ନୂଆ ଶିକ୍ଷା ନୀତିରେ ସଶକ୍ତ ହେବ ଭାରତ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଦେଶବାସୀଙ୍କୁ ସମ୍ବୋଧିତ କରଛନ୍ତି । ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ କନକ୍ଲେଭରେ ଉଚ୍ଚ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଏହି କାର୍ଯ୍ୟକ୍ରମର ନାମ ‘କନକ୍ଲେଭ୍ ଅନ୍ ଟ୍ରାନ୍ସଫରମେସନାଲ୍ ରିଫମର୍ସ ଇନ୍ ହାୟର ଏଜୁକେସନ୍ ଅଣ୍ଟର ନ୍ୟାସନାଲ୍ ଏଜୁକେସନ୍ ପଲିସି’ ରହିଛି । ଏହି କନକ୍ଲେଭରେ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ମଧ୍ୟ ଉପସ୍ଥିତ ରହିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କ’ଣ କହିଛନ୍ତି, ଜାଣନ୍ତୁ…
ରାଷ୍ଟ୍ରୀୟ ଶିକ୍ଷା ନୀତି ପାଇଁ ଖାଲି ସର୍କୁଲାର ଜାରି କରିଦେଲେ ହେବ ନାହିଁ, ଏହାକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସମସ୍ତଙ୍କୁ ମନ ବଳାଇବାକୁ ପଡିବ ଏବଂ ଏଥିପାଇଁ ଲୋଡା ଦୃଢ ଇଚ୍ଛା ଶକ୍ତି । ଭାରତର ବର୍ତ୍ତମାନ ଓ ଭବିଷ୍ୟତକୁ ବନାଇବା ପାଇଁ ସମସ୍ତଙ୍କ ପାଇଁ ଏହି କାର୍ଯ୍ୟ ମହାଯଜ୍ଞ ସଦୃଶ୍ୟ ହେବ ।
ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପରିଚାଳନା କରିବା ଲାଗି ଆମ ସମସ୍ତଙ୍କୁ ଏକାସଙ୍ଗେ ସଙ୍କଳ୍ପବଦ୍ଧ ହୋଇକି କାର୍ଯ୍ୟ କରିବାକୁ ପଡିବ । ଏହିଠୁ ହିଁ ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲ, ଏଜୁକେସନ୍ ବୋର୍ଡ, ଭିନ୍ନ ଭିନ୍ନ ରାଜ୍ୟ ଓ ଭିନ୍ନ ଭିନ୍ନ ଷ୍ଟେକ୍ ହୋଲର୍ଡସ୍ ଙ୍କ ସହ ସମନ୍ୱୟ ବନାଇବାର ନୂଆ ସମୟ ଆରମ୍ଭ ହେବାକୁ ଯାଉଛି ।
ପିଲାଙ୍କୁ ଶିକ୍ଷା ଦାନ କରିବାରେ ଶିକ୍ଷକ ଓ ପ୍ରଫେସର ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯେଉଁଥିପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ‘ଡିଗନିଟି ଅଫ୍ ଟିଚର୍ସ’ ଉପରେ ବିଶେଷ ଧ୍ୟାନ ଦିଆଯିବ ।
୨୧ତମ ଶତାବ୍ଦୀର ଭାରତ ଠାରୁ ପୂରା ଦୁନିଆକୁ ବହୁତ କିଛି ଆଶା ରହିଛି । ଏବେ ସମୟ ଆସି ଯାଇଛି କ’ଣ ଭାବିବା ନୁହେଁ, କିପରି ଭାବିବା ଉପରେ ଫୋକସ୍ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନରେ କହିଛନ୍ତି ।
ଏହାବ୍ୟତିତ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ‘ଛାତ୍ରଙ୍କ ଶିକ୍ଷା’ ଏବଂ ‘ଡିଗନିଟି ଅଫ୍ ଲେବର’ ଉପରେ ଫୋକସ୍ କରାଯାଉଛି । ଯାହାଫଳରେ ଛାତ୍ରଛାତ୍ରୀ ମାନେ କୃଷକ ଓ ଶ୍ରମର ମହତ୍ୱ ବୁଝିବା ସହ ସେମାନଙ୍କର ସମ୍ମାନ କରିପାରିବେ ।