କରୋନା ସଂକ୍ରମଣ ରୋକିବାରେ ଏନ୍୯୫ ମାସ୍କ ପ୍ରଭାବଶାଳୀ ବୋଲି ଭାରତୀୟ ବୈଜ୍ଞାନିକଙ୍କ ଦାବି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଏନ୍୯୫ ମାସ୍କ ଅଧିକ ପ୍ରଭାବଶାଳୀ ବୋଲି ଦାବି କରିଛନ୍ତି ଇଣ୍ଡିଆନ୍ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଗବେଷକ ।
କାଶ ଓ ଛିଙ୍କ ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ରହିଥିବା ବେଳେ ଲୋକମାନେ ମାସ୍କ ବ୍ୟବହାର କରିବା ନିହାତି ଦରକାର ବୋଲି ବୈଜ୍ଞାନିକ ମାନେ ମତ ପ୍ରକାଶ କରିଛନ୍ତି ।
ଏସମ୍ପର୍କରେ ଇସ୍ରୋରୁ ପଦ୍ମନାଭ ପ୍ରସନ୍ନ ସିମ୍ହା ଓ କର୍ଣ୍ଣାଟକ ସ୍ଥିତ ଶ୍ରୀ ଜୟଦେବ ଇନଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓବାସ୍କୁଲର ସାଇନ୍ସସେ ଆଣ୍ଡ ରିସର୍ଚ୍ଚ ରୁ ପ୍ରସନ୍ନ ସିମ୍ହା ମୋହନ ରାଓ ଏକ ଅଧ୍ୟୟନ କରିଥିଲେ । ଯେଉଁ ରିସର୍ଚ୍ଚ ଜର୍ନଲ ଫଇଜିକ୍ସ ଅଫ୍ ଫ୍ଲୁଇଡସ୍ ରେ ପ୍ରକାଶିତ ହୋଇଛି।
ଉକ୍ତ ରିସର୍ଚ୍ଚ ଅନୁଯାୟୀ କରୋନା ସଂକ୍ରମଣ ରୋକିବାରେ ଏନ-୯୫ ମାସ୍କ ସବୁଠୁ ପ୍ରଭାବଶାଳୀ । ଏହି ମାସ୍କ କାଶର ପ୍ରାରମ୍ଭ ବେଗକୁ ୧୦ ଯାଏଁ କମ୍ କରିି ଦେଇଥାଏ । ଏପରିକି ମୁହଁରୁ ବାହାରୁଥିବା ସୁକ୍ଷ୍ମ କଣିକା ଗୁଡିକର ପ୍ରସାରକୁ ୦.୧ ଓ ୦.୨୫ମି. ଭିତରେ ରୋକିଥାଏ ।
ବୈଜ୍ଞାନିକ ମାନେ ଆହୁରି କହିଛନ୍ତି ଯେ ଡିସପୋଜାଲ୍ ସର୍ଜିକାଲ୍ ମାସ୍କ ୦.୫ରୁ ୧.୫ ମିଟର ଭିତରେ ଏହାକୁ ସୀମିତ କରିଥାଏ । ହେଲେ ମାସ୍କ ଗୁଡିକ ଫୁଲପ୍ରୁଫ୍ ନଥିବାରୁ ପରସ୍ପର ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖିବା ପାଇଁ ପଡିବ ।
ସେହିପରି ଅଧିକ ସମୟ ଯାଏଁ ସର୍ଜିକାଲ୍ ମାସ୍କ ପିନ୍ଧିବା ଦ୍ୱାରା ଅକ୍ସିଜେନ କମ୍ ହୋଇନଥାଏ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସାଧାରଣତଃ କେଏନ୍-୯୫ ଓ ଏନ୍-୯୫ ଫେସ୍ ମାସ୍କକୁ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ବ୍ୟବହାର କରିଥାନ୍ତି।