ଭାଇ ନା ଭଗାରୀ : କୁକୁର ପାଇଁ ରୁଟି ନ କରିବାରୁ ଭଉଣୀକୁ ଗୁଳି କରି ହତ୍ୟା : ଥାନାରେ ଆତ୍ମସମର୍ପଣ କଲା ଯୁବକ
ମିରଟ, (ଓଡିଶା ଟାଇମ୍) :ଉତ୍ତରପ୍ରଦେଶର ମିରଟରେ ଏକ ବଡ଼ ଖବର ସାମନାକୁ ଆସିଛି,ଏଠାରେ ଜଣେ ଭାଇ ନିଜ ଭଉଣୀକୁ ଗୁଳି କରି ହତ୍ୟା କରିଛି। ଏହି ଘଟଣା ଯୋଗୁଁ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଭଉଣୀର ହତ୍ୟା କରିବା ପରେ ଭାଇ ନିଜେ ଫୋନ୍ କରି ଏହା ବିଷୟରେ ପୋଲିସକୁ ସୂଚନା ଦେଇଥିଲା ଏବଂ ଆତ୍ମସମର୍ପଣ କରିଥିଲା। ଏବେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ଏହା ସହିତ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। କୁହାଯାଉଛି ଯେ ଭଉଣୀ କୁକୁର ପାଇଁ ରୁଟି କରିବାକୁ ମନା କରିଦେବାରୁ ଭାଇ ତାଙ୍କୁ ଗୁଳି କରି ହତ୍ୟା କରି ଦେଇଥିଲା।
ସୂଚନା ଅନୁଯାୟୀ,ମାମଲାଟି ମିରଟର ଗଙ୍ଗାନଗର ସ୍ଥିତ କୈଳାସ ବାଟିକାର। କୈଳାସ ବାଟିକାରେ ରହୁଥିବା ଆଶିଷ କନଷ୍ଟକ୍ସନ ସହ ପ୍ରପର୍ଟି ଡିଲରର କାମ କରୁଥିଲା। ଆଶିଷ ଘରେ କୁକୁର ପାଳିଥିଲା। ପୋଲିସର କହିବା ଅନୁସାରେ,ଆଶିଷ ନିଜ ଭଉଣୀ ପାରୁଲକୁ କୁକୁରମାନଙ୍କ ପାଇଁ ରୁଟି କରିବାକୁ କହିଥିଲା କିନ୍ତୁ ପାରୁଲ ମନା କରିଥିଲେ। ଏହି କଥାକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହା ପରେ ଆଶିଷ ପିସ୍ତଲରେ ପାରୁଲଙ୍କ ମୁଣ୍ଡରେ ଏବଂ ଛାତିରେ ଗୁଳି କରି ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ପାରୁଲଙ୍କ ମୃତ୍ୟୁ ହୋଇଯାଇଥିଲା। ଗୁଳି ଶବ୍ଦ ଶୁଣି ମା ଏବଂ ଆଖପାଖର ଲୋକେ ସେଠାରେ ପହଞ୍ଚିଥିଲେ। ଆଶିଷ ପୋଲିସକୁ ଫୋନ୍ କରି ଘଟଣା ବିଷୟରେ ସୂଚନା ଦେଇଥିଲେ। ସୂଚନା ପାଇ ଗଙ୍ଗାନଗର ଏବଂ ଭାବନପୁର ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚିଥିଲା।