ନବୀନଙ୍କ ଶାସନ ସମୟରେ ଚାକିରି ଛାଡ଼ିଲେଣି ୭ ଆଇଏଏସ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କ୍ଷମତା ଓ ସମ୍ମାନ ଦୃଷ୍ଟିରୁ ଆକର୍ଷଣୀୟ ଚାକିରି ଭାବେ ଉଭା ହୋଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍ ଚାକିରି କିନ୍ତୁ ଓଡ଼ିଶାର କିଛି ଅଧିକାରୀଙ୍କ ଲାଗି ପିତା ହେବାରେ ଲାଗିଛି। ସେଥିଲାଗି ଓଡ଼ିଶା ଶାସନରୁ ସ୍ଵେଚ୍ଛାକୃତ ଅବସର ନେବାକୁ ପଛାଉ ନାହାନ୍ତି ଏହି ଆଇଏଏସ୍ମାନେ। ଯଦିଓ ଅନେକ ଏଠାରେ ବ୍ୟୁରୋକ୍ରାଟିକ୍ ଶାସନ ( ଅଫିସର ରାଜ୍) ଚାଲୁଛି ବୋଲି କହି ସରକାରଙ୍କୁ ସମାଲୋଚନା କରୁଛନ୍ତି କିନ୍ତୁ ବାସ୍ତବରେ ଏଠାରେ ଥିବା ବରିଷ୍ଠ ବ୍ୟୁରୋକ୍ରାଟ୍ମାନେ ନିଜକୁ ଅସୁରକ୍ଷିତ ମଣୁଥିବା ଏଥିରୁ ସ୍ପଷ୍ଟ ହେଉଛି।
ପୁଣି କିଛି ଅଧିକାରୀ ଆଗକୁ କ’ଣ କରିବେ ସେ ନେଇ କୌଣସି ବାଟ ନପାଇ ନିଜର ପ୍ରତିଷ୍ଠିତ ପଦବୀରୁ ଦୀର୍ଘକାଳୀନ ଛୁଟି ବି ନେଉଛନ୍ତି। ନିକଟରେ ଏମିତି ଦୁଇଟି ଉଦାହରଣ ସାମ୍ନାକୁ ଆସିଛି। ଗୋଟିଏ କ୍ଷେତ୍ରରେ ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଲମ୍ବା ଛୁଟିରେ ଯାଇଥିବା ବେଳେ ନିକଟରେ ଓଡ଼ିଶା ଫେରିଥିବା ମନୀଶ ବର୍ମା ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ ତାଲିକାରେ କିନ୍ତୁ ସେ ଏବେ ଲମ୍ବା ଛୁଟିରେ ଅଛନ୍ତି।
୧୫ବର୍ଷରେ ୭ ଆଇଏଏସ୍ ଚାକିରି ଛାଡ଼ିଲେଣି
ଓଡ଼ିଶା ପ୍ରଶାସନରେ ଆଇଏଏସ୍ ଛାଡ଼ିବାର ଧାରା ଅତ୍ୟନ୍ତ ବିରଳ। ହେଲେ ଗଲା ୧୫ ବର୍ଷ ଭିତରେ ଅର୍ଥାତ୍ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ମୁଖ୍ୟମନ୍ତ୍ରୀତ୍ଵ ସମୟରୁ କିନ୍ତୁ ଏ ଧାରା ନିୟମିତ ହୋଇଥିବା ଦେଖିବାକୁ ମିଳିଛି। ଅଫିସରଙ୍କ ଭିତରେ ଚାକିରି ତିକ୍ତତା ବଢ଼ିଥିବା ନଜରକୁ ଆସିଛି। ଏହି ସମୟ ଭିତରେ ୭ ଜଣ ଆଇଏଏସ୍ ଚାକରି ଛାଡ଼ିଛନ୍ତି। ଏମାନଙ୍କ ଭିତରୁ ୫ ଜଣ ହେଉଛନ୍ତି ଅଣ ଓଡ଼ିଆ ଆଇଏଏସ୍। ୨ଜଣ ରାଜନୀତିକ କ୍ଷେତ୍ରରେ ଯୋଗ ଦେଇ ବିଶେଷ ସଫଳତା ପାଇଛନ୍ତି। ଏବେ ଆଉ ଦୁଇଜଣ ଅପେକ୍ଷା କରିଛନ୍ତି କେବେ ତାଙ୍କୁ ସରକାର ଅବ୍ୟାହତି ଦେବେ। ଏହି ଅଧିକାରୀମାନେ ଯେ କାମ କରିବାରେ ଅକ୍ଷମ ହୋଇଥିଲେ ତାହା ନୁହେଁ, ବରଂ ଅନେକ ସମୟରେ ଭଲ କାମ କରିଥିବା ଯୋଗୁ ସେମାନଙ୍କୁ ଲୋକେ ଅନୁକରଣବି କରୁଥିଲେ। ଲୋକଙ୍କ ପାଇଁ ସେମାନେ ଆଦର୍ଶ ପାଲଟିଥିଲେ।
ଏଯାଏ ସ୍ଵେଚ୍ଛାକୃତ ଅବସର ନେଇଥିବା ଏହି ୭ ଅଧିକାରୀ ହେଲେ ୟୁ ଶରତଚନ୍ଦ୍ରନ, ଗଗନ ଧଳ, ଅଶ୍ଵିନୀ ବୈଷ୍ଣବ, ଅପରାଜିତା ଷଡ଼ଙ୍ଗୀ ଏବଂ ଡିଏନ୍ ଗୁପ୍ତା, ଏଲ୍ଏନ୍ଗୁପ୍ତା ଏବଂ ୟୁଏନ ବେହେରା। ଶ୍ରୀ ବେହେରାଙ୍କୁ ଚାକିରିରୁ ବିଦାୟ ଦେବା ପରେ ରାଜ୍ୟ ସରକାର ତାଙ୍କୁ ଓଇଆର୍ସି ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରିଥିଲେ। ଅଶ୍ଵିନୀ ଏବଂ ଅପରାଜିତା ଏବେ ବିଜେପିର ସଦସ୍ୟ। ଜଣେ ରାଜ୍ୟସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଆଉ ଜଣେ ଭୁବନେଶ୍ଵରରୁ ଲୋକସଭା ସାଂସଦ।
୭ରୁ ୫ଜଣ ଅଣ ଓଡ଼ିଆ ଆଇଏଏସ୍
ଗଲା ୧୫ ବର୍ଷରେ ଚାକିରି ଛାଡ଼ିଥିବା ୭ ଆଇଏଏସ୍ଙ୍କ ଭିତରୁ ୫ଜଣ ହେଉଛନ୍ତି ଅଣ ଓଡ଼ିଆ ଅଧିକାରୀ। ଅବଶ୍ୟ ଏହି ଅଧିକାରୀଙ୍କ ଭିତରୁ ଜଣେ ଓଡ଼ିଆ ବୋହୂ ରହିଛନ୍ତି। କିନ୍ତୁ ଓଡ଼ିଆ ଅଧିକାରୀଭାବେ ଯାହାଙ୍କ ନାଁ ଏହି ତାଲିକାରେ ସାମିଲ୍ ରହିଛି ସେ ହେଉଛନ୍ତି ୟୁଏନ୍ବ ବେହେରା ଏବଂ ଗଗନ ଧଳ।
ସେହିପରି ଏବେ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବା ୨୭ ଆଇଏଏସ୍ଙ୍କ ଭିତରୁ ୨୨ଜଣ ହେଉଛନ୍ତି ଅଣ ଓଡ଼ିଆ ଅଧିକାରୀ।
ଶରତଚନ୍ଦ୍ରନ୍ଙ୍କଠୁ ଆରମ୍ଭ
ୟୁ ଶରତଚନ୍ଦ୍ରନ ଓଡ଼ିଶାରେ ଉନ୍ନୟନ କମିଶନ ଥିଲେ। ଅତିରିକ୍ତ ମୁଖ୍ୟ ସଚିବ ପଦବୀରୁ ସେ ୭ ନଭେମ୍ବର ୨୦୦୬ରେ ଅବ୍ୟାହତି ନେଲେ। ଏହାଙ୍କ ପରେ ଡିଏନ୍ ଗୁପ୍ତା ପଦବୀରୁ ଇସ୍ତଫା ଦେଲେ। ସେ ମୁଖ୍ୟ ନିର୍ବାଚନ କମିଶନ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୮୯ ବ୍ୟାଚ୍ ଏହି ଆଇଏଏସ୍ ଅଧିକାରୀ ୨୦୦୮ରେ ନିଜର ଚାକିରି ଓ ପଦବୀରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି।
ସେହିପରି ୧୯୮୫ ମସିହାର ଆଇଏଏସ୍ ଗଗନ ଧଳ ଓଡ଼ିଶାର ଅର୍ଥ ବିଭାଗ ପ୍ରମୁଖ ସଚିବ ଭାବେ ଅନେକ ଦିନ କାର୍ଯ୍ୟ କରିଛନ୍ତି। ତାଙ୍କୁ ସରକାର ଶେଷରେ ଓଡ଼ିଶା ବନ ଉନ୍ନୟନ ନିଗମର ଚେୟାରମ୍ୟାନ ପଦବୀରେ ଅଧିଷ୍ଠିତ କରିଥିଲେ। ସେଠାରୁ ସ୍ଵେଚ୍ଛାକୃତ ଅବସର ନେବାକୁ ଘୋଷଣା କରିଲେ। ନିୟମ ଅନୁଯାୟୀ ୩୦ ନଭେମ୍ବର ୨୦୧୯ରେ ତାଙ୍କୁ ସରକାର ପଦବୀ ଓ ଚାକିରିରୁ ଅବସର ଦେଇଥିଲେ।
ଆଇଏଏସ୍ ଛାଡ଼ି ରାଜନୀତିରେ ଯୋଗଦେଇଥିବା ଅନ୍ୟ ଦୁଇ ଅଧିକାରୀ ହେଉଛନ୍ତି ଅଶ୍ଵିନୀ ବୈଷ୍ଣବ ଏବଂ ଅପରାଜିତା ଷଡ଼ଙ୍ଗୀ। ଅଶ୍ଵିନୀ ଏବେ ରେଳମନ୍ତ୍ରୀ। ସେ ୨୦୧୦ ମସିହାରେ ଚାକିରି ଛାଡ଼ିଥିଲେ। ପରେ ସାଂସଦ ହେଲେ ଆଉ ଏବେ ରେଳମନ୍ତ୍ରୀ।
ବିଏମ୍ସି କମିଶନର ଏବଂ ମିଶନ ଶକ୍ତି ନିର୍ଦେଶକ ଭାବେ ଖ୍ୟାତି ଅର୍ଜନ କରିଥିବା ଅପରାଜିତା ଏବେ ଭୁବନେଶ୍ଵର ସାଂସଦ। ୧୯୯୪ ବ୍ୟାଚ୍ ଏହି ଆଇଏଏସ୍ ୨୦୧୮ ମସିହାରେ ଚାକିରି ଛାଡ଼ି ସିଧାସଳଖ ରାଜନୀତିକୁ ଲମ୍ଫ ଦେଲେ। ଆଉ ଭୁବନେଶ୍ଵରର ଜନତା ତାଙ୍କୁ ସମର୍ଥନ କରିବାରୁ ଏବେ ସେ ସାଂସଦ।
ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସମ୍ଭାଳୁଥିବା ୟୁଏନ୍ ବେହେରା ଚାକିରି କାଳର ୬ ମାସ ପୂର୍ବରୁ ଆଇଏଏସ୍ରୁ ଅବ୍ୟାହତି ନେଇଥିଲେ। ଏହା ପରେ ରାଜ୍ୟ ସରକାର ତାଙ୍କୁ ଓଇଆର୍ସିର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ କରିଥିଲେ। ସେତେବେଳେ କ’ଣ ଏମିତି କାରଣ ରହିଲା- ସେ ଚାକିରି ଛାଡ଼ିବାକୁ ବାଧ୍ୟ ହେଲେ ତାହା ଏକ ଚର୍ଚାର ବିଷୟ ହୋଇଥିଲା।
ସେହିପରି ଚାକରି ଅଧାରୁ ଛାଡ଼ି ଆଇଏଏସ୍ ଅଧିକାରୀ ଲକ୍ଷ୍ମୀନାରାୟଣ ଗୁପ୍ତା ଜାତୀୟ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍ରେ ଯୋଗ ଦେଇଥିଲେ।
ଖ୍ୟାତନାମା ସାହିତ୍ୟିକ ଜେପି ଦାଶ ୧୯୮୪ ମସିହାରେ ଆଏଏସ୍ ଚାକିରି ଛାଡ଼ି ଓଡ଼ିଶାରେ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। କିନ୍ତୁ ଏହାଙ୍କ ପରେ ଆଇଏଏସ୍ ଚାକିରି ଛାଡ଼ିବା ପ୍ରାୟ ନ ଥିଲା।
ଏବେ ପୂର୍ବତନ ବାଲେଶ୍ଵର ଜିଲ୍ଲାପାଳ ମନୀଷ ବର୍ମା ଲମ୍ବା ଛୁଟିରେ ରହି ସ୍ଵେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଖବର ଗଣମାଧ୍ୟମ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଅବଶ୍ୟ ସେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଅତ୍ୟନ୍ତ ନିକଟତର ବୋଲି ଆଲୋଚନା ହେବା ସହ ଆଗକୁ ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିପାରନ୍ତି ବୋଲି କେହି କେହି ଚର୍ଚା କରୁଛନ୍ତି।
୪୦ ପ୍ରତିଶତ ପଦବୀ ଖାଲି
ଏବେ ରାଜ୍ୟ ପାଇଁ ନିଯୁକ୍ତି ହେବାକୁ ଥିବା ୨୩୭ ଅଧିକାରୀଙ୍କ ଭିତରୁ ମାତ୍ର ୧୮୨ ଜଣ ନିଯୁକ୍ତ ଅଛନ୍ତି। ସେମାନଙ୍କ ଭିତରୁ ୨୭ଜଣ କେନ୍ଦ୍ରୀୟ ଡେପୁଟେସନ୍ରେ ଥିବାବେଳେ ୩ଜଣ ଛୁଟିରେ ରହିଛନ୍ତି। ୬ଜଣ ଟ୍ରେନି ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ପୁଣି ଜଣେ ଅଧିକାରୀଙ୍କୁ ଅନେକ ଦିନ ହେଲା ନିଲମ୍ବିତ କରାଯାଇଛି। ଅର୍ଥାତ୍ ମାତ୍ର ୧୪୧ଜଣ ଅଧିକାରୀ ଏବେ ରାଜ୍ୟ ପ୍ରଶାସନର ବିଭିନ୍ନ ଦାୟିତ୍ଵ ତୁଲାଉଛନ୍ତି। ଅର୍ଥାତ୍ ପ୍ରାୟ ୪୦ ପ୍ରତିଶତ ଆଇଏଏସ୍ ପଦବୀ ଖାଲି ପଡ଼ିଛି।