ନେପାଳର ନୂତନ ମାନଚିତ୍ରକୁ ବିରୋଧ କରି ଦଳରୁ ବହିଷ୍କୃତ ହେଲେ ସାଂସଦ
କାଠମାଣ୍ଡୁ, (ଓଡିଶା ଟାଇମ୍) :ଭାରତ ସପକ୍ଷରେ ମୁହଁ ଖୋଲିଥିବା ନେପାଳି ସାଂସଦ ସରିତା ଗିରିଙ୍କୁ ନେପାଳର ଜନତା ସମାଜବାଦୀ ପାର୍ଟି(JSP) ଦଳରୁ ବହିଷ୍କାର କରିଛି। ଏହା ସହିତ ସରିତା ଗିରିଙ୍କୁ ସଂସଦ ସଦସ୍ୟତା ମଧ୍ୟ ହରାଇବାକୁ ପଡିଛି। ମାନଚିତ୍ର ବିବାଦରେ ସରିତା ଗିରି ଆରମ୍ଭରୁ ହିଁ ନେପାଳ ସରକାରଙ୍କ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେଇ ଆସୁଥିଲେ।
ଉଲ୍ଲେଖଯୋଗ୍ୟ, ନିକଟରେ ମାନଚିତ୍ର ସମ୍ବନ୍ଧିତ ସମ୍ବିଧାନ ସଂସୋଧନକୁ ସରିତା ଗିରି ଖୋଲାଖୋଲି ବିରୋଧ କରିଥିଲେ। ସରକାର ଦ୍ଵାରା ନୂତନ ମାନଚିତ୍ରକୁ ସମ୍ବିଧାନର ମାନ୍ୟତା ଦେବା ପାଇଁ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଉପରେ ନିଜର ଅଲଗା ସଂଶୋଧନ ପ୍ରସ୍ତାବ ଦେଇ ସାଂସଦ ସରିତା ଗିରି ଏହାକୁ ଖାରଜ କରିଥିଲେ। ସରିତା ପାର୍ଟି ହ୍ଵିପ୍ର ଉଲ୍ଲଂଘନ କରି ସଂସଦରେ ମାନଚିତ୍ର ବିଧେୟକକୁ ଗୃହୀତ କରାଇବା ନେଇ ବିରୋଧ କରିଥିଲେ। ତାଙ୍କର ଏତାଦୃଶ୍ୟ ଦେଖି ତାଙ୍କୁ ପାର୍ଟିର ଜେନେରାଲ ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ପାର୍ଟି ନେତା ମହମ୍ମଦ ଇସ୍ତିୟାକ ରାୟ ଏହାର ସୂଚନା ଦେଇଛନ୍ତି। ଭାରତ ସହିତ ସୀମା ବିବାଦ ପରେ ନେପାଳ ନୂତନ ମାନଚିତ୍ର ଜାରି କରିଥିଲା।
ଗୃହରେ ଆଲୋଚନା ସମୟରେ ଜେଏସପିର ତିନି ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ ଗଠନ କରି ଗିରିଙ୍କ ଏହି ପଦକ୍ଷେପର ଯାଞ୍ଚ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି କମିଟି ନିଜ ରିପୋର୍ଟରେ ଗୃହର ସଦସ୍ୟତା ଓ ପାର୍ଟିରୁ ହଟାଇବାକୁ ସୁପାରିଶ କରିଥିଲା। ଯେବେ ଗିରି ଗୃହରେ ଅଲଗା ପ୍ରସ୍ତାବ ଦେଇଥିଲେ, ତେବେ ପାର୍ଟି କହିଥିଲା ଯେ, ସରିତା ଗିରି ନିଜର ସଂଶୋଧନ ପ୍ରତ୍ୟାହାର କରନ୍ତୁ ନଚେତ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। କିନ୍ତୁ ସରିତା ଗିରି ନିଜର ଆଭିମୁଖ୍ୟରେ ଦୃଢ ରହି ନେପାଳର ନୂତନ ମାନଚିତ୍ରକୁ ବିରୋଧ କରି ଆସିଥିଲେ।