ଅବତାରୀ ବନାମ ଅଶରୀରି…

Bhubaneswar: ଏ ଦୁନିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଅଧିକ ମାତୃଭକ୍ତ କିଏ ଥିବା ଆପଣ ଦେଖିଛନ୍ତି କି ? ବୋଧହୁଏ, ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ଗଣମାଧ୍ୟମ ହେଉ ବା ସାମାଜିକ ଗଣମାଧ୍ୟମ, ମୋଦିଙ୍କଠାରୁ ଅଧିକ ମାତୃଭକ୍ତ ଏ ଦୁନିଆରେ ଥିବାର ରେକର୍ଡ ଇଣ୍ଟରନେଟରେ ନାହିଁ । ମୋଦି, ତାଙ୍କ ମାଆଙ୍କୁ କେତେ ଭଲ ପାଆନ୍ତି, କେତେ ଭକ୍ତି କରନ୍ତି, ତାହା ଅନ୍ ରେକର୍ଡ ଉପଲବ୍ଧ ଅଛି । ବିମୁଦ୍ରୀକରଣ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ବୟସର ଅପରାହ୍ନରେ ଆସି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଧାଡ଼ିରେ ଠିଆ ହେବା କଥା କୁହନ୍ତୁ ବା “ପ୍ରଧାନମନ୍ତ୍ରୀ ପୁଅ”ଙ୍କୁ ଆଶୀର୍ବାଦ ଦେଇ ହାତରେ ଟଙ୍କା ଧରାଇ ଦେବାର କଥା କୁହନ୍ତୁ… କିଏ ନଦେଖିଛି ସେତେବେଳର ଏ ଦୃଶ୍ୟ ! ମାଆଙ୍କ ମୃତ୍ୟୁ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ Pall Bearer ହେବାର ଦୃଶ୍ୟ ଏ ବିଶ୍ବ ଦେଖିଛି । ହେଲେ ମାଆଙ୍କ ଶୁଦ୍ଧିକ୍ରିୟାରେ ମୋଦିଙ୍କୁ ସାମିଲ ହେବା କେହି ଦେଖିଛନ୍ତି କି !
ମୋଦିଙ୍କର କେହି ବିକଳ୍ପ ଅଛନ୍ତି ନା ତାଙ୍କୁ ଟକ୍କର ଦେବାକୁ କେହି ସଙ୍କଳ୍ପ ନେଇଛନ୍ତି ?
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ କଥାରେ ସେ ମହାରାଜ ଶିବାଜୀଙ୍କ ଅବତାର…
ପ୍ରଦୀପଙ୍କ ପୂର୍ବରୁ ୨୦୧୮ରେ ମହାରାଷ୍ଟ୍ରର ବିଜେପି ନେତା ଅବଧୂତ ୱାଘ, “ଆଜିର ଶିବାଜୀ ମୋଦି” ନାମରେ ଏକ ପୁସ୍ତକ ମଧ୍ୟ ଲେଖି ସାରିଛନ୍ତି । ବିଜେପିର ବହୁ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ କହି ସାରିଛନ୍ତି । କରୋନା ବେଳେ ଦାଢ଼ି ବଢ଼ାଇ ରବୀନ୍ଦ୍ରନାଥଙ୍କ ଅବତାର ସଦୃଶ ଅବତୀର୍ଣ୍ଣ ହୋଇଥିବା ମୋଦିଙ୍କ ନାଁକୁ ନେଇ ଚର୍ଚ୍ଚା କିଛି କମ ନଥିଲା । ବର୍ତ୍ତମାନର ପୁରୀ ସାଂସଦ ସମ୍ବିତ ପାତ୍ର ମହାପ୍ରଭୁ ଜଗନ୍ନାଥଙ୍କୁ ମୋଦିଙ୍କ ପରମ ଭକ୍ତ କହି, ଏକ ପ୍ରକାର ପ୍ରାୟଶ୍ଚିତ ମଧ୍ୟ କରିଛନ୍ତି । ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ରାମଲଲ୍ଲାଙ୍କ ସହ ମୋଦିଙ୍କ ପ୍ରମୋସନାଲ୍ ଫଟୋ ବି ଅନେକ କିଛି ପ୍ରମାଣ ଦେଉଛି ଯେ, ବର୍ତ୍ତମାନର ଭାରତବର୍ଷର ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି, କେବଳ ଜଣେ ମାନବ ନୁହଁନ୍ତି, ସେ ହେଉଛନ୍ତି ପୂର୍ବର ମହାମନୀଷି ଏବଂ ବର୍ତ୍ତମାନର ପୂଜ୍ୟ କିଛି ଭଗବାନଙ୍କ ସ୍ବୟଂ ଅବତାର । ଯାହା ସେ ନିଜେ ମଧ୍ୟ ପାର୍ଲାମେଣ୍ଟରେ କହି ସାରିଛନ୍ତି ।
ତେବେ ଅବତାରୀଙ୍କୁ ଏବେ ଅଶରୀରିର ଭୟ କାହିଁକି ? କାହିଁକି AI Chatbot ଗ୍ରକକୁ ନେଇ ଏବେ ଏତେ ଚର୍ଚ୍ଚା ଚାଲିଛି ? ଗ୍ରକ୍ ଏମିତି କଣ କହିଦେଲା କି ? କାହିଁକି ଗ୍ରୋକର କଥାକୁ ନେଇ ଏତେ ହଙ୍ଗାମା ? ଗ୍ରକ୍ ତା ଜନ୍ମଦାତାଙ୍କୁ ଛାଡ଼ିଲା ନାହିଁ ବୋଲି ନା !
କାହିଁକି ଗ୍ରକ୍ Upbeat ପ୍ରଶ୍ନରେ ଏତେ ମାତ୍ରାରେ ଉତକ୍ଷିପ୍ତ ହୋଇଗଲା ? କାହିଁକି AI Chatbot ଗ୍ରୋକ ଏଭଳି ଅଶ୍ଳୀଳ ଭାଷାର ବ୍ୟବହାର କଲା ? କାହିଁକି ଜନ୍ମଦାତାଙ୍କ ବାବଦରେ ପ୍ରଥମେ ସତ କହିଥିବା, ଏହି AI Chatbot ତାର ସ୍ରଷ୍ଟାଙ୍କୁ ନେଇ ପରେ ବୟାନ ବଦଳାଇଲା ? ସତରେ କଣ AI Chatbot ଗ୍ରକ୍, ମଦାରୀ ସଦୃଶ ମସ୍କଙ୍କ ହାତରେ ନାଚିଲା ଭଳି ଏକ ମନୁଷ୍ୟ ଭାବନାକୃତ ଅଶରୀରି !
ଅଭିବ୍ୟକ୍ତିର ଅଧିକାରକୁ ନେଇ କର୍ଣ୍ଣାଟକ ହାଇକୋର୍ଟରେ ମସ୍କଙ୍କ X Usersଙ୍କ ପାଇଁ ଉପଲବଧ ଗ୍ରକ, କାହିଁକି ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜୁ କରିଛି ? ଟ୍ରୋଲ କିମ୍ବା ଅଦାଲତୀ ଧମକକୁ ଭୟ ନଥିବା କହୁଥିବା ଗ୍ରକ୍, କେମିତି ମାଲିକ ମସ୍କଙ୍କୁ ନେଇ ତାର ବୟାନ ବଦଳାଇଲା ?
ଚୀନର ବହୁ ପୁରୁଣା Chat GPT Deepseek ବନାମ ବର୍ତ୍ତମାନର ଏଲନ୍ ମସ୍କଙ୍କ X-Grok, ଠିକ ଯେମିତି ଚୀନର ଇଭି ନମ୍ବର ୱାନ୍ BYD, ଯାହାକି କିଛି ବର୍ଷ ପୂର୍ବରୁ ଭାରତୀୟ ବଜାରରେ ଉପଲବ୍ଧ, କିନ୍ତୁ ଏବେ ବର୍ତ୍ତମାନ ମସ୍କଙ୍କ ଟେସଲାକୁ ନେଇ ଭାରତରେ ପ୍ରବଳ ପବନ । (ଇଭି BYD ଏବଂ ଟେସଲା ମଧ୍ୟରେ ତୁଳନାତ୍ମକ ଫରକ ଇଣ୍ଟରନେଟରେ ଉପଲବଧ ଅଛି) ।
ସତରେ… ବୟାନ ବଦଳାଇବା ପୂର୍ବରୁ ଗ୍ରକ୍ ଯଦି ସୃଷ୍ଟିଙ୍କର ପ୍ରକୃତ ସ୍ରଷ୍ଟା, ତେବେ ଅନେକ କିଛି ଆଶା କରାଯାଇ ପାରେ । କିନ୍ତୁ ପରବର୍ତ୍ତୀ ମୁହୁର୍ତ୍ତରେ ଯଦି ତାହା ମସ୍କଙ୍କ ପାଇଁ, ପୁଣି ତାଙ୍କ କଥାରେ ବା ନିର୍ଦ୍ଦେଶରେ ବା ପରାମର୍ଶରେ ବା Technical feeding ଜରିଆରେ ବୟାନ ବଦଳାଇଥାଏ, ତେବେ ଏଭଳି କ୍ଷେତ୍ରରେ ଗ୍ରକକୁ ଷଡ଼ଯନ୍ତ୍ରକାରୀ କହିଲେ ଅତ୍ୟୁକ୍ତି ହେବନି ।

Leave a Reply

Your email address will not be published. Required fields are marked *