ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ: ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକ ଡାଉନ ରହିଥିଲା । ଲକଡାଉନ ସମୟରେ ଲୋକପ୍ରିୟତା ନେଇ ସି-ଭୋଟର ଓ ଆଇଏଏନଏସ ପକ୍ଷରୁ ଏକ ସର୍ଭେ ହୋଇଥିଲା । ସର୍ଭେ ରିପୋର୍ଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନରେ ରହିଛନ୍ତି । ସର୍ଭେ ଅନୁସାରେ ୮୨.୯୬ ପ୍ରତିଶତ ଲୋକ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଛନ୍ତି ।
ଷ୍ଟେଟ୍ ଅଫ୍ ନେସନ୍: ମେ’ ୨୦୨୦ ନାମରେ କରାଯାଇଥିବା ଏହି ସର୍ଭେର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ସଭା ଉପରେ ଥିବା ବେଳେ ତାଙ୍କ ତଳେ ଅଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ଭାଗେଲ । ଏହି ତାଲିକାରେ ବିଜେପିର ଦୁଇ ଜଣ ମୁଖ୍ୟମନ୍ତ୍ରୀ ଥିବା ବେଳେ କଂଗ୍ରେସର ଜଣେ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬ ନମ୍ବରରେ ଅଛନ୍ତି । ତାଙ୍କୁ ୭୪ ପ୍ରତିଶତ ମତ ମିଳିଛି । କମ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ, ହରିୟାଣାର ମନୋହର ଖଟ୍ଟର ଓ ପଞ୍ଜାବର ଅମରିନ୍ଦର ସିଂହ ରହିଛନ୍ତି ।
ମୋଦିଙ୍କ ଲୋକପ୍ରିୟତା ବଜାୟ
ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବେ ମଧ୍ୟ ବଜାୟ ରହିଛି । ମୋଦିଙ୍କୁ ୬୫.୬୯ ପ୍ରତିଶତ ଜନସମର୍ଥନ ମିଳିଛି । ଓଡ଼ିଶା ମୋଦିଙ୍କୁ ୯୫ ପ୍ରତିଶତ ରେଟିଂ ଦେଇଥିବା ବେଳେ ହିମାଚଳ ପ୍ରଦେଶ ୯୩.୯୫ ଓ ଛତିଶଗଡର ୯୨.୭୩ ପ୍ରତିଶତ ମୋଦିଙ୍କୁ ସମର୍ଥନ କରନ୍ତି ।