ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି କଥା ହେବେ ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ମହାମାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଯଥା ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ପଶ୍ଚିମବଙ୍ଗ ଓ ରାଜସ୍ଥାନର ସ୍ଥିତି ବାବଦରେ ସମୀକ୍ଷା କରିବେ। ଏହା ସହିତ ଯେଉଁସବୁ ରାଜ୍ୟଗୁଡିକରେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି ସେସବୁର ସ୍ଥିତି ସମୀକ୍ଷା କରାଯିବ।

ଦେଶରେ ଏବେ ୪ଟି କରୋନା ଟିକାର ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଚାଲୁ ରହିଛି। ତେଣୁ ଏହିସବୁ ଟିକାର ବଣ୍ଟନ ଓ ଜରୁରୀ ଅନୁମୋଦନ ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ପ୍ରଧାନମନ୍ତ୍ରୀ କଥାହେବେ। ନିକଟରେ ଶେଷ ହୋଇଥିବା ନିତି ଆୟୋଗ ବୈଠକରେ ଟିକାର ଜରୁରୀ ବ୍ୟବହାରକୁ ଅନୁମତି, ଆଗୁଆ ଅଧିଗ୍ରହଣ, ଟିକାର ମୂଲ୍ୟ ନିର୍ଦ୍ଧାରଣ ଆଦି ବିଷୟ ଆଲୋଚନା କରାଯାଇଥିଲା। ଫାଇଜର ଓ ମଡେର୍ଣ୍ଣା ଟିକାର ଜରୁରୀ ବ୍ୟବହାର ନିମନ୍ତେ ଆବେଦନ କରାଯାଇଛି। ଏହି ସବୁ ଟିକା ୯୫%ରୁ ଅଧିକ ପ୍ରଭାବଶାଳୀ ରହିଥିବା କୁହାଯାଇଛି। କରୋନା ମହାମାରୀ ଆରମ୍ଭ ପରଠାରୁ ଏହାର ମୁକାବିଲା ନିମନ୍ତେ ରଣନୀତି ପ୍ରସ୍ତୁତ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଅନେକ ଥର ଆଲୋଚନା କରିଛି।

ଅନ୍ୟପଟେ ସୋମବାର ଦେଶରେ ୪୪,୦୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ ଥିବା ବେଳେ ୮୫ ଲକ୍ଷ ୬୨ ହଜାର ୬୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୧୧ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮କୁ ବୃଦ୍ଧି ପାଇଛି।

କରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର ନେଇଥିବା ନିଷ୍ପତ୍ତି ଅନୁଯାୟୀ ଦିଲ୍ଲୀ, ରାଜସ୍ଥାନ, ଗୋଆ ଓ ଗୁଜରାଟରୁ ବିମାନ, ଟ୍ରେନ ଓ ବସ୍‌ ଯୋଗେ ଆସୁଥିବା ସମସ୍ତ ଯାତ୍ରୀଙ୍କ ଆରଟି-ପିସିଆର୍‌ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ନଭେମ୍ବର ୨୫ରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।

Leave a Reply

Your email address will not be published. Required fields are marked *