ଏନଏମଏ ବାଇ ଲ’ ପ୍ରତ୍ୟାହାର, ଟ୍ୱିଟ୍ କରି ସୂଚନା ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ
ନୂଆଦିଲ୍ଲୀ , (ଓଡିଶା ଟାଇମ୍) : ଶେଷରେ ଶ୍ରୀମନ୍ଦିର ପାଇଁ ଏନଏମଏର ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହୋଇଛି । ପ୍ରତ୍ୟାହାର ନେଇ ଟ୍ୱିଟ୍ ଯୋଗେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ସୂଚନା ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ ବିଜେପି ସାଂସଦମାନେ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀଙ୍କୁ ଭେଟି ବାଇ-ଲକୁ ସ୍ଥଗିତ ରଖିବା ନେଇ ଦାବି କରିଥିଲେ। ଓଡ଼ିଶାବାସୀ ତଥା ହିନ୍ଦୁଙ୍କର ଧାର୍ମିକ ବିଶ୍ୱାସ ଓ ଭାବାବେଗକୁ ଦୃଷ୍ଟିରେ ରଖି ଜୀତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ଉପନିୟମ(ବାଏ-ଲ)କୁ ସ୍ଥଗିତ ରଖିବା ନେଇ ସାଂସଦମାନେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଥିଲେ । ତେବେ ଆଲୋଚନା ପରେ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ହେଲା ବୋଲି ଟ୍ୱିଟ୍ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ୍ ଜଣାଇଛନ୍ତି।
ସେହିପରି ବିଜେଡି ସାଂସଦମାନେ ମଧ୍ୟ ଭର୍ତ୍ତୃହରି ମହତାବଙ୍କ ନେଇୃତ୍ବରେ ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ମଧ୍ୟ ଏ ସଂପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି। ଶ୍ରୀ ଷଢଙ୍ଗୀ କହିଛନ୍ତି ସଂସ୍କୃତି ମନ୍ତ୍ରୀ ଏବଂ ନୂଆଦିଲ୍ଲୀସ୍ଥିତ ଏନଏମଏ ଅଧ୍ୟକ୍ଷଙ୍କ ଅଗୋଚରରେ ଏହି ବିଜ୍ଞପ୍ତି ପଠାଯାଇଥିଲା। ତେବେ ତୁରନ୍ତ ଏହାକୁ ପ୍ରତ୍ୟାହାର କରାଗଲା ବୋଲି ସଂସ୍କୃତି ମନ୍ତ୍ରୀ ଶ୍ରୀ ଷଢଙ୍ଗୀଙ୍କୁ କହିଛନ୍ତି।











