ମନ୍ କି ବାତ୍ : ଓଡିଶାକୁ ପ୍ରଶଂସା କଲେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୫ତମ ‘ମନ କି ବାତ୍’ ରେଡିଓ କାର୍ୟ୍ୟକ୍ରମରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖୁ ପ୍ରଧାନମନ୍ତ୍ରୀ ନିଜ ମନ କଥା ଦେଶବାସୀଙ୍କ ସାମ୍ନାରେ ରଖୁଛନ୍ତି । ସେ କହିଛନ୍ତି , ଗତ ଥର ‘ ମନ କି ବାତ୍ ‘ କାର୍ୟ୍ୟକ୍ରମ ବେଳେ ପାସେଞ୍ଜର ଟ୍ରେନ୍ , ବସ , ବିମାନ ଚଳାଚଳ ସେବାଗୁଡ଼ିକ ବନ୍ଦ ଥିଲା । ଏଥର ଅନେକ କିଛି ସେବା ଆରମ୍ଭ ହୋଇଯାଇଛି । ସମ୍ପୂର୍ଣ୍ଣ ସତର୍କତାର ସହ ବିମାନ ଚଳାଚଳ ଆରମ୍ଭ ହୋଇଛି , ଧୀରେ ଧୀରେ ଉଦ୍ୟୋଗଗୁଡ଼ିକ ମଧ୍ୟ ଖୋଲା ଯାଉଛି । ଅର୍ଥାତ୍ ଅର୍ଥ ବ୍ୟବସ୍ଥାରେ ଏକ ବଡ଼ ଅଂଶ । ଏବେ ଆରମ୍ଭ ହୋଇଯାଇଛି । ଏଭଳି ସମୟରେ ଆମକୁ ଆହୁରି ସତର୍କ ରହିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି , ଆମ ଦେଶରେ ସାମୁହିକ ପ୍ରୟାସରେ କରୋନା ବିରୁଦ୍ଧରେ ଲଢ଼େଇ ଖୁବ୍ ଜୋରଦାର୍ ଚାଲିଛି । ଆମର ଜନସଂଖ୍ୟା ଅଧୁକାଶ ଦେଶ ତୁଳନାରେ ଖୁବ୍ ଅଧୁକ । ତଥାପି ଏଠାରେ ଅନ୍ୟ ଦେଶ ତୁଳନାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ସଫଳ ହେଲାନାହିଁ ।
ମୋଦୀ କହିଛନ୍ତି , ଦେଶବାସୀଙ୍କ ସଙ୍କଳ୍ପ ଶକ୍ତି ସହ ସେବା ଶକ୍ତି ମଧ୍ୟ କରୋନା ଲଢ଼େଇରେ ଆମକୁ ଶକ୍ତି ଯୋଗାଇଛି । ଆମର ଡାକ୍ତର , ନର୍ସ ଷ୍ଟାଫ୍ , ସଫେଇ କର୍ମଚାରୀ , ପୁଲିସକର୍ମୀ , ମିଡିଆ ବନ୍ଧୁମାନେ ଏଭଳି ସମୟରେ ସେବା କରୁଛନ୍ତି । ଦେଶର ଏଭଳି ସ୍ଥିତିରେ ପ୍ରତ୍ୟେକ ଅଞ୍ଚଳରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପରିଶ୍ରମର ଅଗଣିତ କାହାଣୀ ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି । ସେହିପରି ବାକି ଦେଶ ତୁଳନାରେ ଆମ ଦେଶରେ ସଂକ୍ରମଣ ଜନିତ ମୃତ୍ୟୁହାର ମଧ୍ୟ କମ୍ ରହିଛି । ଯେତିକି କ୍ଷତି ହୋଇଛି , ସେନେଇ ସମସ୍ତଙ୍କୁ ଦୁଃଖ ହେଉଛି । କିନ୍ତୁ ଯେତିକି ଆମେ ରକ୍ଷା କରିପାରିଛୁ , ତାହା ଦେଶର ସାମୁହିକ ସଂକଳ୍ପ ଶକ୍ତି ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ହଜାର ହଜାର ବର୍ଷରୁ ଲଗାତର ଉଭାବନ ଯୋଗୁ ହିଁ ମାନବ ଜାତିର ଯାତ୍ରା ଆଧୁନିକ ଯୁଗରେ ପହଞ୍ଚିପାରିଛି ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି , ଆମ ଦେଶରେ ଏପରି କୌଣସି ବର୍ଗର ଲୋକ ନାହାନ୍ତି , ଯିଏ କଷ୍ଟରେ ନାହିଁ , ଦୁଃଖରେ ନାହିଁ । ଆଉ ସଙ୍କଟର ସବୁଠାରୁ ବଡ଼ ଆଘାତ ସହୁଛନ୍ତି ଗରିବ ତଥା ଶ୍ରମିକ ବର୍ଗଙ୍କ ଉପରେ । ସେମାନଙ୍କ କଷ୍ଟ , ଯନ୍ତ୍ରଣା ଏବଂ ପୀଡ଼ାକୁ ଶବ୍ଦରେ କହିବା ଅସମ୍ଭବ । ସେମାନଙ୍କ ଦୁଃଖ ଦୂର ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି ।