ଅନାସ୍ଥା ବନାମ ମୂଷାମାରୀ…

BHUBANESWAR: () କୁହାଯାଏ କାଳେ, ଜାହାଜ ବୁଡ଼ିବା ପୂର୍ବରୁ ମୂଷାମାନେ, ଅନ୍ୟ ଜାହାଜକୁ ଡେଇଁ ଯାଇଥାନ୍ତି । କିନ୍ତୁ ଏଠି ବୁଝି ମଧ୍ୟ ଅବୁଝା ରହି ଯାଉଛି, କେଉଁ ଜାହାଜ ବୁଡ଼ିବାକୁ ଯାଉଛି, ବା କହିବାକୁ ଗଲେ ଅଧାରୁ ଅଧିକ ବୁଡ଼ି ଗଲାଣି ! ସେସବୁ ଜାହାଜର ମୂଷା ଯିବେ କୁଆଡ଼େ ! ସେମାନେ ଅନ୍ୟ ଜାହାଜକୁ ଡେଇଁ ପାରିବେ ତ ! ନାଁ ସେହି ମୌକା ଦେଖି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ରାଜନୈତିକ ମାର୍କେଟରେ ମୂଷାମାରୀ ଔଷଧର Launching Ceremoney କରାଇ ଦେଇଛନ୍ତି !

  1. () ସେଦିନ ଥାଏ, 21 ଜୁଲାଇ ସୋମବାର । ଦିନ ତମାମ ସୁରୁଖୁରୁରେ ସବୁ କାମ ସୁଚାରୁ ରୂପେ ସାରିବା ପରେ ସନ୍ଧ୍ୟାରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼ । ଆଉ ସେହି ଦିନ ମଧ୍ୟ ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ଓଡ଼ିଶାର ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ, ରାଜ୍ୟର ପ୍ରମୁଖ ବିରୋଧୀ ରାଜନୈତିକ ଦଳ ବିଜେଡିକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।…
  2. () ସୋମବାର ରାଜ୍ୟ ରାଜନୀତିରେ ହୋଇଥିବା ଏଭଳି ଡେଭଲପମେଣ୍ଟକୁ ନେଇ ଅନ୍ତର୍ଯାମୀ ବାବୁ ବେଶ ବ୍ୟଗ୍ର ହୋଇ ପଡ଼ିଥିଲେ । ଗାଁରେ ରହିଲେ ମଧ୍ୟ ରାଜନୀତି ପ୍ରତି ଖାସ ରୁଚି ରଖୁଥିବା ଅନ୍ତର୍ଯାମୀ ବାବୁଙ୍କ ମୁଣ୍ଡରେ ରାଜ୍ୟର ବିଜେପି ସରକାର ବିରୋଧରେ, ଭକ୍ତବାବୁଙ୍କ ବିଜେଡି ପ୍ରତି ଆହ୍ବାନ, ଘାଣ୍ଟି ହେଉଥାଏ । ଦୁଇ ଦିନଧରି ଯେତେ Brain Storming Exercise କଲେ ମଧ୍ୟ, ଅନ୍ତର୍ଯାମୀ ବାବୁ, ଭକ୍ତ ଦାସଙ୍କ ଅନାସ୍ଥା ପ୍ରସ୍ତାବ ଆହ୍ବାନ ଏବଂ ଚ୍ୟାଲେଞ୍ଜର ଟେର୍ ପାଉ ନଥିଲେ । କିନ୍ତୁ ବୁଧବାର ସେ ହାଟକୁ ଯାଇଥିଲେ । ହାଟରେ ପଶୁ ପଶୁ ହଠାତ ଜଣେ ବୁଲା ବେପାରୀଙ୍କ ଉପରେ ତାଙ୍କ ନଜର ପଡ଼ିଲା । ବେପାରୀ ଜଣକ ହାଟରେ ବୁଲି ବୁଲି ମୂଷାମରା ଔଷଧ ବିକୁଥିଲେ । ଅନ୍ତର୍ଯାମୀ ବାବୁ ହାଟରୁ ସଉଦା କିଣିବା ପଛକୁ ରଖି, ସେହି ଲୋକ ପଛେ ପଛେ ଚାଲିଲେ । ବେପାରୀ ଜଣକ ଗଳା ଫଟାଇ ଗରାଖଙ୍କୁ ଡାକୁଥିଲେ । … ‘ମୂଷାମାରୀ ନିଅ, ମୂଷାମାରୀ… ମୂଷା ଖାଇଲେ ମଲା, ଶୁଂଘିଲେ ମଲା, ଦେଖିଲେ ମଲା’… ଏମିତି ଡାକ ପକାଉଥିଲ ବେପାରୀ ଜଣକ । ଅନ୍ତର୍ଯାମୀ ବାବୁ, ସେହି ବେପାରୀଙ୍କ ଏଭଳି ଡାକ ଶୁଣୁଥିଲେ । ମୂଷାମାରୀ ଔଷଧକୁ ମୂଷା ଖାଇଲେ ମରିବ କଥାକୁ ସେ ସଙ୍ଗେ ସଙ୍ଗେ ବିଶ୍ବାସ କରିନେଲେ । କିନ୍ତୁ ଶୁଂଘିଲେ କିମ୍ବା ଦେଖିଲେ ମରିବା ଦାବିକୁ ସେ ଗ୍ରହଣ କରିପାରିଲେ ନାହିଁ । ସଂପୃକ୍ତ ମୂଷାମରା ଔଷଧ ବେପାରୀରଙ୍କ ଶେଷ 2 ଦାବି, ଅନ୍ତର୍ଯାମୀ ବାବୁଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି କଲା । ସେ ସଂକ୍ରାନ୍ତ ଚିନ୍ତାକୁ ପଛକୁ ରଖିଦେଇ ଅନ୍ତର୍ଯାମୀ ବାବୁ ହାଟରୁ ପନିପରିବା କିଣିଲେ । ଆଉ ଘରକୁ ଫେରିଲେ ।…
  3. () ଘରକୁ ଫେରିବା ବେଳେ ଛକରେ ତାଙ୍କୁ ହଠାତ ଦେଖି ନିଅନ୍ତି ଲଳିତ ବାବୁ । ଲଳିତ ବାବୁ ଗାଁରେ ବ୍ୟବସାୟ କରନ୍ତି, କିନ୍ତୁ ରାଜନୀତି ପ୍ରତି ତାଙ୍କର ଏକ Extra ରୁଚି ରହିଛି । ସେ ଗାଁ ରାଜନୀତି ହେଉ ବା ରାଜ୍ୟ କିମ୍ବା ଜାତୀୟ କିମ୍ବା ଅନ୍ତର୍ଜାତୀୟ । ଅନ୍ତର୍ଯାମୀ ବାବୁଙ୍କ ସହ ଲଳିତ ବାବୁଙ୍କ ରାଜନୈତିକ ଚର୍ଚ୍ଚା ସ୍ବତନ୍ତ୍ର । ଆଉ ସେଦିନ ଅନ୍ତର୍ଯାମୀ ବାବୁଙ୍କୁ ଦେଖିବା ମାତ୍ରେ, ପିସିସି ସଭାପତି ଭକ୍ତ ଦାସ, ବିଜେପି ସରକାର ବିରୋଧରେ ଦେଇଥିବା ଅନାସ୍ଥା ପ୍ରସ୍ତାବ ଚ୍ୟାଲେଞ୍ଜକୁ ନେଇ ଆଲୋଚନା ଆରମ୍ଭ କରିଦେଲେ । ଭକ୍ତଙ୍କ ମୁହଁରୁ ବାହାରିଥିବା ଅନାସ୍ଥା ପ୍ରସ୍ତାବ ବାବଦରେ ଲଳିତ ବାବୁ ପଚାରୁ ପଚାରୁ, ଅନ୍ତର୍ଯାମୀ ବାବୁ, ସେହି ମୂଷାମାରୀ ଔଷଧ ବିକୁଥିବା ବେପାରୀଙ୍କ କଥା କହିଲେ । ଶୁଣୁ ଶୁଣୁ ଲଳିତ ବାବୁ ଏମିତି ହସିଲେ ଯେ, ହସି ହସି ଘରକୁ ପଳାଇଲେ ।…
  4. () ହଁ, ଆଜ୍ଞା… ଏଇଠି ଆପଣମାନେ ବି ହସୁଥିବେ । କାରଣ ଆପଣ ଭାବୁଥିବେ, ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ ଆହ୍ବାନ ସହ ମୂଷାମାରୀ ଔଷଧର କଣ ସମ୍ପର୍କ ରହିଛି ! ସମ୍ପର୍କ ରହିଛି ଆଜ୍ଞା, ଏହି ମୂଷାମାରୀ ଔଷଧ ଯାହା, ପିସିସି ସଭାପତି ଭକ୍ତ ଦାସଙ୍କ ଅନାସ୍ଥା ପ୍ରସ୍ତାବ ଚ୍ୟାଲେଞ୍ଜ ଓ ଆହ୍ବାନ କହିବାକୁ ଗଲେ ତାହା । କାରଣ ଏହି ଅନାସ୍ଥା ରୂପୀ ମୂଷାମାରୀ ଔଷଧକୁ ଖାଇବାକୁ ଯାଇ ଯଦି ବିଜେଡି ଗିଳିଦିଏ, ଆଉ ଯଦି ଏହା ହଜମ ନହୁଏ, ତେବେ ପେଟରୁ ଏହାକୁ ଗାଳିବା ବହୁତ କଷ୍ଟକର ହୋଇପାରେ ! ବିଜେଡିର କିଛି ବି ହୋଇଯାଇ ପାରେ । ଆଉ ଯଦି, ନଖାଇ ଖାଲି ଶଂଘିବାକୁ ଚେଷ୍ଟା କରେ, ତେବେ ତାହା ମଧ୍ୟ ଦଳ ପାଇଁ ବଡ଼ ବିପଦ ସୃଷ୍ଟି କରିପାରେ ! …
  5. () ଭକ୍ତଙ୍କ ଅନାସ୍ଥା ପ୍ରସ୍ତାବ ଚ୍ୟାଲେଞ୍ଜ ଓ ଆହ୍ବାନ ଉପରେ, ଗତକାଲି ଆମେ, ଏହି ପୋର୍ଟାଲରେ ‘ଗୁଳି ନା ଗୁଗଲୀ’ ଶୀର୍ଷକ ଆଲେଖ୍ୟରେ ବିଜେଡିର ରାଜନୈତିକ ସତୀତ୍ବ ଅବତାରଣା କରିସାରିଛୁ । ତେଣୁ ପଛକୁ ଫେରିବା ଅନାବଶ୍ୟକ ହୋଇଥିବା ବେଳେ ଏବେ ଆସନ୍ତୁ ଯିବା ମୂଷାମାରୀ ଔଷଧ ପ୍ରସଙ୍ଗକୁ ।…
  6. () କହିବାକୁ ଗଲେ, ବିଜେଡିକୁ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଦାସ ଦେଇଥିବା ଅନାସ୍ଥା ଆହ୍ବାନ ହିଁ ବିଜେଡି ପାଇଁ ମୂଷାମାରୀ । କାରଣ ଅତୀତରେ ବିଜେଡି କ୍ଷମତାରେ ଥିବା ବେଳେ, ରାଜ୍ୟରେ ସିନା ବିଜେପି ବିରୋଧରେ ଫଁ ଫଁ ହୋଇଛି, କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ଆଗରେ କୁଁ କୁଁ ହୋଇ ଲାଞ୍ଜଯାକି ବସିଛି । ତେଣୁ ଦେଖିବାକୁ ଗଲେ, କ୍ଷମତାରେ ଥିବା ବେଳେ ଯଦି, ବିଜେଡି, ବିଜେପିକୁ ଚ୍ୟାଲେଞ୍ଜ କରିପାରିନି, ଏବେ ଆଦୌ କ୍ଷମତା ନଥାଇ, କେମିତି ଅନାସ୍ଥା ପ୍ରସ୍ତାବ ଆଣି ଚ୍ୟାଲେଞ୍ଜ କରିବ ! ଲୋକସଭାରେ ବିଜେଡିର ଜଣେ ବି ସଦସ୍ୟ ନଥିବା ବେଳେ ଓଡ଼ିଶା ପାଇଛି ଡବଲ୍ ଇଞ୍ଜିନ ସରକାର । ଯାହାର ଆଗ ଇଞ୍ଜିନ ହେଉଛନ୍ତି କେନ୍ଦ୍ର ସରକାର । ତେଣୁ ପୂର୍ବରୁ ଯଦି କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାରକୁ ଆଖିରେ ଆଖି ମିଶାଇ ବିଜେଡି ଚାହିଁ ପାରିନି, ଏବେ କେମିତି ଚାହିଁବ ! ରାଜ୍ୟରେ ମୋହନ ମାଝୀ ନେତୃତ୍ବାଧୀନ ବିଜେପି ସରକାରକୁ ନାଲି ଆଖି ଦେଖାଇବା କଣ, କେନ୍ଦ୍ର ସରକାରଙ୍କୁ ନାଲି ଆଖି ଦେଖାଇବା ନୁହେଁ ! ବିଜେଡି ପାଇଁ ଇଡି, ସିବିଆଇର ଛାଟ ଏବେ ଅଛି ନା ନାହିଁ ! ନା ପ୍ରଚ୍ଛଦ ପଟରେ ଛାଇ ହୋଇ ଏବେ ବି ରହିଛି ! କେତେବେଳେ ବି ବ୍ୟବହାର ହୋଇପାରେ ! କାରଣ କଳା ଗୋଲାପ ଫୁଟୁ ନଥିଲେ ମଧ୍ୟ ଗଛଟି ଜୀଁଇଥିବା ଭଳି, ଅନେକ ପ୍ରସଙ୍ଗ ଏବେ ବି ଉଜ୍ଜୀବିତ ରହିଛି । ତେଣୁ ଏ ଦୃଷ୍ଟିରୁ ଦେଖିବାକୁ ଗଲେ, ବିଜେଡି ହୁଏତ, ଅନାସ୍ଥା ରୂପୀ ମୂଷାମାରୀକୁ ଖାଇ ନପାରେ ! ପୁଣି ଗିଳିଦେଲା ପରେ ଯଦି ହଜମ ନହେବ !
  7. () ଭକ୍ତଙ୍କ ଏହି ଅନାସ୍ଥା ରୂପୀ ମୂଷାମାରୀକୁ ଶୁଂଘିବାକୁ ମଧ୍ୟ ବିଜେଡିର ସାହସ ନାହିଁ । କାରଣ, ଶୁଂଘୁ ଶୁଂଘୁ ଯଦି, 51ଟା 15 ହୋଇଯିବ, ତେବେ କଥା ସରିଯିବ…
  8. () ସେପଟେ ଯେତେ ନିଶ୍ଚିତ ହେଲେ ମଧ୍ୟ ରାଜ୍ୟର ବିଜେପି ସରକାରର ନିଜ ଛାଇ ପ୍ରତି ଟିକେ ଭୟ ରହୁଛି । କାରଣ ରାଜ୍ୟରେ ବିଜେପି, ଏକକ ସଂଖ୍ୟା ଗରିଷ୍ଠତାରେ ସରକାର ଗଢ଼ିଥିଲେ ମଧ୍ୟ, ଗୋଷ୍ଠୀ କନ୍ଦଳ ଛାଇ ହୋଇ, ଛାନିଆ କରାଉଛି ।...
  9. () ରାଜ୍ୟ ବିଧାନସଭାର ଚଳିତବର୍ଷର ମୌସୁମୀ ଅଧିବେଶନ ଏଯାଏଁ ଆରମ୍ଭ ହୋଇନି । ପୂର୍ବର ସବୁ ବର୍ଷଠାରୁ ଏହା ଅହେତୁକ ବିଳମ୍ବ ହେଲାଣି । କଣ ହୋଇପାରେ ଏହାର କାରଣ ! ପୁଣି ମନ୍ତ୍ରିମଣ୍ଡଳ ସଂପ୍ରସାରଣ କଥା ବର୍ତ୍ତମାନ ପାଇଁ Holdରେ ରହିଲା ବୋଲି ଶୁଣିବାକୁ ମିଳିଲାଣି । ଏସବୁ କାହିଁକି ହେଉଛି, କେମିତି ହେଉଛି ? ସେ ବାବଦରେ ବୋଧହୁଏ, ଗହୀରିଆ ଚିନ୍ତନର ଆବଶ୍ୟକତା ରହିଛି । ତଥାପି ମନ୍ତ୍ରୀ ସୁରେଶ ପୂଜାରୀ, ବିରୋଧୀଙ୍କୁ ଭଲ ରକମ ପଦେ ଶୁଣାଇ ଦେଇଛନ୍ତି । ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ, ବିରୋଧୀ କ୍ଷତାକ୍ତ ହେବା ଥୟ ବୋଲି ଶୁଣାଇ ଦେଇଛନ୍ତି ସେ ।…
  10. () 51କୁ 51 ବିଧାୟକଙ୍କୁ ବାନ୍ଧି ରଖିବା ନେଇ ବିଜେଡି ସନ୍ଦୀହାନରେ ଥିବା ବେଳେ, ନିଜର 78 ଏବଂ 3 ସ୍ବାଧୀନ ବିଧାୟକଙ୍କ ସମର୍ଥନ ଥାଇ ମଧ୍ୟ ଅନେକ ମାତ୍ରାରେ ଟେନସନରେ ରାଜ୍ୟର ବିଜେପି ସରକାର । ସରକାରରେ ଥାଇ ତଥା ଶାସକ ଦଳର ବିଧାୟକ ଥିବା, ଆର ସାହିର ଅତିକମରେ 10 ଟୋକା ଖେଳ କରି ଦେବେନି ତ !!!

Leave a Reply

Your email address will not be published. Required fields are marked *