ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ଗୋଟିଏ ହେଲ୍‌ପ୍‌ଲାଇନ୍‌, ଡାଏଲ୍‌ ୧୧୨

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୁଲିସ, ଆମ୍ବୁଲାନ୍‌ସ, ଦମକଳ ତଥା ମହିଳା ହେଲ୍‌ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ କରିବାକୁ ପଡିବ ନାହିଁ । ୧୧୨ ରେ ପୁଲିସ ପକ୍ଷରୁ ସବୁ ଜରୁରୀ ସହାୟତା ତୁରନ୍ତ ମିଳିପାରିବ।

ଜନସାଧାରଣଙ୍କ ସୁବିଧା ତଥା ତ୍ବରିତ ସେବା ଯୋଗାଣକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା ୧୦୦, ୧୦୧, ୧୦୨, ୧୦୪, ୧୦୮, ୧୮୧ ଓ ୧୦୯୮ ଏସବୁକୁ ଏକୀଭୂତ କରି ଗୋଟିଏ ନମ୍ବର ଯଥା ୧୧୨ ରେ ପରିଣତ କରାଯାଇଛି । ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ବରିତ ସେବା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ଟି ବିଭିନ୍ନ ପଦବୀ ସୃଷ୍ଟିକୁ ମଧ୍ୟ ଅନୁମୋଦନ କରିଛନ୍ତି।

ଏହା ବ୍ୟତୀତ ଆଉଟସୋର୍ସିଂ ଜରିଆରେ ୧୯୮ଜଣ କଲ୍ ଟେକର ଇକସିକ୍ୟୁଟିଭ ଏବଂ ୨୩୬ଟି ଗାଡି ମଧ୍ୟ ନିୟୋଜିତ ହେବ । ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଜରୁରୀ ସହାୟତା ଗୋଟିଏ ନମ୍ବର ୧୧୨ ରେ ଉପଲବ୍ଧ ହେବା ଦ୍ବାରା ଜନସାଧାରଣଙ୍କୁ ଅଧିକ ଦକ୍ଷତାର ସହ ଉତ୍ତମ ସେବା ଯୋଗାଇ ଦେବାରେ ପୋଲିସ ସଫଳ ହେବ। ଏହାଦ୍ବାରା ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଅଧିକ ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published.