ରେଳ ଭବନର ୧୩ ତମ ମହଲାରେ ଅଗ୍ନିକାଣ୍ଡ, ୯ମୃତ
କୋଲକାତା, (ଓଡିଶା ଟାଇମ୍) :କୋଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ଆରପିଏଫ୍ କର୍ମଚାରୀ, ଜଣେ ଏଏସ୍ଆଇ ରହିଛନ୍ତି ।
ଖବର ଅନୁଯାୟୀ, ବହୁ ତଳ ବିଶିଷ୍ଟ କୋଠାର ୧୩ ତମ ମହଲାରେ ଲାଗିଥିଲା ନିଆଁ । ଅଗ୍ନିଶମ ବାହିନୀର ୧୭ଟି ଇଞ୍ଜିନ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । କୋଇଲାଘାଟ ବିଲ୍ଡିଂ ଭାବେ ପରିଚିତ ଏହି କୋଠା ହୁଗୁଳି ନଦୀ କୂଳରେ ଅବସ୍ଥିତ। ଏଠାରେ ଇଷ୍ଟର୍ଣ୍ଣ ରେଳବାଇର ଅଫିସ ଚାଲିଥିଲା। କିନ୍ତୁ ଗତ ରାତିରେ ବିଲଡିଂରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଳମ୍ବିତ ରାତିରେ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ସେହିପରି ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରତି ମୃତକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପା ରାଶି ଘୋଷଣା କରାଯାଇଛି । ଅଗ୍ନିକାଣ୍ଡରେ ୯ ଜଣଙ୍କ ଜୀବନ ଯାଇଥିବା ଅଗ୍ନି ସେବା ମନ୍ତ୍ରୀ ସୁଜିତ ବୋଷ ସ୍ପଷ୍ଟ କରିଛନ୍ତି । ଦମକଳ ବାହିନୀର ଏକାଧିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଲଡିଂରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ତେବେ ନିଆଁ କେମିତି ଲାଗିଲା ସେକଥା ଜଣାପଡ଼ିନାହିଁ।