ବ୍ୟବହାରକାରୀଙ୍କ ଅସନ୍ତୋଷ ପରେ ନରମିଲା ହ୍ୱାଟ୍ସଆପ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଲୋକପ୍ରିୟ ସୋଶିଆଲ୍ ମିଡିଆ ଆପ୍ ହ୍ୱାଟ୍ସ୍ ଆପ୍ର ନୂଆ ପଲିସିକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିଲା। ଲୋକଙ୍କ ବିରୋଧ ଦେଖି ଫେସ୍ବୁକ୍ର ମାଲିକାନାରେ ଥିବା ଏହି ଆପ୍ର ନୂଆ ପ୍ରାଇଭେସି ପଲିସିକୁ କମ୍ପାନୀ ତିନି ମାସ ପାଇଁ ସ୍ଥଗିତ ରଖିଛି । କମ୍ପାନୀ ଏ ନେଇ କହିଛି ଯେ ଏହି ପଲିସିକୁ ନେଇ ବ୍ୟବହାରକାରୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି ହୋଇଛି । ତେଣୁ ଏହି ତିନି ମାସ ମଧ୍ୟରେ ସେମାନେ ନୂଆ ପଲିସିକୁ ବୁଝିବା ସହିତ ଏହାର ସମୀକ୍ଷା କରିବାକୁ ଅଧିକ ସମୟ ପାଇବେ ।
ହ୍ୱାଟ୍ସ ଆପ୍ ପକ୍ଷରୁ ଆହୁରି କୁହାଯାଇଛି ଯେ ଲୋକଙ୍କ ମଧ୍ୟରେ ଭୁଲ୍ ପ୍ରଚାର କାରଣରୁ ପ୍ରାଇଭେସି ପଲିସିକୁ ଏବେ ଅପଡେଟ୍ କରାଯିବ ନାହିଁ । ଏହାକୁ ଆଧାରକରି କାହାର ଆକାଉଣ୍ଟକୁ ହଟାଇବାର ଯୋଜନା ମଧ୍ୟ କରାଯାଉ ନାହିଁ କି ଭବିଷ୍ୟତରେ ଏପରି ହେବ ନାହିଁ । ଫେବୃଆରୀ ୮ ତାରିଖକୁ କାହାକୁ ଆକାଉଣ୍ଟ ଡିଲେଟ୍ ବା ସସ୍ପେଣ୍ଡ କରିବାକୁ ପଡ଼ିବ ନାହିଁ । ହ୍ୱାଟ୍ସଆପ୍ର ଏହି ପଲିସି କିପରି କାମ କରେ ତା ବାବଦରେ ସୂଚନା ଦେବା ପାଇଁ କମ୍ପାନୀ ପ୍ରସ୍ତୁତି କରୁଛି । ୧୫ ମେ ରେ ନୂଆ ଅପଡେଟ୍ ଅପ୍ସନ ଉପଲବ୍ଧ ହେବା ପୂର୍ବରୁ କମ୍ପାନୀ ଲୋକଙ୍କ ଭ୍ରମ ଦୂର କରିପାରିବ ବୋଲି ହ୍ୱାଟ୍ସ ଆପ୍ ଏକ ବୟାନ ଜାରି କରି କହିଛି ।