ଭାରତରେ ପହଁଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ
କିଭ,( ଓଡିଶା ଟାଇମ୍): ଭାରତରେ ପହଁଚିଲା ନବୀନଙ୍କ ମୃତଦେହ । ଖାର୍କିଭ୍ ସହରରେ ରୁଷ-ୟୁକ୍ରେନ୍ ସେନାର ଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ଭାରତର ଏମ୍ବିବିଏସ୍ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ସୋମବାର ଭୋରରୁ ବେଙ୍ଗାଲୁରୁରେ ପହଞ୍ଚିଛି ।
ନବୀନଙ୍କ ପିତା ଶଙ୍କରପ୍ପା କହିଛନ୍ତି, ଗ୍ରାମର ବୀରା ଶୈବ ପରମ୍ପରା ଅନୁସାରେ ପାର୍ଥିବ ଶରୀରର ପୂଜା କରାଯିବ । ଏହାପରେ ତାହାକୁ ଦେବନଗରୀସ୍ଥିତ ଏସ୍.ଏସ୍. ହସ୍ପିଟାଲକୁ ଡାକ୍ତରୀ ଅଧ୍ୟୟନ ପାଇଁ ଦାନ କରାଯିବ । ନବୀନ କର୍ଣ୍ଣାଟକର ହାଭେରି ଜିଲ୍ଲାର ବାସିନ୍ଦା । ମାର୍ଚ୍ଚ ୧ରେ ୟୁକ୍ରେନ୍ର ଖାର୍କିଭ୍ରେ ଚାଲିଥିବା ବେଳେ ଗୁଳି ବାଜିବା ଯୋଗୁ ତାଙ୍କର ନିଧନ ହୋଇଥିଲା ।ତେବେ ମୃତ୍ୟୁପୂର୍ବରୁ ନିଜ ଅଙ୍ଗଦାନ କରିବେ ବୋଲି ନବୀନଙ୍କ ଇଚ୍ଛା ଥିଲା ।
ନବୀନଙ୍କ ପିତା ଶଙ୍କରପ୍ପା କହିଛନ୍ତି, ପୁଅ ଚିକିତ୍ସା କ୍ଷେତ୍ରରେ କିଛି ହାସଲ କରିବାକୁ ଚାହୁଁଥିଲା । କିନ୍ତୁ ବିଧିର ବିଧାନ ଭିନ୍ନ ଥିଲା । ତା’ର ଆଶା ପୂରଣ ହୋଇପାରିଲା ନାହିଁ । ତଥାପି ଅତି କମ୍ରେ ତାହାର ଶରୀର ଚିକିତ୍ସା କ୍ଷେତ୍ରର କାମରେ ଆସିବ । ଶରୀରକୁ ବ୍ୟବହାର କରି ଅନ୍ୟ ମେଡିକାଲ ଛାତ୍ରଛାତ୍ରୀମାନେ ନିଜ ପାଠପଢ଼ା ଉପରେ ଫୋକସ୍ କରିପାରିବେ । ଚିକିତ୍ସା ସମ୍ବନ୍ଧୀୟ ଗବେଷଣା ପାଇଁ ମୁଁ ନବୀନର ମରଶରୀର ଦାନ କରିବା ଲାଗି ନିଷ୍ପତ୍ତି ନେଇଛି ।’’ ନବୀନଙ୍କ ମରଶରୀର ସୋମବାର ଭୋରରୁ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଛି । ସେଠାରୁ ଅଣାଯାଇ ସକାଳ ୯ଟା ସୁଦ୍ଧା ଗ୍ରାମରେ ପହଞ୍ଚାଯିବ । ଶଙ୍କରପ୍ପାଙ୍କ ମୁତାବକ ହାଭେରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ମରଶରୀର ଆସିବ ବୋଲି ଖବର ମିଳିଛି ।
ଅନ୍ତତଃ ନବୀନର ମୃତଦେହ ଆସୁଥିବା ଜାଣି ସେ ଖୁସି ବୋଲି କହିଛନ୍ତି । ତାକୁ ଶେଷଥର ପାଇଁ ଦେଖିବାକୁ ପାଇବେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଧ୍ୟ ନବୀନଙ୍କ ଗ୍ରାମକୁ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଜଣାଇବେ ବୋଲି ଶେଖରପ୍ପା କହିଛନ୍ତି । ସେ କହିଛନ୍ତି, ପୁଅ ପିୟୁସିରେ ୯୭% ମାର୍କ ହାସଲ କରିବା ସତ୍ତେ୍ୱ ରାଜ୍ୟର ମେଡିକାଲ କଲେଜରେ ନାମଲେଖା ପାଇଁ ସୁଯୋମ ମିଳି ନ ଥିଲା । ଏହି କାରଣରୁ ସେ ଡାକ୍ତରୀ ପାଠ ପଢ଼ିବା ପାଇଁ ୟୁକ୍ରେନ୍ ପଳାଇଥିଲା ।