ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମମାଟିରେ ସମ୍ପନ୍ନ ହେଲା ଦୁଇ ଓଡିଆ ଯବାନଙ୍କ ଶେଷକୃତ୍ୟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଜନ୍ମମାଟିରେ ସହିଦ ଓଡିଆ ଯବାନଙ୍କୁ ଶେଷ ବିଦାୟ । ଅନ୍ତିମ ସଂସ୍କାର ଆଗରୁ ପ୍ରଦାନ କରାଗଲା ରାଷ୍ଟ୍ରୀୟ ସମ୍ମାନ । ତୋପସଲାମିରେ କମ୍ପିଲା ଅଂଚଳ ।

ଲଦାଖର ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ସଂଘର୍ଷରେ ସହିଦ ହୋଇଥିବା ୨ ଜଣ ଓଡ଼ିଆ ଯବାନଙ୍କ ମଧ୍ୟରୁ ମୟୂରଭଞ୍ଜ ଜିଲା ରାଇରଙ୍ଗପୁରର ସହିଦ ନନ୍ଦୁରାମ ସୋରେନ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଶୋକାକୂଳ ପରିବେଶରେ ସହିଦ ନନ୍ଦୁରାମ ସୋରେନଙ୍କ ମରଶରୀର ଟାଉନଥାନାରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରାଯାଇଥିଲା। ଏହାପରେ ସହିଦଙ୍କ ପୈତୃକ ଗାଁ ବଡ଼ଚମ୍ପାଉଦାକୁ ମରଶରୀରକୁ ନିଆଯାଇଥିଲା। ତାଙ୍କ ଗାଆଁ ବଡ଼ଚମ୍ପାଉଦାଠାରେ ମରଶରୀରରେ ପୁତୁରା କାହ୍ନୁ ମାଝି ମୁଖାଗ୍ନି ଦେଇଥିବା ଜଣାଯାଇଛି। ଏହା ପୂର୍ବରୁ ସହିଦ ନନ୍ଦୁରାମ ସୋରେନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହି ଅବସରରେ ସେଠାରେ ମୟୂରଭଞ୍ଜ ଲୋକସଭା ସଦସ୍ୟ ବିଶେଶ୍ବର ଟୁଡୁ, ମନ୍ତ୍ରୀ ସୁଦାମ ମାରାଣ୍ଡି, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସେହିପରି କନ୍ଧମାଳ ଜିଲ୍ଲାରସହୀଦ ବିରପୁତ୍ର ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ଆଜି ସକାଳୁ ରାଇକିଆ ମହୋତ୍ସବ ପଡ଼ିଆରେ ସହୀଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ର ଶରୀର ପହଞ୍ଚିବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିବା ବେଳେ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତ ଶରୀରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଡଃ ବୃନ୍ଦା ଡିଙ୍କ ସମେତ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅରୁଣ ସାହୁ ଓ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କର ଶେଷ ଦର୍ଶନ କରିଥିଲେ। ଜିଲ୍ଲା ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ରାଇକିଆ ଥାନା ଅଧିକାରୀ ଅଲେଖ ଗରଡ଼ିଆ ଉପସ୍ଥିତ ରହିଥିଲେ । ଏହାପରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରକୁ ତାଙ୍କ ଗାଁ ରାଇକିଆର ବିୟରପାଙ୍ଗାକୁ ନିଆଯାଇଥିଲା। ସେଠାରେ ସହିଦ ଚନ୍ଦ୍ରକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave a Reply

Your email address will not be published.