ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା, ଆସନ୍ତା ୧୫ ପର୍ଯ୍ୟନ୍ତ ଗ୍ରହଣ କରାଯିବ ଦାବି ଓ ଆପତ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ଜାନୁଆରୀ ୧୫ରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ। ଏଥିପାଇଁ ନଭେମ୍ବର ୧୬ ତାରିଖରୁ ରାଜ୍ୟରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାରେ ଭୋଟରଙ୍କ ଦାବି ଓ ଆପତ୍ତି ଗ୍ରହଣ କରାଯାଉଥିବା ବେଳେ ଏହା ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ। ଭୋଟର ତାଲିକାରେ ନାମ ସଂଯୋଗ ନିମନ୍ତେ ଯେଉଁ ନାଗରିକଙ୍କ ବୟସ ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ୧୮ ବର୍ଷ ପୂରଣ ହେଉଥିବ ସେମାନେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବାକୁ ଯୋଗ୍ୟ ବିବେଚିତ ହେବେ।

ଆସନ୍ତା ୫ ଓ ୬ ତାରିଖରେ ସମସ୍ତ ବୁଥରେ ସ୍ବତନ୍ତ୍ର ଅଭିଯାନ ପାଇଁ ବ୍ୟବସ୍ଥା ହୋଇଛି। ବୁଥସ୍ତରୀୟ ଅଧିକାରୀମାନେ ସେଠାରେ ଭୋଟରଙ୍କୁ ସହାୟତା ଯୋଗାଇ ଦେବେ। ଆସନ୍ତା ୧୫ ତାରିଖ ପରେ ଯେଉଁ ଦାବି ଗ୍ରହଣ କରାଯାଇଥିବ ସେସବୁ ଜାନୁଆରୀ ୫ ତାରିଖ ସୁଦ୍ଧା ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ, ଗୋଟିଏ ବୁଥରୁ ଅନ୍ୟ ବୁଥକୁ ସ୍ଥାନାନ୍ତର ଆଦି ଅନଲାଇନ ମାଧ୍ୟମରେ କରାଯାଇପାରିବ।

ଯେଉଁ ବ୍ୟକ୍ତିଙ୍କର ଭୋଟର ତାଲିକାରେ ନାମ ନଥିବ, ଯେଉଁମାନେ ବିବାହ କିମ୍ବା ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ବଦଳି ହୋଇ ଆସିଥିବେ ସେମାନେ ଭୋଟର ତାଲିକାରେ ନାମ ଯୋଗ କରିପାରିବେ। ଏଥିପାଇଁ ଫର୍ମ ୬ରେ ଆବେଦନ କରିବାକୁ ହେବ। ସେହିପରି ତାଲିକାରୁ ନାମ ବାଦ ଦେବା ପାଇଁ ବୁଥସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇପାରିବ। ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ସହ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ଭୋଟର କିମ୍ବା ଜଣେ ଭୋଟରଙ୍କର ଦୁଇଟି ସ୍ଥାନରେ ନାମ ଥିଲେ ଫର୍ମ-୭ରେ ଆବେଦନ କରି ନାମ ବାଦ ଦିଆଯାଇପାରିବ।

ଭୋଟର ତାଲିକାରେ ନାମ, ଜନ୍ମ ତାରିଖ, ସମ୍ପର୍କ ସ୍ଥିତି ସଂଶୋଧନ କିମ୍ବା ଫଟୋ ପରିବର୍ତ୍ତନ ପାଇଁ ଫର୍ମ ୮ରେ ଆବେଦନ କରାଯାଇପାରିବ। ଭୋଟର ନିଜ ବୁଥର ବୁଥସ୍ତରୀୟ ଅଧିକାରୀ, ଅଞ୍ଚଳରେ ଥିବା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ଉପ ଜିଲାପାଳ, ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ତଥା ବିଡିଓ, କିମ୍ବା ତହସିଲଦାରଙ୍କ ସହ ଯୋଗାଯୋଗ କରିପାରିବେ ବୁଥସ୍ତରୀୟ ଅଧିକାରୀ ବା ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ ନିକଟରୁ ନିର୍ଦିଷ୍ଟ ଫର୍ମ ପାଇବା ପରେ ଭୋଟର ଏହାକୁ ସଠିକ ଭାବେ ପୂରଣ କରି ନିଜ ଫଟୋ ଓ ଜନ୍ମ ତାରିଖର ପ୍ରମାଣପତ୍ର ସହ ଆବେଦନ କରିପାରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।

Leave a Reply

Your email address will not be published. Required fields are marked *