ନୀଳଗିରି ବିଧାୟକଙ୍କ ଚିଠିକୁ ନେଇ ବିବାଦ ; ରଥ ନିର୍ମାଣ ବନ୍ଦ କଲେ ଜିଲାପାଳ
ନୀଳଗିରି, (ଓଡିଶା ଟାଇମ୍): ଚଳିତ ବର୍ଷ ଆଶା ଆଶଙ୍କାରେ ନୀଳଗିରି ରଥଯାତ୍ରା।ଗତବର୍ଷ ରଥ ନିର୍ମାଣ ହୋଇ କୋଭିଡ କଟକଣା ପାଇଁ ରଥଟଣା ହୋଇପାରିନଥିଲା। ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ ହୋଇନଥିବା ବେଳେ ରଥ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଗତବର୍ଷ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସରକାର ସ୍ପଷ୍ଟ କରିନାହାଁନ୍ତି ।
ପୁଣି ଲକ୍ଷାଧିକ ଟଙ୍କା ବ୍ୟୟ ହେବାର ଆଶଙ୍କା ଥିବାରୁ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ,୫ଟି ସଚିବ, ଆଇନ ବିଭାଗର ପ୍ରିନ୍ସପାଲ ସେକ୍ରେଟାରୀ,ଜିଲ୍ଲାପାଳଙ୍କୁ ବିନା ଅନୁମତିରେ କେମିତି ରଥ ନିର୍ମାଣ ହେଉଛି ପତ୍ର ଲେଖିଥିଲେ।ସରକାରୀ ଅର୍ଥ ବଞ୍ଚାଇବା ସହ ସଠିକ ପରାମର୍ଶ ଦେବାକୁ ମଧ୍ୟ କହିଥିଲେ।ହେଲେ ବିଧାୟକଙ୍କ ପତ୍ରକୁ ନେଇ ତମ୍ବି ତୋଫାନ ଉଠିଛି।
କିଛି ପୂଜକ ଓ ଅଞ୍ଚଳବାସୀ ଏହାକୁ ଧାର୍ମିକ ଭାବନା ନେଇ କୁଠାରଘାତ ବୋଲି କହିଥିଲେ।ବିଧାୟକ ପତ୍ର ଫେରସ୍ତ କରିବା ସହ ଭୁଲ ସ୍ୱୀକାର କରନ୍ତୁ ବୋଲି କହିଥିଲେ।ତେବେ ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସରକାରଙ୍କ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି।ଉପଜିଲ୍ଲାପାଳ ମଧ୍ୟ ତୁରନ୍ତ ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିବା ଜଣାପଡିଛି।ଓଡ଼ିଶାବାସୀଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ଙ୍କର ପବିତ୍ର ରଥଯାତ୍ରା କଟକଣା ଭିତରେ କରାଯିବାକୁ ସାଧାରଣରେ ଦାବି ହୋଇଛି।











