ବାହାଘରରେ ଏବେ ୨୫ ଲୋକ, ବ୍ରତଘର ଓ ଶୁଦ୍ଧକ୍ରିୟା ଆଦିରେ ସମୂହ ଭୋଜନ ମନା

ଭୁବନେଶ୍ବର, (ଓଡିଶା ଟାଇମ୍):ରାଜ୍ୟରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଛି। ସଂକ୍ରମଣ ରୋକିବାକୁ ଅନେକ ରାଜ୍ୟରେ କଟକଣା କଡାକଡି କରାଯାଇଛି। ରାଜ୍ୟ ସରକାର ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ମେ ୧୯ ତାରିଖ ସକାଳ ୭ଟାରେ ଲକଡାଉନ୍ କଟକଣା ସରିଥାନ୍ତା । କିନ୍ତୁ ଏହାକୁ ଜୁନ ୧ ଯାଏଁ ବୃଦ୍ଧି କରାଯାଇଥି ।ଏହାସହ ପୂର୍ବ ଗାଇଡଲାଇନରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି ।

ଓଡିଶାରେ ଏବେ ବାହାଘର ସମାରୋହରେ ବର୍ତ୍ତମାନ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ଏହା ପୂର୍ବରୁ ବାହାଘର ସମାରୋହରେ ୫୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଥିଲା। ସାମୁହିକ ଭୋଜି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।

ସୂଚନାନୁସାରେ, କରୋନା ସଂକ୍ରମଣ ବଢୁଥିବାରୁ ସରକାର ମେ ୫ରୁ ମେ ୧୯ ତାରିଖ ସକାଳ ଯାଏଁ ଲକଡାଉନ୍ ଲାଗୁ କରିଥିଲେ । ସଂକ୍ରମଣ ଚେନ୍‌ରେ ବ୍ରେକ ଦେବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ଏହି ସମୟରେ କଡାକଡି ଚେକିଂ ହୋଇଥିଲା । ଦୋକାନ, ବଜାର, ସପିଂ ମଲ ଆଦି ବନ୍ଦ ରହିଥିଲା । କେବଳ ସକାଳ ୬ରୁ ଦିନ ୧୨ଟା ଯାଏଁ ପନିପରିବା ଓ ରାସନ ସାମଗ୍ରୀ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ରହିଥିଲା । ତେବେ କଟକଣାରୁ ଜରୁରୀକାଳିନ ସେବା ଓ ସେବା ଯୋଗାଉଥିବା କର୍ମଚାରୀଙ୍କୁ ବାଦ୍ ଦିଆଯାଇଥିଲା । ଏବେ କିନ୍ତୁ ନୂଆ ଗାଇଡଲାଇନ୍ ଅନୁସାରେ ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ପନିପରିବା ଓ ଅନ୍ୟ ରାସନ ସାମଗ୍ରୀ କିଣିବାକୁ ଲୋକମାନେ ବାହାରକୁ ଯାଇପାରିବେ ।

କିନ୍ତୁ ଏହା ସତ୍ତ୍ୱେ ସଂକ୍ରମଣ କମୁନଥିବା ନଜର ଆସିଛି । ଏବେବି ୧୦ ହଜାର ଉପରେ ଦୈନିକ ସଂକ୍ରମଣ ସାମ୍ନାକୁ ଆସୁଛି । ଆହୁରି ମଧ୍ୟ ଅମାନିଆ ଚେତୁନାହାଁନ୍ତି । ଏସବୁକୁ ନଜରରେ ରଖି ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ନୂଆ ନିଷ୍ପତ୍ତି ଅନୁସାରେ ଆଉ ୧୩ ଦିନ ବଡିଛି ଲକଡାଉନ୍ । ଏହାକୁ ଜୁନ ୧ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *