ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡିଆ ସିନେଜଗତ ପାଇଁ ଆଉ ଏକ ଦୁଃଖଦ ଖବର । ବିଶିଷ୍ଟ ଚଳଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଅଜିତ ଦାସ ଆଉ ନାହାନ୍ତି । ଆଜି୭୧ ବର୍ଷ ବୟସରେ ଅଜିତ ରାଜଧାନୀ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକ ଖବର ପ୍ରସାରିତ ହେବାପରେ ରାଜ୍ୟ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି।

ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଜଣେ ନିଖୁଣ ମଞ୍ଚ ଅଭିନେତା ମଧ୍ୟ ଥିଲେ। ତାଙ୍କ ପରଲୋକରେ ବହୁ ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦେଶକ   ତଥା ବିଭିନ୍ନ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଅଜିତ ଦାସ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଭାବେ ବେଶ୍‌ ଜଣାଶୁଣା। ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟରର’ ପ୍ରତିଷ୍ଠା କରି ଯୁବ ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ।

ଅଜିତ୍‌ ଦାସ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ୧୯୪୯ ଜାନୁଆରୀ ୨୦ରେ ଜନ୍ମଗ୍ରହଣ କରିଥିଲେ । ଅଜିତ ଛୋଟବେଳରୁ ନାଟକ ସହିତ ଜଡିତ ଥିଲେ। ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *