ଆସନ୍ତାକାଲି ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍ ବାତିଲ, ରାଜଧାନୀର ସମୟ ବଦଳିବ, ଜାଣନ୍ତୁ ସବିଶେଷ ବିବରଣୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆସନ୍ତା କାଲି ଅର୍ଥାତ୍ ଅକ୍ଟୋବର ୧୭ ତାରିଖ ରବିବାରଦିନ ଭୁବନେଶ୍ଵରଠାରୁ ଛାଡ଼ିବାକୁ ଥିବା ସମ୍ପର୍କକ୍ରାନ୍ତି ବାତିଲ ରହିବ। ସେହିପରି ରାଜଧାନୀ ଏକ୍ସପ୍ରେସ୍ର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଜାରି ଏକ ସୂଚନା ବାର୍ତ୍ତାରେ ଏହା କୁହାଯାଇଛି।
ଗତକାଲି ତୁଣ୍ଡଲା-କାନପୁର ରେଳ ସେକ୍ସନରେ ଏକ ପଣ୍ୟବାହୀ ଟ୍ରେନ୍ ଲାଇନଚ୍ୟୁତ ହେଵା ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ଯାହାଫଳରେ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବାତିଲ ହୋଇଥିଲାବେଳେ କେତେକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିଥିଲା |
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୭, ରବିବାର ଦିନ ଭୁବନେଶ୍ୱରରୁ ଛାଡିବାକୁ ଥିବା 02819 ଭୁବନେଶ୍ୱର-ଆନନ୍ଦ ବିହାର ଓଡ଼ିଶା ସମ୍ପର୍କ କ୍ରାନ୍ତି ସ୍ପେଶାଲ ବାତିଲ ରହିବ | ଗତକାଲି ନୂଆଦିଲ୍ଲୀରୁ ସଂଯୋଗ କରୁଥିବା ଟ୍ରେନ ବାତିଲ ପାଇଁ ଏହି ବାତିଲ କରାଯାଇଅଛି |
ସେହିପରି 02825 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ରବିବାରଦିନ ଭୁବନେଶ୍ୱର ଠାରୁ ପୂର୍ବାହ୍ନ ୧୦ଘ.୩୫ମି. ପରିବର୍ତ୍ତେ ଅପରାହ୍ନ ୨ଟାର ଛାଡିବ |











