ଛି ଛି ଛିରେ #NaNi ଛି…

Bhubaneswar: ହଁ ଆଜ୍ଞା, କିଛିଦିନ ହେବ ମାର୍କେଟ ଘାଣ୍ଟୁଛି ଏହି ଗୀତ । କୋରପୁଟିଆ ଭାଷାର ଏହି ନନୀ ଶବ୍ଦର ଅନ୍ୟ କିଛି ଅର୍ଥ ଅଛି କି ! ହୁଏତ ଥାଇପାରେ, ତେବେ ତାର ସେନସ ଖୋଜିବା ଆମର କାମ ନୁହେଁ, କାରଣ ତାହା କେବଳ ମନୋରଞ୍ଜନ ଧର୍ମୀ । ହେଲେ, ଆମେ ଏଠି NaNi ବା ନାଇଡୁ ଓ ନୀତୀଶଙ୍କ କଥା କହୁଛୁ । ଦେଶ ରାଜନୀତିର କଥା କହୁଛୁ । ଦେଶର ସାମଗ୍ରୀକ ଓ ରାଜନୈତିକ ସ୍ବାର୍ଥର କଥା କହୁଛୁ । ସମ୍ବିଧାନ ଓ ଗଣତନ୍ତ୍ର ଏବଂ ସାମ୍ବିଧାନିକ ଓ ଗାଣତାନ୍ତ୍ରିକ ବିଧିବ୍ୟବସ୍ଥାର କଥା କହୁଛୁ ।

ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ୍. ଚନ୍ଦ୍ରବାବୁ ନାଇଡୁ । ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବର ପ୍ରଥମ ଏନଡିଏ ସରକାରରେ ବେଶ ଭଲ ଦବଦବା ରଖିଥିଲେ । ଏପରିକି ଏନଡିଏ ଅଧ୍ୟକ୍ଷ ଥିଲେ ସେ । ଏବେ ମୋଦିଙ୍କ ତୃତୀୟ ପାଳିର ଏନଡିଏ ସରକାରରେ ପ୍ରମୁଖ ସହଯୋଗୀ ଅଛି ନାଇଡୁଙ୍କ ଟିଡିପି । ସେହିଭଳି ବାଜପେୟୀଙ୍କ ନେତୃତ୍ବର ଏନଡିଏରେ ଅନ୍ୟତମ ପ୍ରମୁଖ ଅଂଶୀଦାର ଥିଲା ନୀତୀଶ କୁମାରଙ୍କ ଜେଡିୟୁ । ଆଉ ବର୍ତ୍ତମାନର ମୋଦିଙ୍କ ସରକାରରେ ମଧ୍ୟ । ଉଭୟ ନାଇଡୁଙ୍କ ଟିଡିପି ଓ ନୀତୀଶଙ୍କ ଜେଡିୟୁ ବର୍ତ୍ତମାନ ମୋଦି ସରକାର ପାଇଁ କେତେ ଜରୁରୀ, ତାହା ହୁଏତ ଏଠି ବ୍ୟାଖ୍ୟା କରିବାର ଆବଶ୍ୟକତା ନାହିଁ । କିନ୍ତୁ ବର୍ତ୍ତମାନର ସରକାରଙ୍କୁ ଅକ୍ସିଜେନ୍ ସପୋର୍ଟ ଦେଉଥିବା ଏହି ଦୁଇ ପ୍ରମୁଖ ଦଳ, ଖୁବ ଶୀଘ୍ର ହୁଏତ ନିଜ ପାଇଁ ଅକ୍ସିଜେନ୍ ଖୋଜିପାରନ୍ତି ।

ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ଏବଂ ସୀମା ପୁନଃ ନିର୍ଦ୍ଧାରଣ, ଏହି ଦୁଇଟି ପ୍ରସଙ୍ଗ ଏବେ ନାଇଡୁ ଓ ନୀତୀଶଙ୍କୁ ଦ୍ବନ୍ଦ୍ବରେ ରଖିଥିବା ବେଳେ ଦୁଇନେତାଙ୍କ ପାଇଁ ଅକ୍ସିଜେସ୍ ସର୍ଟେଜର ପରିସ୍ଥିତି ସୃଷ୍ଟି କରିପାରେ । କାରଣ ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ବିରୋଧରେ ନିକଟରେ ଦେଶର ସମସ୍ତ ମୁସଲିମ୍ ସଂଗଠନ, ପାର୍ଲାମେଣ୍ଟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାଇଡୁ ଓ ନୀତୀଶଙ୍କୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ । କାରଣ ଏହି ଦୁଇନେତାଙ୍କ ରାଜନୈତିକ ଆଧାର ମଜଭୁତ କରିବାରେ ମୁସଲିମ୍ ସଂପ୍ରଦାୟ ହୁଅନ୍ତୁ ବା ମୁସଲିମ୍ ଭୋଟରଙ୍କ ଅବଦାନ କେତେ ରହିଛି, ତାହା ସମସ୍ତଙ୍କୁ ଜଣା । ତେଣୁ ଏଭଳି ସ୍ଥିତିରେ ନିଜର ଭୋଟ ବ୍ୟାଙ୍କକୁ ପ୍ରଭାବିତ କଲା ଭଳି ନିଷ୍ପତ୍ତିକୁ ଏହି ଦୁଇ ଦଳ କିମ୍ବା ଏହି ଦୁଇ ଦଳର ମୁଖିଆ କେମିତି ଗ୍ରହଣ କରିବେ, ତାହା ହୁଏତ ଖୁବ ଶୀଘ୍ର ସ୍ପଷ୍ଟ ହୋଇଯାଇପାରେ ।
ୱାକଫ୍ ବୋର୍ଡ ସଂଶୋଧନ ବିଲ୍ କେବଳ ନାଇଡୁ କିମ୍ବା ନୀତୀଶଙ୍କ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବା ସମ୍ଭାବନା ରଖୁନି । ହନୁମାନ ଓରଫ ବର୍ତ୍ତମାନ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଏବଂ ଅଜିତ ପାୱାରଙ୍କ ଏନସିପିକୁ ମଧ୍ୟ ପ୍ରଭାବିତ କରିବା ସମ୍ଭାବନା ରଖୁଛି । ଯାହା ପ୍ରକାରାନ୍ତରେ ବର୍ତ୍ତମାନର ଏନଡିଏ ସରକାରକୁ ଯେ ପ୍ରଭାବିତ ନକରିବ, ବା ସେଭଳି କୌଣସି ସଙ୍କଟଜନକ ସ୍ଥିତି ସୃଷ୍ଟି ନକରିବ, ତାର ଗ୍ୟାରେଣ୍ଟି କିଏ ଦେବ !

ୱାକଫ୍ ବୋର୍ଡ ସଂଶୋଧନ ବିଲ୍, ଉଭୟ ନାଇଡୁ ଓ ନୀତୀଶଙ୍କ ପାଇଁ ଅଗ୍ନି ପରୀକ୍ଷା ନିଶ୍ଚୟ । କିନ୍ତୁ ସୀମା ପୁନଃ ନିର୍ଦ୍ଧାରଣ, ନାଇଡୁଙ୍କ ପାଇଁ ଆଉ ଏକ ଅଗ୍ନି ପରୀକ୍ଷା । ସୀମା ପୁନଃ ନିର୍ଦ୍ଧାରଣ ନୀତୀଶଙ୍କ ପାଇଁ ଟେନସନ୍ ହୋଇ ନପାରେ, କିନ୍ତୁ ନାଇଡୁଙ୍କ ପାଇଁ ବଡ଼ ଟେନସନ୍ । କାରଣ ଏହାକୁ ନେଇ ଏବେ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ପ୍ରକାର Tussle ଆରମ୍ଭ ହୋଇଯାଇଛି । କେନ୍ଦ୍ରର ଏହି ନିଷ୍ପତ୍ତି ବିରୋଧରେ ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ୍, ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଦକ୍ଷିଣର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଓଡ଼ିଶା, ପଞ୍ଜାବ ଓ ପଶ୍ଚିମବଙ୍ଗ ଭଳି କିଛି ଅଣହିନ୍ଦୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚେନ୍ନାଇ ବୈଠକକୁ ଆମନ୍ତ୍ରଣ କରିଛନ୍ତି ଷ୍ଟାଲିନ । ଯାହାଙ୍କ ମଧ୍ୟରେ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ନିଉତା ମିଳିଛି । ଚେନ୍ନାଇ ବୈଠକକୁ ନାଇଡୁ ଯିବେ କି ନାହିଁ, ତାହା କେବଳ ବୈଠକ ବେଳେ ହିଁ ସ୍ପଷ୍ଟ ହେବ । ପୁଣି ଯଦି ଯାଆନ୍ତି, ତାଙ୍କ ଆଭିମୁଖ୍ୟ କଣ ରହିବ, ପୁଣି ସେହି ଆଭିମୁଖ୍ୟକୁ ସେ କିଭଳି ଭାବେ ମୋଦି-ଶାହଙ୍କୁ ଆଗରେ ପରିପ୍ରକାଶ କରିବେ ତାହା ମଧ୍ୟ ଅପେକ୍ଷାର ବିଷୟ । ବାଜପେୟୀଙ୍କ ଅମଳରେ ୨୦୦୧ର ସୀମା ପୁନଃ ନିର୍ଦ୍ଧାରଣ ନିଷ୍ପତ୍ତିକୁ ସେତେବେଳେ ଟାଳି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନାଇଡୁ । କିନ୍ତୁ ଏବେ ସେ କଣ କରିବେ, ତାହା କେହି କହିପାରୁ ନାହାନ୍ତି କି ଜାଣିପାରୁ ନାହାନ୍ତି ।

ଜନସଂଖ୍ୟା ଆଧାରରେ ହେବ ସୀମା ପୁନଃ ନିର୍ଦ୍ଧାରଣ । ଏ ଦୃଷ୍ଟିରୁ ଦେଖିଲେ ନୀତୀଶ କୁମାରଙ୍କ ବିହାରର ଆସନ ସଂଖ୍ୟା ବଢ଼ିବା ସମ୍ଭାବନା ଅଧିକ ରହୁଛି । କିନ୍ତୁ ନାଇଡୁଙ୍କ ଆନ୍ଧ୍ରପ୍ରଦେଶର ସେଭଳି ସମ୍ଭାବନା କମ୍ । ହୁଏତ ଆନ୍ଧ୍ରପ୍ରଦେଶର ଲୋକସଭା ଆସନ ସଂଖ୍ୟା ସେହି ୨୫ ରହିପାରେ କିମ୍ବା ୩-୪ଟି କମିପାରେ । ଏଭଳି ନିଷ୍ପତ୍ତି ଓ ପରିସ୍ଥିତିକୁ ନାଇଡୁ କେମିତି ଗ୍ରହଣ କରିବେ ତାହା କେବଳ ସମୟ ଓ ପରିସ୍ଥିତି ହିଁ କହିବ । କିନ୍ତୁ ବାଜପେୟୀଙ୍କ ଅମଳରେ ଏନଡିଏରେ ବେଶ ଦବଦବା ରଖୁଥିବା ନାଇଡୁ, ଏବେର ମୋଦି ସରକାରରେ ସେହି ଦବଦବା ରଖୁଥିଲେ ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ମାତ୍ରାରେ ଦୁର୍ବଳ ଲାଗୁଛନ୍ତି । ସୀମା ପୁନଃ ନିର୍ଦ୍ଧାରଣ ନିଷ୍ପତ୍ତି ବିରୋଧରେ ଯେ ନାଇଡୁ ସେଭଳି କିଛି ବୋଲଡ ନିଷ୍ପତ୍ତି ନେବେ, ତାହା ବର୍ତ୍ତମାନର ପରିସ୍ଥିତିରେ ସେତେଟା ସହଜ ଅନୁଭବ ହେଉନି ।
କାହିଁକି ହେଉନି, ତାର କାରଣ ରହିଛି । ୨୦୧୯ ସାଧାରଣ ନିର୍ବାଚନ ବେଳେ ମୋଦି-ଶାହଙ୍କ ବିରୋଧରେ ଯଦି କେହି ଖୋଲାଖୋଲି ଯୁଦ୍ଧଂ ଦେହି ଡାକରା ଦେଇଥିଲେ, ସେ ଜଣକ ହେଉଛନ୍ତି ଚନ୍ଦ୍ରବାବୁ ନାଇଡୁ । ୨୦୧୯ରେ ଆନ୍ଧ୍ରରେ ଜଗନ ମୋହନ ରେଡିଙ୍କ ସରକାର ଗଠନ ହେବା ପରେ ଦୁର୍ନୀତି ଅଭିଯୋଗରେ ଜେଲ ଯାଇଥିଲେ ନାଇଡୁ । ନିର୍ବାଚନର କିଛି ମାସ ପୂର୍ବରୁ ସେ ଜେଲରୁ ବାହାରିଥିଲେ ଏବଂ ୨୦୨୪ରେ ମୋଦି-ଶାହଙ୍କ ବିଜେପି ସହ ମେଣ୍ଟ କରି ନିର୍ବାଚନ ଜିତିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନାଇଡୁଙ୍କ ଦୁର୍ନୀତିର ଫାଇଲ୍ ଏବେ ବି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଓ ଇଡି ପାଖରେ ଅଛି । ଯେ କୌଣସି ମୁହୁର୍ତ୍ତରେ ଏହି ଦୁଇ ତଦନ୍ତକାରୀ ସଂସ୍ଥା, ନାଇଡୁଙ୍କ ସେସବୁ ଫାଇଲ୍ ଖୋଲିପାରନ୍ତି । ଦରକାର ପଡ଼ିଲେ ତାଙ୍କ ପାଇଁ ପୁଣି ଥରେ ଜେଲ ଯିବାର ଅବସର ସୃଷ୍ଟି ହୋଇପାରେ । ତେଣୁ ଏଭଳି ସ୍ଥିତିରେ ସୀମା ପୁନଃ ନିର୍ଦ୍ଧାରଣ ନିଷ୍ପତ୍ତି ବିରୋଧରେ ଯେ ନାଇଡୁ କିଛି ବୋଲଡ ନିଷ୍ପତ୍ତି ନେବେ, ତାହା ବର୍ତ୍ତମାନ ପରିସ୍ଥିତିରେ ବିଶ୍ବାସ କରି ହେଉନି କି କହି ହେଉନି ।
୨୦୧୯ରେ ମୋଦି ବିରୋଧୀ ନାରା ଦେଇ ନିର୍ବାଚନ ପରେ ଜେଲ ଗଲେ ନାଇଡୁ । ନିର୍ବାଚନ ପୂର୍ବରୁ ଜାମିନ ପାଇ ନିର୍ବାଚନରେ ଜିତିଲେ, ନାଇଡୁ କ୍ଷମତାରେ ନଥିବା ବେଳେ କେନ୍ଦ୍ରର ମୋଦି-ଶାହଙ୍କ ପାଇଁ ଜଗନ ଥିଲେ ସବୁକିଛି । ଏବେ ଜଗନ ତୁଚ୍ଛ, ନାଇଡୁ ସବୁକିଛି । ଠିକ ଯେମିତି ଚିରାଗ ପାଶୱାନ ଓ ତାଙ୍କ ଦାଦା ପଶୁପତି ପାଶୱାନଙ୍କ ଏପିସୋଡ୍ ଭଳି । ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ସହ ଆଗକୁ ଆସୁଥିବା ବିହାର ବିଧାନସଭା ନିର୍ବାଚନ ମଧ୍ୟ ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କ ପାଇଁ ଆଉ ଏକ ଟେନସନ୍ । ବିଜେପି, ନୀତୀଶଙ୍କ ଜେଡିୟୁକୁ କେତେ ଆସନ ଦେବ, ନୀତୀଶଙ୍କୁ ଏନଡିଏର ମୁଖ୍ୟମନ୍ତ୍ରୀ ଚେହେରା କରିବ ନା ସିନ୍ଦେଙ୍କୁ ଠକ ପାଲିଙ୍କିରେ ବସାଇଲା ଭଳି ନୀତୀଶଙ୍କୁ ବସାଇ ଦେବ, ତାହା କେବଳ ସମୟ ଓ ପରିସ୍ଥିତି ହିଁ କହିବ । ଯଦି ବିହାର ନିର୍ବାଚନରେ ନୀତୀଶଙ୍କର କିମ୍ବା ତାଙ୍କ ଜେଡିୟୁର ସ୍ବାର୍ଥକୁ ବିଜେପି ଅଣଦେଖା କରେ, ତେବେ କଣ କରିବେ ନୀତୀଶ କୁମାର ? ଏନଡିଏରୁ ଜେଡିୟୁକୁ ଓହରାଇ ଆଣିପାରିବେ ତ ! ଏଭଳି ବୋଲଡ ନିଷ୍ପତ୍ତି ନେବାକୁ ବର୍ତ୍ତମାନର ପରିସ୍ଥିତିରେ ତାଙ୍କର ସତସାହସ ଅଛି ତ ! ତାଙ୍କ ଜେଡିୟୁ ତାଙ୍କ ହାତମୁଠାରେ ଅଛି ତ ! ନା, ସେଭଳି କିଛି ଲାଗୁନି । କାରଣ ନୀତୀଶ କୁମାର ଯେଉଁ ସଞ୍ଜୟ ଝା’ଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଇଛନ୍ତି, ସେ ହେଉଛନ୍ତି ଅମିତ ଶାହଙ୍କ ଅତି ଘନିଷ୍ଠ ଏବଂ ନାଗପୁର ସହ ତାଙ୍କର ଭଲ କନେକସନ୍ ମଧ୍ୟ ରହିଛି । ସେପଟେ କେନ୍ଦ୍ରରେ ମନ୍ତ୍ରୀ ଥିବା ଜେଡିୟୁର Most articulate figure ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହଙ୍କ Tone and tenor ଅନେକ ମାତ୍ରାରେ ବଦଳି ଯାଇଛି । ଏଭଳି ସ୍ଥିତିରେ ଏନଡିଏ କିମ୍ବା ବିଜେପି ବିରୋଧରେ ନିଷ୍ପତ୍ତି ନେବା ହୁଏତ ନୀତୀଶଙ୍କ ପାଇଁ ବହୁତ କାଠିକର ହୋଇପାରେ । ଦରକାର ପଡ଼ିଲେ ଏଲଜେପି, ଶିବସେନା ଓ ଏନସିପି ଭଳି ଜେଡିୟୁର ଦଶା ହୋଇପାରେ ।

#NaNi ବା ନାଇଡୁ ଏବଂ ନୀତୀଶଙ୍କ ନିଷ୍ପତ୍ତି ଉପରେ ଏବେ ଅନେକ କିଛି ନିର୍ଭର କରୁଛି । ଯାହାର ସବା ଉପରେ ରହିଛି ଦେଶର ରାଜନୈତିକ ଭବିଷ୍ୟତ । କିନ୍ତୁ ଦେଶର ସାମଗ୍ରୀକ ସ୍ବାର୍ଥ ରକ୍ଷା କରିବାକୁ ବର୍ତ୍ତମାନ ପରିସ୍ଥିତିରେ NaNi କଣ ସେଭଳି ବୋଲଡ ନିଷ୍ପତ୍ତି ନେଇପାରିବେ ! ନା #NaNi ନାଚାର ହୋଇ ପଡ଼ିଛନ୍ତି ! କୋରାପୁଟିଆ ନାନୀ ଭଳି ଏ NaNi ବା ନାଇଡୁ ଏବଂ ନୀତୀଶ ଯେଉଁ ନିଷ୍ପତ୍ତି ନେଇ ଯାଇଛନ୍ତି, ସେଥିରୁ ଫେରିପାରିବେ ତ ! କ୍ଷୀର ଥିଲେ ତ, ସର ପଡ଼ିବ କି କୋରୁଅ ବସିବ ନା ! …
Gen-X may not say good to Nani. May not also forgive for ever, rather history may hunt NaNi, for ever.

Leave a Reply

Your email address will not be published. Required fields are marked *