କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ନେଇ ଚିନ୍ତା, ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମିତ ଦିନକୁ ଦିନ ବଢୁଛି । ସଂକ୍ରମିତଙ୍କ ମଧ୍ୟରେ କୋଭିଡ୍ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ଆଜି ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବେ ।
ନୟାଗଡ଼,କଟକ, ବାଲେଶ୍ବର, ରାଉରକେଲାା ପରେ ଭୁବନେଶ୍ବର ଏମ୍ସର ୪ ଜଣ ଡାକ୍ତର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ଯୋଦ୍ଧାଙ୍କ ମନୋବଳ ବଢ଼ାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟକର୍ମୀଙ୍କ ସହିତ ଆଲୋଚନା କରିବେ ।
ବିଶେଷକରି କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା, କେସ୍ ଟ୍ରେସିଂ ଆଦି କାର୍ଯ୍ୟରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ କିଭଳି ଭାବେ ସୁରକ୍ଷିତ ରହିବେ । ସେମାନଙ୍କୁ ସୁରକ୍ଷିତ ରଖିବାକୁ କ’ଣ ପଦକ୍ଷେପ ନିଆଯାଇ ପାରିବ ସେନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।
ଏହି କର୍ମଶାଳାରେ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ମେଡିକାଲ କଲେଜ କର୍ମଚାରୀ ଓ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ବରିଷ୍ଠ କର୍ମଚାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।