜେପି ନିର୍ବାଚନଭିତ୍ତିକ ସମୀକରଣକୁ ତୁଲାଇବା ପାଇଁ ଦାୟିତ୍ୱ ଦେବା ନେଇ ରାସ୍ତା ଖୋଲିଛି ।

ଚାରିଭାଗରେ ରାଜ୍ୟ ବିଜେପି

ଏ ଭିତରେ ଦୁଇବର୍ଷ ବିତିଛି । ୨୦୧୯ ମସିହାର ରାଜନୀତିକ ପାଣିପାଗ ଆଉ ନାହିଁ । ବିଜେଡି ଆହୁରି ସୁଦୃଢ଼ ହୋଇଛି । ଅପରପକ୍ଷେ ରାଜ୍ୟ ବିଜେପିରେ ଅନେକ ଫାଟ ସୃଷ୍ଟି ହୋଇଛି ।  ଯେଉଁ ଆଠଜଣ ସାଂସଦ ରହିଛନ୍ତି ସେମାନେ ୪ ଭାଗରେ ବିଭକ୍ତ । ଗୋଟିଏ ଭାଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିୟନ୍ତ୍ରଣ କରୁଥିବାବେଳେ ଆଉ ଗୋଟିଏ ଭାଗ ସାଂସଦ ଅପରାଜିତାଙ୍କୁ ନେତାଭାବେ ଗଣୁଛନ୍ତି । ସେହିପରି ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ପରେ କିଛି ନେତା  ତାଙ୍କ ଆଡ଼କୁ ବି ଢଳିଛନ୍ତି । ପୁଣି ଆଉ କିଛି ସଂଘ  କଥା କହି ନିର୍ଦେଶକୁ ଅପେକ୍ଷା କରୁଥିବାବେଳେ ଆଉ ଦଳେ ନା ଏକୂଳର ହେଉଛନ୍ତି ନା ସେ କୂଳର । ସେ ଭିତରେ ଜୁଏଲଙ୍କ ଭଳି ପୁରୁଖା ନେତାମାନେ ଦଳ ପାଇଁ ଅଲୋଡ଼ା ହୋଇ ପଡ଼ିଛନ୍ତି । ଅର୍ଥାତ୍ ଚାରି ବାଡ଼ିରେ ଓଡ଼ିଶାର ଗାଁ ଗହଳିଠୁ ଆରମ୍ଭ କରି ରାଜଧାନୀରେ ନେତାମାନେ ବିଜେପିର ରାଜନୀତିକ ବାଡ଼ ଭାଙ୍ଗୁଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ବିଧାନସଭାରେ ସରକାରୀ ଦଳକୁ ଜବାବ ଦେବା ପାଇଁ ମଧ୍ୟ ବିଜେପି ନେତାଙ୍କ ଭିତରେ ଏକତା ଦେଖିବାକୁ ମିଳୁ ନାହିଁ । ଅନ୍ୟଭାଷାରେ କହିଲେ ବହୁ ଲୋକରେ ମୂଷା ନ ମଲା ଭଳି ରାଜ୍ୟରେ ବିଜେପିର ଅସ୍ତିତ୍ୱ ତଳକୁ ତଳକୁ ଯାଉଛି ।

ଧର୍ମେନ୍ଦ୍ରଙ୍କ ପକ୍ଷ ଛେଦନ

ଯଦିଓ ଓଡ଼ିଶାରେ ବିଜେପି ଚାରି ଭାଗ କିନ୍ତୁ ସମୟ ସମୟରେ ଏହା ଦୁଇ ଗୋଷ୍ଠୀରେ ସାମ୍ନାକୁ ନଜର ଆସିଥାଏ । ଗୋଟିଏ ହେଲା ଧର୍ମେନ୍ଦ୍ରଙ୍କ ସପକ୍ଷବାଦୀ ଓ ଅନ୍ୟଟି ବିପକ୍ଷବାଦୀ ।  ଆଉ ଯେଉଁମାନେ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରୁଥିଲେ ବା କରୁଛନ୍ତି ସେମାନେ ମୁଖ୍ୟତଃ ତାଙ୍କଠାରୁ ଅର୍ଥନୀତିକ କ୍ଷମତାର ଫାଇଦା ନେବାକୁ ଠୁଳ ହୋଇଥିଲେ । ଏହି ଗୋଷ୍ଠୀର ରାଜନୀତିକ ଅସ୍ତିତ୍ୱ ସେତିକି ପ୍ରଭାବଶାଳୀ ନ ଥିଲା । ତାହାଥିଲେ ତାଙ୍କରି ଇଙ୍ଗିତରେ ପ୍ରାର୍ଥୀ ହୋଇଥିବା ବିଜେପି ନେତାମାନଙ୍କ ଭିତରୁ ଅତିକମ୍‌ରେ ୩୮ ପ୍ରତିଶତ ଜିତି ଥାଆନ୍ତେ ।  ୨୦୧୯ରେ ଏକାଠି ହୋଇଥିବା ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରୁ ଏହା ସ୍ପଷ୍ଟ ।

୨୦୧୯ରେ ଓଡ଼ିଶାର ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରି ୨୧ରୁ ୮ ଜଣଙ୍କୁ ସାଂସଦ ଭାବେ ବାଛିଥିଲେ ।  ଅର୍ଥାତ୍ ସମୁଦାୟ ୩୮% ପ୍ରାର୍ଥୀଙ୍କୁ ବିଜୟୀ କରିଥିଲେ କିନ୍ତୁ ବିଧାନସଭାରେ ବିଜେପି ଦେଇଥିବା ପ୍ରାର୍ଥୀଙ୍କୁ ସମର୍ଥନ କରିପାରି ନ ଥିଲେ । ସେଥିଲାଗି ୧୪୭ ଆସନରୁ ମାତ୍ର ୨୨ଜଣ ବିଜେପି ପ୍ରାର୍ଥୀ ବିଜୟୀ ହୋଇ ପାରିଥିଲେ । ଏପରିକି ପ୍ରଭାବଶାଳୀ ଏବଂ ସ୍ୱଚ୍ଛ ପ୍ରତିଚ୍ଛବି ଥିବା ପ୍ରାର୍ଥୀଙ୍କୁ ପାର୍ଟି ଆବଶ୍ୟକ ସମର୍ଥନ କରି ନ ପାରିବାରୁ ତାଙ୍କର ପରାଜୟ ହୋଇଥିଲା । ଏହିକ୍ରମରେ ଦେଖିଲେ ସମୁଦାୟ ପ୍ରାର୍ଥୀଙ୍କ ଭିତରୁ ମାତ୍ର ୧୪ ପ୍ରତିଶତ ପ୍ରାର୍ଥୀ ଜିତି ପାରିଥିଲେ ।  ଅର୍ଥାତ୍ ପରିସ୍ଥିତି ଲଜ୍ଜାଜନକ ରହିଥିଲା ।

ବିଜେପିର ଏହି ଲଜ୍ଜାଜନକ ସାଂଗଠନିକ ପରିସ୍ଥିତିରେ କେନ୍ଦ୍ରବିନ୍ଦୁ ଧର୍ମେନ୍ଦ୍ର ପ୍ରଧାନ ହୋଇଥିବାରୁ କେନ୍ଦ୍ରୀୟ ନେତୃତ୍ୱ ଏବେ ତାଙ୍କ ପଦବୀ ସଙ୍କୁଚିତ କରିଛନ୍ତି ବୋଲି ଆଲୋଚନା ହେଲାଣି । ଯଦିଓ ଶିକ୍ଷା ମନ୍ତ୍ରାଳୟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଏବଂ ପୂର୍ବରୁ ବହୁ ବରିଷ୍ଠ ନେତା ଏହି ବିଭାଗର ଦାୟିତ୍ୱ ନେଇଛନ୍ତି । କିନ୍ତୁ ପେଟ୍ରୋଲିୟମ୍ ଓ ଇସ୍ପାତ୍ ମନ୍ତ୍ରାଳୟ ଭଳି ଏହି ମନ୍ତ୍ରଣାଳଣୟ ଲାଭଦାୟକ ମନ୍ତ୍ରାଳୟ ହୋଇ ନ ଥାଏ ବୋଲି ରାଜନୀତିକ ସମୀକ୍ଷକମାନେ କହନ୍ତି । ଏହିକ୍ରମରେ ଦେଖିବାକୁ ଗଲେ ଧର୍ମେନ୍ଦ୍ରଙ୍କ ପକ୍ଷଛେଦନ ହୋଇଛି । ଦୁଇ ସରକାରରେ ପେଟ୍ରୋଲିୟମ ମନ୍ତ୍ରାଳୟ ସମ୍ଭାଳିଥିବା ଧର୍ମେନ୍ଦ୍ରଙ୍କୁ ଏଠାରୁ ହଠାତ୍‌ ବିଦାୟ ଦେବା ଘଟଣା ନିହାତିଭାବେ ତାଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଅସନ୍ତୁଷ୍ଟ ହୋଇଥିବା ସ୍ପଷ୍ଟ କରୁଛି ।

ଶେଷକଥା

ଏହିଭଳି ସଙ୍କଟର ପୁନରାବୃତ୍ତି ଚାହୁନି ବିଜେପି । କାରଣ ଏ ଭିତରେ ପଶ୍ଚିମବଙ୍ଗରେ ଶକ୍ତ ଧକ୍କା ଖାଇଛି ଦଳ । ଆଉ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡରେ ବି ପରିସ୍ଥିତି ସଙ୍କଟଜନକ ରହିଛି । ଏଣୁ ଓଡ଼ିଶାରେ ଯଦି ଏମିତି ଅବସ୍ଥା ଜାରି ରହିବ ତେବେ ଆଗକୁ ଯେଉଁ ସାଂସଦମନେ ନିର୍ବାଚିତ ହୋଇଛନ୍ତି ସେମାନେ ବି ହାରିବା ଆଶଙ୍କା ସୃଷ୍ଟି ହେବ ।

ଅପରପକ୍ଷେ ଓଡ଼ିଶାରେ ଯେଉଁ ବିଜେଡି ସରକାର ରହିଛି ତାହାର ସମର୍ଥନ ଏବେ ବି ଦଳ ଆବଶ୍ୟକ କରୁଛି । ଏଣୁ ପ୍ରଶାସନିକ ସଦ୍‌ଭାବ ରକ୍ଷା ସହ ରାଜନୀତିକ ଶକ୍ତି ବୃଦ୍ଧି ଲାଗି ରାଜ୍ୟରେ ବିଜେପିର ନେତୃତ୍ୱ ନିୟନ୍ତ୍ରଣ ଦାୟିତ୍ୱ ଅଶ୍ୱିନୀଙ୍କ ହାତରେ ରହିବା ସମ୍ଭାବନା ବି ପ୍ରକାଶ ପାଇଛି । ଅର୍ଥାତ୍ ଦଳରେ ଏକ ବିରାଟ ପରିବର୍ତ୍ତନ ହୋଇପାରେ ।

Leave a Reply

Your email address will not be published.