ବଦଳିଲା କ୍ଵାରେଣ୍ଟୀନ ନିୟମ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଲକ୍ଡାଉନ୍ ନିୟମ ସହ ରାଜ୍ୟରେ କ୍ଵାରେଣ୍ଟୀନ୍ ନିୟମ ବି କୋହଳ ହୋଇଛି। ଏହିକ୍ରମରେ ରାଜ୍ୟ ସରକାର ତିନୋଟି ସଂଶୋଧନ ଘୋଷଣା କରିଛନ୍ତି। ପ୍ରଥମ ଘୋଷଣା ଅନୁସାରେ ରାଜ୍ୟରେ କ୍ଵାରେଣ୍ଟୀନ ଅବଧି ୨୧ ଦିନରୁ ପୁଣି ୧୪ ଦିନକୁ ଖସିଛି। ପୁଣି ୧୪ ଦିନରୁ ୭ ଦିନ ଆନୁଷ୍ଠାନିକ କ୍ଵାରେଣ୍ଟୀନ୍ ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟ ସାତ ଦିନ ହୋମ୍ କ୍ଵାରେଣ୍ଟୀନ୍ ହୋଇପାରେ। ଯଦି କେହି ଏହାର ଉଲ୍ଲଙ୍ଘନ କରନ୍ତି ତେବେ ସରପଞ୍ଚ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଆନୁଷ୍ଠାନିକ କ୍ଵାରେଣ୍ଟୀନ ବ୍ୟବସ୍ଥା ବଢ଼ାଇବେ।
ସୋମବାରଠାରୁ ଟ୍ରେନ୍, ବସ୍ ଏବଂ ବିମାନ ଚଳାଚଳ ବ୍ୟାପକ ହେଉଥିବାରୁ ଦେଶ ବ୍ୟାପୀ ଯାତ୍ରୀଙ୍କ ଯାତାୟାତ ବଢ଼ିବା ସମ୍ଭାବନା ରହିଛି। ଏହାକୁ ଆଖିରେ ରଖି ରାଜ୍ୟ ସରକାର ଏହି କୋହଳ ନୀତି ଆପଣାଇଛନ୍ତି। ଆସନ୍ତୁ ନଜର ପକାଇବା କ’ଣସବୁ ନୀତି କୋହଳ ହେବ।
- ପ୍ରଥମେ ଯେଉଁ ପ୍ରବାସୀ ଓଡ଼ିଶାକୁ ଫେରୁଛନ୍ତି ଏବଂ ଓଡ଼ିଶାରେ ୩ ଦିନରୁ ଅଧିକ ସମୟ ରହିବାକୁ ଯାଉଛନ୍ତି ସେମାନଙ୍କୁ ୧୪ ଦିନର କ୍ଵାରେଣ୍ଟୀନ ନିୟମ ମାନିବାକୁ ହେବ। ଏହି କ୍ଵାରେଣ୍ଟୀନ୍ ନିୟମରେ ୭ ଦିନର ଆନୁଷ୍ଠାନିକ କ୍ଵାରେଣ୍ଟୀନ ବାଧ୍ୟତାମୂଳକ।
- ଦ୍ଵିତୀୟ ଯେଉଁମାନେ ବିମାନରେ ବା ଟ୍ରେନ୍ରେ ଅଥବା ନିଜ ଗାଡ଼ିରେ ବାହାରୁ ରାଜ୍ୟକୁ କୌଣସି ସରକାରୀ, ବ୍ୟବସାୟ ବା ପ୍ରଫେସନାଲ୍ କାର୍ଯ୍ୟରେ ଆସୁଛନ୍ତି ଏବଂ ରାଜ୍ୟରୁ ୭୨ ଘଣ୍ଟା ଭିତରେ ଚାଲିଯିବାକୁ ସ୍ଥିର ହୋଇଛଇ ତେବେ ସେମାନଙ୍କୁ କ୍ଵାରେଣ୍ଟୀନରେ ରହିବା ଆବଶ୍ୟକ ନାହିଁ। ଅର୍ଥାତ୍ ଆଗନ୍ତୁକମାନେ ୭୨ ଘଣ୍ଟାରୁ କମ୍ ସମୟ ରାଜ୍ୟରେ ରହିଲେ କ୍ଵାରେଣ୍ଟୀନ୍ ଅନାବଶ୍ୟକ।
- ସେହିପରି ରାଜ୍ୟରୁ ଯେଉଁମାନେ କୌଣସି ବ୍ୟବସାୟିକ, ବା ସରକାରୀ କାର୍ଯ୍ୟରେ ବାହାର ରାଜ୍ୟକୁ ଯାଇଛନ୍ତି ଏବଂ ୩ ଦିନ ଭିତରେ ଫେରି ଆସୁଛନ୍ତି ତେବେ ତାଙ୍କୁ କ୍ଵାରେଣ୍ଟୀନରେ ରଖାଯିବ ନାହିଁ।
- ପୁଣି ଯେଉଁମାନେ ବାହାର ରାଜୃରେ କ୍ଵାରେଣ୍ଟୀନ୍ ସମ୍ପୂଣ୍ଣ କରି ରାଜ୍ୟକୁ ଫେରିଛନ୍ତି ତେବେ ସେମାନଙ୍କୁ ଆଉଥରେ ଏଠାରେ କ୍ଵାରେଣ୍ଟୀନରେ ରଖାଯିବ ନାହିଁ। ଏଥିଲାଗି ସେମାନଙ୍କୁ ଆବଶ୍ୟକ ନଥି ଦେଖାଇବାକୁ ହେବ।