ନବରଙ୍ଗପୁର ଜିଲ୍ଲାରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ
ନବରଙ୍ଗପୁର, (ଓଡିଶା ଟାଇମ୍) :ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କଠୁ ନେଇ ସ୍ଥାନୀୟ ପ୍ରଶାସନ ସତର୍କ ହୋଇ ଉଠିଛନ୍ତି। ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଆସନ୍ତାକାଲିଠୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ଏନେଇ ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଘୋଷଣା କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।
ନାଇଟ୍ କର୍ଫ୍ୟୁ ସହ ଜିଲ୍ଲାପାଳ ଆଉ କିଛି କଟକଣା ଜାରି କରିଛନ୍ତି। ଘରୋଇ ଓ ସର୍ବସାଧାରଣ ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହେବା ମନା। ଜରୁରୀ ନଥିବା ସେମିନାର, ଓ୍ଵାର୍କସପ୍, କନଫରେନ୍ସ କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି। ଏପରିକି ଗହଳି ହେଉଥିବା ଧାର୍ମିକ କାର୍ଯ୍ୟକ୍ରମ ଓ ବାହାଘର ରିସେପସନ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏତିକି ନୁହେଁ ବାହାଘର ବରଯାତ୍ରୀ ଶୋଭାଯାତ୍ରା ଓ ଅପେରା ଉପରେ ରୋକ୍ ଲଗାଯାଇଛି।
ବିଜ୍ଞପ୍ତି ଅନୁଯାୟୀ ରାଜନୈତିକ ଶୋଭାଯାତ୍ରା, ଆନ୍ଦୋଳନ ଉପରେ ରୋକ୍ ଲଗାଯାଇଛି। ଗହଳି ସମ୍ଭାବନା ଥିବା କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶାନାମା ଜାରି ରହିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।











