ବାତ୍ୟା ଗୁଲାବ ଦେଇପାରେ ଧୋକା, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ୪ଟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର, ସୋମବାର ବନ୍ଦ ରହିବ ସ୍କୁଲ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ସାମୁଦ୍ରିକ ବାତ୍ୟା ଗୁଲାବ୍ ଦକ୍ଷିଣ ଓଡ଼ିଶାକୁ ଧୋକା ଦେଇପାରେ। ଏଣୁ ପୂଣ୍ଣ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଯେମିତି କୌଣସି ବି ଜୀବନ ବାତ୍ୟା ଯୋଗୁ ନଯାଏ ସେଥିଲାଗି ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଅପରାହ୍ଣ ୪ଟା ସୁଦ୍ଧା ବିପଦ ସଙ୍କୁଳ ସ୍ଥାନରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବାକୁ ସେ ନିର୍ଦେଶ ଦେଇଥିବା ଏସ୍ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।
ଏହାଛଡ଼ା କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ମଧ୍ୟ ବାତ୍ୟା ଆଶ୍ରୟସ୍ଥଳୀରେ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏଣୁ ମାସ୍କ ବଣ୍ଟନ ସହ ବାତ୍ୟା ପରେ ସେମାନଙ୍କ ଉପରେ ନଜର ରଖିବ ପ୍ରଶାସନ।
ଆସନ୍ତା କାଲି ଅର୍ଥାତ୍ ସୋମବାରଦିନ ପ୍ରଭାବିତ ୧୧ଟି ଜିଲ୍ଲାରେ ସ୍କୁଲ୍ କଲେଜ୍ ବନ୍ଦ ରହିବ। ପରେ ଆବଶ୍ୟକ ସମୀକ୍ଷା କରାଯାଇ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ନେବେ।
ଆଜି ସାଢ଼େ ଏଗାରଟା ସମୟେରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ସମ୍ଭାବ୍ୟା ବାତ୍ୟା ବାବଦରେ ସମୀକ୍ଷା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଏସ୍ଆରସି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହୋଇଥିଲା।
ଯୂୁଦ୍ଧକାଳୀନ ଭିତ୍ତିରେ ଯେପତି ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇପାରିବ ସେଥିଲାଗି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ।
ଆଜି ସନ୍ଧ୍ୟାଠୁ ଆସନ୍ତା କାଲି ସକାଳ ୯ଟା ଯାଏ ଲୋକେ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ଏସ୍ଆର୍ସି। ପବନ ସମୟରେ ବିପଦ ସଙ୍କୁଳ ସ୍ଥାନରେ ନରହି ତୁରନ୍ତ କୌଣସି କୋଠା ସ୍ଥାନରେ ରହିବାକୁ ସେ କହିଛନ୍ତି।
ବାତ୍ୟା ଗୁଲାବ୍: ଅପଡେଟ୍ ହେଲା ଏସ୍ଆର୍ସିଙ୍କ ଓ୍ବେବ୍ସାଇଟ୍, ମିଳିଲା ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ସୂଚନା