ସର୍ବଦଳୀୟ ବୈଠକରେ ନିଷ୍ପତ୍ତି, ଆଜି ମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଚାଷୀଙ୍କ ଧାନ କିଣା ପ୍ରସଙ୍ଗକୁ ନେଇ ପାଞ୍ଚଦିନ ଗୃହରେ ଅଚଳାବସ୍ଥା ଜାରି ହେବାପରେ ଗୁରୁବାର ‘ହାଇ ଡ୍ରାମା’ ଦେଖିବାକୁ ମିଳିଥିଲା। ଗୋଟିଏ ପଟେ କଂଗ୍ରେସ ସରକାର ଧାନ ଉଠାଇବା ଦାବିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିବାବେଳେ ମଧ୍ୟାହ୍ନରେ ପ୍ରମୁଖ ବିରୋଧୀ ବିଜେପି ଓ ଶାସକଦଳ ସଭ୍ୟମାନେ ନବୀନ ନିବାସ ଯାତ୍ରା କରିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକମାନେ କରିଥିବା ବୈଠକରେ ଗୃହ ବିବାଦ ସମାଧାନ ପାଇଁ କେତେକ ନିଷ୍ପତ୍ତି ସ୍ଥିର ହେବା ପରେ ବିଜେପି ସଭ୍ୟ ଫେରିଥିଲେ। ଅପରାହ୍ନରେ ଗୃହ ଆରମ୍ଭ ହେବାମାତ୍ରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକର ନିଷ୍ପତ୍ତିକ୍ରମେ ଆଜି ସାଢ଼େ ୧୧ଟାରେ ବିଭାଗୀୟ ମନ୍ତ୍ରୀ ସରକାରଙ୍କ ପକ୍ଷରୁ ଧାନକିଣା ପ୍ରସଙ୍ଗରେ ବିବୃତି ରଖିବେ। ସେହିପରି ବିଜେପି ସଭ୍ୟ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଯେଉଁ ଆତ୍ମାହୁତି ଅଭିଯୋଗ ଆସିଛି ତାହାକୁ ବୈଠର ନିଷ୍ପତ୍ତି ଅନୁଯାୟୀ ସ୍ବାଧୀକାର ଭଙ୍ଗ କମିଟିକୁ ପଠାଗଲା ବୋଲି ଶ୍ରୀ ପାତ୍ର କହିଥିଲେ। ଏହି ‘ହାଇଡ୍ରାମା’ ଧାନ କିଣା ଓ ବିଜେପି ସଭ୍ୟଙ୍କ ସାନିଟାଇଜର ପିଇବା ପ୍ରସଙ୍ଗ ସମାଧାନରେ ନୂଆ ବାଟ ଫିଟାଇବ ବୋଲି ଆଶା କରାଯାଉଥିବା ଶ୍ରୀ ପାତ୍ର କହିଥିଲେ।

ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡ଼ି, ବିଜେପି ଓ କଂଗ୍ରେସ ତାଙ୍କର ପୁରୁଣା ଦାବି ନେଇ ଗୃହରେ ପୁଣି ହଟ୍ଟଗୋଳ କରିଥିଲେ। ଏହାକୁ ନେଇ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିବା ମାତ୍ରେ ବିଜେପି ପକ୍ଷରୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ମୁଖ୍ୟମନ୍ତ୍ରୀ ଖୋଜା ଅଭିଯାନ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ମୁଖ୍ୟସଚେତକ ମୋହନ ମାଝିଙ୍କ ହୁଇପ୍ ଜାରିକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସହ ସବୁ ସଭ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ନାଟକୀୟ ଢ଼ଙ୍ଗରେ ବିଜେଡ଼ି ସଭ୍ୟ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମନ୍ତ୍ରୀ ପ୍ରତାପ ଜେନା ଓ ଅନ୍ୟ ସଦସ୍ୟମାନେ ବିଜେପି ସଭ୍ୟଙ୍କ ପଛେ ପଛେ ନବୀନ ନିବାସ ଯାତ୍ରା କରିଥିଲେ। ଏହି ଯାତ୍ରା ବେଳେ ଉଭୟ ଦଳ ଗଣମାଧ୍ୟମକୁ ଦେଉଥିବା ବିବୃତିକୁ ନେଇ ଏକ ପ୍ରକାର ରୋମାଞ୍ଚକର ପରିସ୍ଥିତି ଦେଖିବାକୁ ମିଳିଥିଲା।

ଏନେଇ ବିରୋଧୀଦଳ ନେତା ଶ୍ରୀ ନାଏକ କହିଛନ୍ତି ଯେ ୫ଦିନ ବିତିଲାଣି। ସରକାର ଧାନ ଉଠିବା ପ୍ରସଙ୍ଗରେ କୌଣସି ଠୋସ୍ ପଦକ୍ଷେପ ନେଉ ନାହାନ୍ତି। ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ସବୁ ପ୍ରକୃତ ଚାଷୀଙ୍କ ଧାନ ଉଠିବ। ହେଲେ ଏପର୍ଯ୍ୟନ୍ତ କୁଇଣ୍ଟାଲଟିଏ ଧାନ ମଧ୍ୟ ସରକାର ଉଠାଇ ନାହାନ୍ତି। ଗୃହର ନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ। ଗୃହରେ ସ୍ବାଭାବିକ ସ୍ଥିତି ଫେରାଇବା ଦିଗରେ ସେ ମଧ୍ୟ ନିଜେ ଉଦ୍ୟମ କରିବା କଥା, ହେଲେ ତାଙ୍କର ଦେଖାନାହିଁ। ଚାଷୀଙ୍କ ସ୍ଥିତି ଦିନକୁ ଦିନ ସଙ୍ଗିନ ପରିସ୍ଥିତି ଆଡକୁ ଗତି କରୁଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି ଏହାର ତୁରନ୍ତ ସମାଧାନ ଲାଗି ଦାବି କରିବୁ। ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଥାଆନ୍ତୁ କିମ୍ବା ନବୀନ ନିବାସରେ ଯେଉଁଠି ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ଭେଟିବୁ।

Leave a Reply

Your email address will not be published. Required fields are marked *