ଗୁଳି ନା ଗୁଗଲୀ !

BHUBANESWAR: ମାନିବାକୁ ପଡ଼ିବ କଂଗ୍ରେସକୁ… ମାନିବାକୁ ପଡ଼ିବ ଭକ୍ତଙ୍କ ଭିତିରିଆ ଗୁଗଲୀ ରାଜନୀତିକୁ । ସତରେ ଭକ୍ତ ଗୁଳି ମାରିଛନ୍ତି ନା ଗୁଗଲୀ ଛାଡ଼ିଛନ୍ତି ! ଏ ଗୁଳି, ବିଜେଡିରେ କଳି କରାଇ ଦେବନି ତ ! ଏ ଗୁଗଲୀ, ବିଜେଡିରେ ଖଲବଲି ଖେଳାଇ ଦେବନି ତ ! ଅତୀତରେ ରାଜଧାନୀ ଭୁବନେଶ୍ବରରେ ବେଦୀ ପାରି, ବିଜେଡି ଓ ବିଜେପିର ରାଜନୈତିକ ବାହାଘର କରାଇ ଦେଇଥିବା କଂଗ୍ରେସ ଦଳ, ଏବେ ସ୍ବାମୀ-ସ୍ତ୍ରୀ ସମ୍ପର୍କ ମଧ୍ୟରେ କଳି ମଞ୍ଜି ପୋତିବାକୁ ଚେଷ୍ଟା କରୁନି ତ !

  1. () ଫକୀର ମୋହନ ବିଶ୍ବବିଦ୍ୟାଳୟ ଛାତ୍ରୀ ମାମଲା ହେଉ ବା ବଳଙ୍ଗା ବାଳୁଙ୍ଗାମି, କହିବାକୁ ଗଲେ ଗତ କିଛି ମାସ ହେବ, ରାଜ୍ୟରେ ମହିଳାଙ୍କ ପ୍ରତି ନିର୍ଯାତନା, ଅତ୍ୟାଚାର ବଢ଼ିଛି । ଯାହାକୁ ନେଇ କଂଗ୍ରେସ ଛାତି ଫଟାଇ କାନ୍ଦୁଥିବା ବେଳେ ବାହୁନି କାନ୍ଦୁଛି ବିଜେଡି । ଶାସକ ବିଜେପି ଆଖିରେ ବି କିଛି କମ ଲୁହ ନାହିଁ । କୁମ୍ଭୀର ଭଳି, ସବୁ ଦଳଙ୍କ ଆଖିରେ ମହିଳାଙ୍କ ସୁରକ୍ଷାକୁ ନେଇ ଲୁହ । ହେଲେ ଏସବୁ ଦଳ କ୍ଷମତାରେ ଥିବା ବେଳେ ମହିଳାଙ୍କୁ କେତେ ସୁରକ୍ଷିତ ରଖିଥିଲେ, ତାର ତୁଳନାତ୍ମକ ତାଲିକା ଦେଖାଇବାକୁ କିନ୍ତୁ ପ୍ରସ୍ତୁତ ନୁହଁନ୍ତି । ମା’ ରାଣ, ଏସବୁ କୁମ୍ଭୀର କାନ୍ଦଣା ନୁହେଁ ତ !
  2. () ରାଜ୍ୟରେ ବିଜେଡି କ୍ଷମତାରୁ ଯାଇଛି, ବିଜେପି କ୍ଷମତାକୁ ଆସିଛି, ବିଜେଡି ପ୍ରମୁଖ ବିରୋଧୀ ଦଳର ମାନ୍ୟତା ପାଇଥିବା ବେଳେ 25 ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ନଥିବା ଏବଂ ଲଗାତାର ଦ୍ବିତୀୟ ଥର ପାଇଁ ରାଜ୍ୟ ରାଜନୀତିର ତୃତୀୟ ସ୍ଥାନରେ ଥିବା କଂଗ୍ରେସ, ଛାଡ଼ିଛି ଗୁଗଲୀ, ଯାହାକୁ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବନ୍ଧୁକର ଗୁଳି କହିଲେ ଅତ୍ୟୁକ୍ତି ହେବନି ।…
  3. () ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା ହେଉଛି, 147 । କଂଗ୍ରେସର 14 ଜଣ ବିଧାୟକ ଅଛନ୍ତି । ଦେଖିବାକୁ ଗଲେ, ଏକ ଦଶମାଂଶରୁ ତଳେ ରହିଛି କଂଗ୍ରେସ ସଂଖ୍ୟା । ଦୁଇ ତୃତୀୟାଂଶରୁ ଯଥେଷ୍ଟ ଉପରେ ରହିଛି ବିଜେଡି । ବିଜେଡିର 51 ଜଣ ବିଧାୟକ ଅଛନ୍ତି । ସେପଟେ 78 ଆସନ ସହ ଭଲ ରକମ ସଂଖ୍ୟାଗରିଷ୍ଠତା ହାସଲ କରି ସରକାରରେ ଅଛି ବିଜେପି । ଏହା ବାଦ ୩ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ବି ରହିଛି। ଏଭଳି ସ୍ଥିତିରେ 3 ନମ୍ବରରେ ଥିବା କଂଗ୍ରେସ ଦଳ, ତାଠାରୁ ଯଥେଷ୍ଟ ବ୍ୟବଧାନ ହାସଲ କରି 2 ନମ୍ବରରେ ଥିବା ବିଜେଡିକୁ ଦେଇଛି ଆହ୍ବାନ । ତାହା ପୁଣି ବିଜେପିକୁ ଚ୍ୟାଲେଞ୍ଜ କରିବାକୁ । ରାଜ୍ୟରେ ବିଜେପି କ୍ଷମତାକୁ ଆସି ନଥିବା ବେଳେ ସମଦୂରତାର ଦ୍ବାହି ଦେଇ କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର ସହ ଭିତିରିଆ ସମମିତ୍ରତା ସ୍ଥାପନ କରିଥିବା ବିଜେଡିକୁ, କଂଗ୍ରେସ ଦେଇଛି ଆହ୍ବାନ । ଯେତେବେଳେ କି, ଅତୀତର ଅଧିକାଂଶ ସଂସଦୀୟ ନିଷ୍ପତ୍ତିରେ ବିଜେଡିର ରାଜନୈତିକ ସତୀତ୍ବ, ରାଜ୍ୟବାସୀ ଦେଖି ସାରିଛନ୍ତି । 2024 ନିର୍ବାଚନ ପରେ ପାର୍ଲାମେଣ୍ଟରେ ଆସିଥିବା ୱାକଫ୍ ସଂଶୋଧନ ବିଲ୍ ଉପରେ ବିଜେଡି ଯେଉଁ ଆଭିମୁଖ୍ୟ ଆପଣାଇଲା, ତାହା ବଖାଣିବାର ଆବଶ୍ୟକତା ନାହିଁ । ସମଦୂରତାର କଥା କହି, ଯେତେବେଳେ ବି ବିଜେଡି ଏଭଳି ନିଷ୍ପତ୍ତି ନେଇଛି, ସବୁ ବେଳେ ରାଜ୍ୟର ତଥା ରାଜ୍ୟବାସୀଙ୍କ ସ୍ବାର୍ଥର କଥା କହିଛି । ଅଧିକାଂଶ ବିଜେଡି ନେତାଙ୍କ କହିବା କଥା ହେଉଛି, ଏଭଳି ନିଷ୍ପତ୍ତି କାଳେ ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଦଳର ବିବେକାନୁମୋଦିତ ନିଷ୍ପତ୍ତି । କିନ୍ତୁ ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ଉପରେ ବିଜେଡି ଯେଉଁ ଆଭିମୁଖ୍ୟ ଆପଣାଇଲା, ତାହା ବିବେକାନୁମୋଦିତ ଥିଲା ନା ଅନ୍ତରାତ୍ମା ଅନୁମୋଦିତ ଥିଲା ! ବୋଧହୁଏ ଓଡ଼ିଶା ରାଜନୀତିକୁ ତୃତୀୟ ନୟନରେ ଅନୁଶୀଳନ କରିପାରୁଥିବା ରାଜନୈତିକ ପଣ୍ଡିତମାନେ ହିଁ ଏହା ହେଜି ପାରିବେ ।…
  4. () ବିଜେଡିର ରାଜନୈତିକ ସତୀତ୍ବ, Naked Open ହୋଇଥିବା ବେଳେ, କଂଗ୍ରେସ ତାକୁ ଦେଇଛି, ରାଜ୍ୟର ବିଜେପି ନେତୃତ୍ବାଧୀନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ । କାରଣ- ରାଜ୍ୟରେ କାଳେ ବିଜେପି କ୍ଷମତାକୁ ଆସିବା ପରଠାରୁ ନାରୀ ନିର୍ଯାତନା ବଢ଼ିଛି ।…
  5. () କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଏଭଳି ଆହ୍ବାନକୁ ବିଜେଡି, ରାଜନୈତିକ ଶୈଳୀରେ ଗ୍ରହଣ କରିଛି । ବିଧାୟକ ଦଳ ବୈଠକରେ ଆଲୋଚନା କରି ନିଷ୍ପତ୍ତି ନେବ ବୋଲି କହିଛି । ହେଲେ କେବେ ବିଧାୟକ ଦଳ ବୈଠକ ବସିବ, କଂଗ୍ରେସର ଏଭଳି ଆହ୍ବାନ ଉପରେ କି ନିଷ୍ପତ୍ତି ନିଆଯିବ, କି ରଣନୀତି ପ୍ରସ୍ତୁତ କରାଯିବ… ସେସବୁ ନେଇ ବିଜେଡି ନେତାଏ ମୁହଁ ଖୋଲୁ ନାହାନ୍ତି । କିନ୍ତୁ ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗକୁ ଜଳାଇ ରଖିଛନ୍ତି ।…
  6. () ଏଭଳି ସ୍ଥିତିରେ, ବିଜେଡିକୁ ଭକ୍ତଙ୍କ ଅନାସ୍ଥା ଆହ୍ବାନ ଓ ସେଥିପାଇଁ ସମର୍ଥନର ପ୍ରତିଶ୍ରୁତି, ବିଜେଡିକୁ କାଠଗଡ଼ାରେ ଛିଡ଼ା କରାଇ ଦେଇଛି । ଯଦି, କଂଗ୍ରେସର ଆହ୍ବାନକୁ ବିଜେଡି ଗ୍ରହଣ କରେ, ତେବେ କେଉଁ ଆଧାରରେ ଏଭଳି ନିଷ୍ପତ୍ତି ହୋଇପାରେ ! ନିଜର ସଂଖ୍ୟା, 51କୁ 51 ବାନ୍ଧି ରଖିପାରିବ ତ ବିଜେଡି ! ଅନାସ୍ଥା ପ୍ରସ୍ତାବରେ ସମର୍ଥନ କରିବାକୁ ବିଜେଡିକୁ କଂଗ୍ରେସ ଠାରୁ ଶତ ପ୍ରତିଶତ ଗ୍ୟାରେଣ୍ଟି ନେବାକୁ ପଡ଼ିବ ।…
  7. () ମନେ କରନ୍ତୁ ସବୁ କିଛି ହୋଇଗଲା… ଅନାସ୍ଥା ପ୍ରସ୍ତାବ ଆସିଲା… ଭୋଟିଂ ବି ହେଲା… ସଂଖ୍ୟା ଯିବ କୁଆଡ଼େ ? ବିଧାନସଭାର ସଦସ୍ୟ ସଂଖ୍ୟା 147 ହୋଇଥିବା ବେଳେ ମ୍ୟାଜିକ ନମ୍ବର 74 । ଯେତେବେଳେ କି, ବିଜେପିର ଅଛନ୍ତି 78 ବିଧାୟକ । ବିଜେଡି ଓ କଂଗ୍ରେସର ମିଶାଇଲେ 65 ହେଉଛି । ଆଉ 9 ଆସିବେ କେଉଁଠୁ ! ବିଜେପିର କିଛି ବିଧାୟକ କ୍ରସ୍ ଭୋଟିଂ କରିବେ କି, ନା କରିପାରିବେ ! ଅତୀତରେ ବିଜେଡି ଓ କଂଗ୍ରେସରେ ଥିବା ନେତାମାନେ, ଯେଉଁମାନେ କି ଏବେ ବିଜେପି ଟିକେଟରେ ବିଧାୟକ ହୋଇଛନ୍ତି, ସେମାନେ କଣ ସେମାନଙ୍କ ପୂର୍ବ ଦଳର ନିଷ୍ପତ୍ତିକୁ ଅନ୍ତରାତ୍ମାରେ ଗ୍ରହଣ କରି, କ୍ରସ୍ ଭୋଟିଂ କରିବେ କି, ନା କରିପାରିବେ !
  8. () ରାଜନୀତିରେ, ବିଶେଷକରି କ୍ଷମତା ରାଜନୀତିରେ ଏଭଳି ପ୍ରଶ୍ନର ଉତ୍ତର ସବୁବେଳେ ଅସମାହିତ । ତଥାପି ବିଜେପି ନେତା ତଥା ମନ୍ତ୍ରୀ ସୁରେଶ ପୂଜାରୀ ଯାହା ଶୁଣାଇ ଦେଇଛନ୍ତି, ତାହା ହିଁ ବିରୋଧୀଙ୍କ ପାଇଁ ଯଥେଷ୍ଟ । ପୂଜାରୀ କହିଛନ୍ତି, ‘ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାର ଅଧିକାର, ବିରୋଧୀଙ୍କର ଅଛି । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଏଭଳି ପଦକ୍ଷେପ, ଓଡ଼ିଶାରେ ବିରୋଧୀଙ୍କୁ କ୍ଷତାକ୍ତ କରିବା ଥୟ’ ।…
  9. () ପିସିସି ସଭାପତି ଭକ୍ତ ଦାସଙ୍କ ମୁହଁରୁ, ରାଜ୍ୟର ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ମନ୍ତବ୍ୟ ବାହାରିବା ପରଠାରୁ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସମୂହ, ବେଶ ଉତ୍ସାହିତ ହୋଇ ଖବର ପ୍ରକାଶ ବା ପ୍ରସାରଣ କରୁଛନ୍ତି । ଆଗକୁ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ କାଳେ ବିଜେଡି, ଏନଡିଏକୁ ସମର୍ଥନ କରିବ ନାହିଁ ବୋଲି ବାଜା ବଜାଉଛନ୍ତି । ଯେତେବେଳେ କି 146 ସାଂସଦଙ୍କୁ ନିଲମ୍ବନ କରି କେନ୍ଦ୍ରର ବିଜେପି ନେତୃତ୍ବାଧୀନ ସରକାର 3 ଅପରାଧିକ ଆଇନ ବିଲ୍ ପାସ୍ କରାଇଲେ, ସେତେବେଳେ ବିଜେଡି କରିଛି ପୂର୍ଣ୍ଣ ସମର୍ଥନ । ଆଉ 2024 ନିର୍ବାଚନ ହାରିବା ପରେ, ୱାକଫ୍ ବୋର୍ଡ ସଂଶୋଧନ ବିଲକୁ ଦେଇଛି ବିବେକାନୁମୋଦିତ ସମର୍ଥନ । ତେଣୁ ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ, ବିଜେଡିର ଗୋଟେ ଅନ୍ତରାତ୍ମା ରହିଛି । ଯାହାକୁ ନପଚାରି ସେ ରାଜ୍ୟ କିମ୍ବା ରାଜ୍ୟବାସୀଙ୍କ ସ୍ବାର୍ଥ ବିରୋଧରେ ଯାଇପାରିବ ନାହିଁ ।…

Leave a Reply

Your email address will not be published. Required fields are marked *