ନୂଆ ପରୀକ୍ଷା ନୀତିକୁ ସରକାରଙ୍କ ଅନୁମୋଦନ, କେମିତି ହେବ ଏବର୍ଷ +୨ ପରୀକ୍ଷା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଟାଇମ୍‌): ଏବର୍ଷ  +୨ ପରୀକ୍ଷା କେମିତି ହେବ ସେ ନେଇ ସରକାର ନୂଆ ମାର୍ଗଦର୍ଶିକାକୁ ଅନୁୂମତି ଦେଇଛନ୍ତି।  ଏହି ଅନୁସାରେ +୨ କାଉନ୍ସିଲ୍‌ ଅନୁବନ୍ଧିତ ସମସ୍ତ କଲେଜକୁ ଚଳିତ ବର୍ଷଠାରୁ ଏହି ପରୀକ୍ଷା ନିୟମାବଳି ପାଳନ ପାଇଁ ନିର୍ଦେଶ ଦେଇଛନ୍ତି।  ଏହି ନୂଆ ନିୟମ ଅନୁସାରେ  ଏବର୍ଷର ପାଠ୍ୟକ୍ରମ ନିୟମିତ ସିଲାବସ୍‌ଠାରୁ ୩୦ ପ୍ରତିଶତ କମ୍‌ ରହିବ। ପୁଣି ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ ପାଇଁ ଅଲଗା ଅଲଗା ଭାବେ ବାର୍ଷିକ ପରୀକ୍ଷା ହେବ। ପ୍ରଥମ ବର୍ଷର ସିଲାବସ୍‌ ଏବଂ ଦ୍ଵିତୀୟ ବର୍ଷର ସିଲାବସ୍‌ ର କୌଣସି ସମ୍ପର୍କ ରହିବ ନାହିଁ। ଅର୍ଥାତ୍‌ ପ୍ରଥମ ବର୍ଷର ପ୍ରଶ୍ନ ଦ୍ଵିତୀୟ ବର୍ଷ ପରୀକ୍ଷାରେ ପଡ଼ିବ ନାହିଁ।

ପୁଣି ଇଣ୍ଟରନାଲ୍‌ ପରୀକ୍ଷାଗୁଡ଼ିକ ସହ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା କାଲେଜ୍‌ ସ୍ତରରେ କରିବା ପାଇଁ ନିର୍ଦେଶ ଦିଆଯାଇଛି।  କଲେଜ ସ୍ତରରେ ହେଉଥିବା ସମସ୍ତ ପରୀକ୍ଷା ଫଳକୁ ଅନ୍‌ ଲାଇନ ଜରିଆରେ ସିଏଚ୍‌ଏସ୍‌ଇକୁ କଲେଜଗୁଡ଼ିକ ପଠାଇବେ।

ଏହି ଇଣ୍ଟରନାଲ୍‌ ପରୀକ୍ଷା ୨୦ ମାର୍କ ବିଶିଷ୍ଟ ହେବ। ଦୁଇ ବର୍ଷରେ ୬ଟି ଏଭଳି ପରୀକ୍ଷା ହେବ। ଏହି ପରୀକ୍ଷାର ସମୁଦାୟ ଅବଧି ୪୫ ମିନିଟ୍‌ ରହିବ।   ଏଥିରେ କେଉଁ ଢାଞ୍ଚାର ପ୍ରଶ୍ନ ଆସିବ ତାହା ମଧ୍ୟ ସ୍ଥିର ହୋଇଛି। ଅନୁମୋଦିତ ନୀତି ଅନୁସାରେ  ଏହି ଇଣ୍ଟରନାଲ୍‌ ପରୀରକ୍ଷାରେ  ୬ଟି ୧ ମାର୍କ ବିଶିଷ୍ଟ ପ୍ରଶ୍ନ ଅତି ସଂକ୍ଷିପ୍ତରେ ଆସିବ। ସେହିପରି ୨ ମାର୍କ ବିଶିଷ୍ଟ ସଂକ୍ଷିପ୍ତ ପ୍ରଶ୍ନ ୪ଟି ରହିବ। ଯେଉଁଥିରୁ ପରୀକ୍ଷାର୍ଥୀ ତିନିଟିର ଉତ୍ତର ଦେବେ। ୪ ମାର୍କ ବିଶିଷ୍ଟ ୩ଟି ପ୍ରଶ୍ନରୁ ୨ଟିର ଉତ୍ତର ରଖିବେ ପରୀକ୍ଷାର୍ଥୀ।

 ସରକାରଙ୍କଠାରୁ ଅନୁମୋଦନ ପାଇବା ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ  (+୨ କାଉନ୍ସିଲ) ଏହି ପଦ୍ଧତିରେ ପରୀକ୍ଷା କରାଇବାକୁ ମହାବିଦ୍ୟାଳୟ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଏହାସହ ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ କଲେଜ ସ୍ତରରେ ହେବ।

Leave a Reply

Your email address will not be published.