ସେନା ଉପରେ ଫିଲ୍ମ କରିବା ପୂର୍ବରୁ ନେବାକୁ ପଡିବ ଏନଓସି: ପ୍ରତିରକ୍ଷା ମନ୍ତ୍ରଣାଳୟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସୈନ୍ୟ ବାହିନୀ ଉପରେ ଆଧାରିତ ଫିଲ୍ମ ଓ ୱେବସିରିଜ କରିବା ପୂର୍ବରୁ (ନୋ ଅବଜେକସନ୍ ସାର୍ଟିଫିକେଟ୍) ଏନଓସି ନେବାକୁ ପଡିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଫିଲ୍ମ ଏବଂ ୱେବସିରିଜରେ ସୁରକ୍ଷା ବାହିନୀକୁ ଭୁଲ୍ ଭାବେ ଚିତ୍ରିତ କରାଯାଉଥିବା ଅଭିଯୋଗକୁ ନେଇ ସିବିଏଫସି ସହ ବିଭିନ୍ନ ମନ୍ତ୍ରଣାଳୟକୁ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାତା ଏଭଳି କଣ୍ଟେଣ୍ଟ ପ୍ରସାରଣ କରିବା ପୂର୍ବରୁ ପ୍ରଥମେ ଏନଓସି ନିଅନ୍ତୁ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି), ଇଲୋକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରଣାଳୟ ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟକୁ ଲିଖିତ ଭାବେ କହିଛନ୍ତି ଯେ ପ୍ରଡକ୍ସନ ହାଉସ ଗୁଡିକୁ କୁହନ୍ତୁ ଯେ ସୁରକ୍ଷା ବଳ ଉପରେ ନିର୍ମିତ ଯେ କୌଣସି ଫିଲ୍ମ କିମ୍ବା ଡକ୍ୟୁମେଣ୍ଟାରୀ ଅବା ୱେବସିରିଜ ଗୁଡିକୁ ପ୍ରସାରିତ କରିବା ପୂର୍ବରୁ ଏନଓସି ନିଅନ୍ତୁ ବୋଲି ।
ଏହି ଚିଠି ଜୁଲାଇ ୨୭ରେ ଲେଖା ଯାଇଥିବା ନେଇ ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।
ଫିଲ୍ମ କିମ୍ବା ୱେବସିରିଜରେ ସେନାକୁ ଅପମାନ ଜନକ ଭାବେ ଚିତ୍ରିତ କରାଯାଉ ଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରାଯାଇ ଥିଲା । ଏଭଳି ଅଭିଯୋଗ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଏଭଳି ନିଷ୍ପତ୍ତି ଦ୍ୱାରା ସୁରକ୍ଷା ବାହିନୀର ଛବିକୁ ଭୁଲ୍ ଦର୍ଶାଉଥିବା ସିନ୍ କୁ ରୋକାଯାଇ ପାରିବ । ଯାହା କି ଲୋକଙ୍କର ଭାବନାକୁ ଆଘାତ ପହଞ୍ଚାଉଥିଲା ।
ନିକଟରେ ଏକତା କାପୁରଙ୍କ ଏକ ୱେବସରିଜ୍ ‘XXX ଅନସେନସର୍ଡ’ କୁ ଖୁବ୍ ବିବାଦ ମୁଣ୍ଡ ଟେକିଥିଲା । ସୁତ୍ରରୁ ପ୍ରକାଶ ଯେ ଏହି ୱେବସିରିଜର ଗୋଟିଏ ସିନରେ ଜଣେ ବିବାହିତା ମହିଳା ତା’ର ଯବାନ (ସେନା) ସ୍ୱାମୀର ଅନୁପସ୍ଥିତିରେ ନିଜ ପ୍ରେମିକକୁ ଘରକୁ ଡାକୁଛି । ପରେ ତା’ ସହ ଶାରୀରିକ ସମ୍ବନ୍ଧ ରଖୁଛି । ବିବାଦ ଆହୁରି ମଧ୍ୟ ରହିଛି ଯେ ସେ ସେନାର ବର୍ଦ୍ଦିକୁ ତା’ର ପ୍ରେମିକକୁ ପିନ୍ଧାଇବା ପରେ ତାକୁ ଫାଡି ଦେଉଛି ।
ଏହି ସିନକୁ ନେଇ ଖୁବ୍ ବିବାଦ ଉପୁଜିଥିବା ବେଳେ ଏଥିପାଇଁ ଏକତା କାପୁର କ୍ଷମା ପ୍ରାର୍ଥନା କରିଥିବା ସୁତ୍ରରୁ ପ୍ରକାଶ ।