ଛତିଶଗଡ ନାରାୟଣପୁର ଜିଲ୍ଲାରେ ନକ୍ସଲ-ଆଇଟିବିପି ମୁହାଁମୁହିଁ
ଆମାଦଇ ,(ଓଡିଶା ଟାଇମ୍): ଛତିଶଗଡ ନାରାୟଣପୁର ଜିଲ୍ଲା ଆମାଦଇ ଓ ଶିବମନ୍ଦିର ମଧ୍ୟବର୍ତ୍ତି ଅଞ୍ଚଳରେ ମଙ୍ଗଳବାର ଆଇଟିବିପି ଜବାନଙ୍କ ସହ ନକ୍ସଲ ମୁହାଁମୁହିଁ ହୋଇଥିବା ଜଣାପଡିଛି। ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଜାରି ଥିବା ବେଳେ ଜଣେ ଆଇଟିବିପି ଜବାନ ଶହୀଦ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନରେ ଅନ୍ୟ ଜଣେ ଜବାନ ଗୁରୁତର ଆହତ ହୋଇଥିବା ସୂଚନା ଆସୁଛି।
ନାରାୟଣପୁର ବିଧାୟକ ଚନ୍ଦନ କାଶ୍ୟପଙ୍କ ଗସ୍ତଲାଗି ଆଇଟିବିପି ଜବାନମାନେ ମୁତୟନ ଥିବା ବେଳେ ନକ୍ସଲ ଆତର୍କିତ ଆକ୍ରମଣ କରିଛନ୍ତି। ନିକଟରେ ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷା ବଳ ନକ୍ସଲ କମାଣ୍ଡର ସନ୍ତୋଷ ମଡକାମକୁ ଏକ ଏନକାଉଣ୍ଟରରେ ହତ୍ୟା କରିଥିଲେ। ସନ୍ତୋଷ ଉପରେ ପୋଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା। ଏହି ଘଟଣା ପରଠାରୁ ଛତିଶଗଡରେ ନକ୍ସଲ ଲଗାତାର ସୁରକ୍ଷା ବଳଙ୍କୁ ଟାର୍ଗେଟ କରିଆସୁଛନ୍ତି। ଏହା ପୂର୍ବରୁ ଗତ ଜୁନ ୨୦ ତାରିଖରେ ସୁରକ୍ଷା ବଳ ନାରାୟଣପୁରରେ ୨ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲେ। ନକ୍ସଲ ଲୁଚିଥିବାର ସୂଚନା ପାଇ ଡିଆରଜି ଜବାନମାନଙ୍କ କାର୍ଯ୍ୟାନୁଷ୍ଠାନ କାଳରେ ୨ ଜଣ ନକ୍ସଲ ପ୍ରାଣ ହରାଇଥିଲେ। ତେବେ ମଙ୍ଗଳବାର ବିଧାୟକଙ୍କ ଗସ୍ତକାଳରେ ସୁରକ୍ଷାଗତ କାରଣରୁ ଆଇଟିବିପି ଜବାନମାନେ ରାସ୍ତାରୁ ଲୋକଙ୍କୁ ହଟାଇ କ୍ଲିୟର କରୁଥିବା ବେଳେ ଅଚାନକ ନକ୍ସଲ ଆକ୍ରମଣ କରିଦେଇଥିଲେ। ଘଟଣା ସ୍ଥଳରେ ଏବେବି ଗୁଳିବିନିମୟ ଜାରି ରହିଛି।











