ତେଲ ଦର ପ୍ରଭାବରେ ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର (ଓଡ଼ିଶା ଟାଇମ୍) : ତୈଳ ଦର ପରେ ଏବେ ବସ ଭଡ଼ା ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ। କୋରୋନା ମହାମାରୀର ପ୍ରଥମ ଲହର ପରେ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଏଭଳି ବଢ଼ିଛି ଯାହା ସାଧାରଣ ଖାଉଟିଙ୍କୁ ଅସ୍ତବ୍ୟସ୍ତ କରୁଛି । ପେଟ୍ରୋଲ, ଡିଜେଲ ଦରବୃଦ୍ଧିରେ ଅଙ୍କୁଶ ଲାଗୁନଥିବା ବେଳେ ଏହାର ପ୍ରଭାବ ବସ୍ ଭଡ଼ା ଉପରେ ପଡ଼ିଛି । ଯାତ୍ରୀ ପରିବହନ ହେଉ କି ମାଲ ପରିବହନ ସବୁଠି ତୈଳ ଦରର ପ୍ରଭାବ ଦେଖିବାକୁ ମିଳିଛି। ଲଗାତାର ଡିଜେଲ ଦର ବୃଦ୍ଧି ହେବା ଫଳରେ ବସ୍ ଭଡ଼ା ମଧ୍ୟ ବୃଦ୍ଧି ପାଇଛି । ଶନିବାର ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୩ ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ୍ କିଲୋମିଟର ପିଛା ୬ ପଇସା ବୃଦ୍ଧି ପାଇଛି । ସୁପର ପ୍ରମିୟମ ବସ କିଲୋମିଟର ପିଛା ୯ ପଇସା ବଢ଼ିଛି । ସାଧାରଣ ବସ୍ ଭଡ଼ା କିଲୋମିଟର ପିଛା ୮୯ ପଇସାରୁ ୯୨ ପଇସା ବଢ଼ିଥିବା ବେଳେ ଏକ୍ସପ୍ରେସ ୯୩ ପଇସାରୁ ୯୬ ପଇସା ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ବସ୍ ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସା, ଏସି ଡିଲକ୍ସ ୧ ଟଙ୍କା ୫୭ ପଇସାରୁ ୧ ଟଙ୍କା ୬୩ ପଇସା ବୃଦ୍ଧି ପାଇଛି । ସେହିପରି ପ୍ରିମିୟମ ବସ୍ କିଲୋମିଟର ପିଛା ୨ ଟଙ୍କା ୪୪ ପଇସାରୁ ୨ ଟଙ୍କା ୫୩ ପଇସା ବୃଦ୍ଧି ପାଇଛି । ତୈଳଦର ବୃଦ୍ଧିକୁ ନେଇ ସ୍ୱୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ବସ ଭଡ଼ା କମିବା ବଢ଼ିବା ପାଇଁ ବ୍ୟବସ୍ଥା ରହିଛି । ତୈଳ ଦର ୨ ଟଙ୍କା କମ୍ ବେଶି ହେଲେ ଭଡ଼ା ମଧ୍ୟ ସେହି ଆଧାରରେ ୧ ରୁ ୨ ପଇସା କମ୍ ବେଶି ହେବ ତେବେ ବସ୍ ଭଡ଼ା ବୃଦ୍ଧିକୁ ନେଇ ବସ୍ ମାଲିକ ସଂଘ ନାରାଜ ଥିବା ବେଳେ ସାଧାରଣ ଜନତା ମଧ୍ୟ ଦରବୃଦ୍ଧିକୁ ନେଇ ଚିନ୍ତାରେ ।

ଗତ ତିନି ଦିନ ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୦୧ ପଇସା ଏବଂ ଡିଜେଲ ଲିଟର ପିଛା ୧ ଟଙ୍କା ୧୫ ପଇସା ବଢ଼ିଲାଣି । ରାଜଧାନୀରେ ପେଟ୍ରେଲ ଲିଟର ପିଛା ୧୦୬ ଟଙ୍କା ଉପରେ ଥିବା ବେଳେ ଡିଜେଲ ୧୦୩ ଟଙ୍କା
ଟପିଛି । ସେହିପରେ କଟକରେ ମଧ୍ୟ ପେଟ୍ରୋଲ ୧୦୭ ଏବଂ ଡିଜେଲ ୧୦୩ ଟଙ୍କା ଉପରେ ରହିଛି । ସେପଟେ ମାଲକାନଗିରିରେ ପେଟ୍ରୋଲ ଦାମ ରେକର୍ଡ ଭାଙ୍ଗି ୧୧୨ ଟଙ୍କା ଟପିଛି । ଏଭଳି ଦରବୃଦ୍ଧି ପରିବହନ ବ୍ୟବସାୟକୁ ଗୁରତର ଭାବେ ପ୍ରଭାବିତ କରିଛି ।

 

 

Leave a Reply

Your email address will not be published. Required fields are marked *