ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ: ୨୦୦ କୋଟିର ପ୍ରକଳ୍ପ ଉଦ୍ଘାଟିତ, ୬୦୦ କୋଟିର ନୂଆ ପ୍ରକଳ୍ପ ପାଇଁ ଭିତ୍ତିଭୂମି
ଭୁବନେଶ୍ଵର, (ଓଟି): ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯାଜନାରେ ଉପଭୋକ୍ତାଙ୍କୁ ନୂଆ ସ୍ମାର୍ଟକାର୍ଡ଼ ପ୍ରଦାନ ପାଇଁ ବୁଧବାର ବଲାଙ୍ଗୀର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଟିଟିଲାଗଡ଼, ପାଟଣାଗଡ ଓ ବଲାଙ୍ଗୀର ଟାଉନରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୭ଜଣ ମହିଳାଙ୍କୁ ଏହି ସ୍ମାର୍ଟକାର୍ଡ଼ ପ୍ରଦାନ କରି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆସନ୍ତା ଦିନ ମାନଙ୍କରେ ଜିଲ୍ଲାର ଯୋଗ୍ୟ ବିବେଚିତ ସମସ୍ତ ସାଢ଼େ ଚାରିଲକ୍ଷ ପରିବାରକୁ ପର୍ଯ୍ୟାୟକ୍ରମରେ ସ୍ମାର୍ଟ କାର୍ଡ଼ ପ୍ରଦାନ କରାଯିବ ବୋଲି ସେ କହିଥିଲେ।
ସ୍ମାର୍ଟ ହେଲ୍ଥ କାର୍ଡ ବ୍ୟବସ୍ଥା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ । ଏଭଳି ବ୍ୟବସ୍ଥା କରିବାରେ ଓଡିଶା ସାରା ଦେଶର ଏକମାତ୍ର ରାଜ୍ୟ । ସାରା ଓଡିଶାରେ ୯୬ ଲକ୍ଷ ପରିବାର ଏହି ସୁବିଧାମ ପାଉଛନ୍ତି ବୋଲି ସେ କହିଛନ୍ତି।
ଏହି କାର୍ଡ ପାଖରେ ରହିଲେ, ଚିକିତ୍ସା ପାଇଁ କୌଣସି ଡକ୍ୟୁମେଣ୍ଟ ଦରକାର ନାହିଁ । କେବଳ କାର୍ଡଟିକୁ ନେଇ ଲୋକମାନେ ଦେଶର ୨୦୦ ବଡ ବଡ ହସପିଟାଲରେ ବିନା ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ପାଇପାରିବେ । ପରିବାର ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିପାରିବ- ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ।
ଟଙ୍କା ପାଇଁ କେହି ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନ ହୁଅନ୍ତୁ, ଏହା ହିଁ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ସେ କହିଥିଲେ । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମସ୍ତେ ସୁସ୍ଥରେ ରହିଲେ ହିଁ ରାଜ୍ୟର ପ୍ରଗତି ହୋଇପାରିବ।
ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ପାଟଣାଗଡରେ ମୁଖ୍ୟମନ୍ତ୍ରୀ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ରଖିଥିଲେ ।
ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ ଗସ୍ତ କରି ସେଠାରେ ଅନେକ ନୂଆ ପ୍ରକଳ୍ପ ଆରମ୍ଭ କରିଥିଲେ । ଟିଟିଲାଗଡ-ସଇଁତଳା ବ୍ଲକ୍ରେ ସଂପୂର୍ଣ୍ଣ ହୋଇଥିବା ପାଇପ ପାଣି ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ଟିଟିଲାଗଡ ଟାଉନ୍କୁ ସବୁ ଘରକୁ ପାଇପ ପାଣି ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ ।
ପାଟଣାଗଡରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପ ମଧ୍ୟରେ ପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହରିଶଙ୍କର ପୀଠ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ତୀର୍ଥକ୍ଷେତ୍ର ହେବା ସହିତ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ । ଏଠାକୁ ଆସୁଥିବା ଭକ୍ତମାନଙ୍କୁ ଏକ ସୁନ୍ଦର, ଆଧ୍ୟାତ୍ମିକ ଅନୁଭୂତି ଦେବା ପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ପୀଠର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ଏ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ପ୍ରଚାର ପ୍ରସାର ବୃଦ୍ଧି ହେବ ବୋଲି ସେ କହିଥିଲେ ।
ଶେଷରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ସହର ଗସ୍ତ କରି ସେଠାରେ ମଧ୍ୟ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିକ୍ଷା ଓ ସ୍ବାସ୍ଥ୍ୟ ହେଉଛି ଆମ ସବୁ ବିକାଶର ମୂଳଦୂଆ । ସେଥିପାଇଁ ୫-ଟି କାର୍ଯ୍ୟକ୍ରମରେ ଏହି ଦୁଇଟି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଆରୋପ କରୁଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ସହିତ ସବୁ ସରକାରୀ ହସ୍ପିଟାଲରେ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି। ୫-ଟିରେ ରାଜ୍ୟର ସ୍କୁଲ ଗୁଡିକର ରୂପାନ୍ତର କରାଯାଉଛି ଓ ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ସ୍କୁଲର ରୂପାନ୍ତର କରାଯାଉଛି ବୋଲି ସେ କହିଥିଲେ।
ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସନ୍ଥ ଭୀମଭୋଇ ମେଡିକାଲ କଲେଜ ପରେ ଏହା ହେଉଛି ଜିଲ୍ଲାର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ । ଏହାକୁ ଏକ ଆଦର୍ଶ ବିଶ୍ବବିଦ୍ୟାଳୟ ରୂପେ ଗଢିତୋଳିବା ପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ନିରଞ୍ଚନ ପୂଜାରୀ, ପଦ୍ମନାଭ ବେହେରା, ସୁଶାନ୍ତ ସିଂ, ନବ ଦାସ,
ଟୁକୁନି ସାହୁ, ଦିବ୍ୟଶଙ୍କର ମିଶ୍ର, ସାଂସଦ ସଙ୍ଗୀତା ସିହଦେଓ, ବିଧାୟକ ନରସିଂହ ମିଶ୍ର, ସରୋଜ ମେହେର, ସନ୍ତୋଷ ସିଂ ସାଲୁଜା, ମୁକେଶ ମହାଲିଙ୍ଗ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ।