ପ୍ରବାସୀଙ୍କ ପାଇଁ ଅଧିକ ଟ୍ରେନ୍ ବ୍ୟବସ୍ଥା କରାଯାଉ: ପ୍ରଦୀପ
ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ଲକ୍ଡାଉନ୍ ହେତୁ ଦେଶର ବିଭିନ୍ନ ସ୍ଥାନରେ ଫଶିଛନ୍ତି ଓଡ଼ିଆ। ଶ୍ରମିକଠୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ଓଡ଼ିଶା ଫେରିବାକୁ ବ୍ୟାକୁଳ। ଏମାନଙ୍କ ପାଇଁ କିନ୍ତୁ ଆବଶ୍ୟକ ସାଧନ ନାହିଁ। ଏପରି ପରିସ୍ଥିତିରେ ସଡ଼କ ପଥରେ ସେମାନେ ନିଜ ଉଦ୍ୟମରେ ଆସୁଛନ୍ତି। ଏହା ବିପଜ୍ଜନକ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ କୁମାର ନାଏକ। ଚିଠିଦ୍ଵାରା ସେ ରାଜ୍ୟକୁ ଅଧିକ ଟ୍ରେନ୍ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି।
ଆଜି ଦିନରେ ସଡକ ପଥରେ ଲୋକମାନେ ଆମ ରାଜ୍ୟକୁ ଫେରିବା ବିପଦ ସଂକୁଳ । ଏପରି ପରିସ୍ଥିତିରେ ସୁଦୂର ରାଜ୍ୟ ମାନଙ୍କରେ ଥିବା ଓଡିଆ ଭାଇ ଭଉଣୀ ମାନଙ୍କୁ ଆମ ରାଜ୍ୟକୁ ଫେରାଇ ଆଣିବା ପାଇଁ ରେଳ ବ୍ୟବସ୍ଥା ହିଁ ଏକମାତ୍ର ବିକଳ୍ପ । କେନ୍ଦ୍ର ସରକାର ବିଶେଷତଃ ରେଳ ବିଭାଗ ରାଜ୍ୟରେ ଥିବା ଲୋକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବିଶେଷ ବ୍ୟବସ୍ଥା କରୁଛନ୍ତି । ଏପରି ପରିସ୍ଥିତିରେ ଓଡିଶା ଭଳି ରାଜ୍ୟକୁ ଟ୍ରେନ ଚଳାଚଳରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ବିଶେଷ ବ୍ୟବସ୍ଥା କରିବା ଉଚିତ। କେଉଁ ରାଜ୍ୟରେ କେତେ ଓଡିଆ ଲୋକ ଅଟକି ରହିଛନ୍ତି ଓ ଏଥିପାଇଁ କେତେ ଟ୍ରେନର ଆବଶ୍ୟକତା ଅଛି- ସେଥିନେଇ ଏକ ତଥ୍ୟ ଆଧାରିତ ପତ୍ର ଲେଖି ଆବଶ୍ୟକ ସଂଖ୍ୟକ ରେଳ ପାଇଁ ରେଳ ବିଭାଗକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରନ୍ତୁ।
ଓଡିଶା ଭଳି ରାଜ୍ୟର ଲୋକମାନେ ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଅଧିକମାତ୍ରାରେ ପ୍ରବାସୀ ଶ୍ରମିକ ଭାବରେ କାମ କରୁଛନ୍ତି । ଏପରି ପରିସ୍ଥିତିରେ ଯଦି ଓଡିଶାକୁ ଅଧିକ ମାତ୍ରାରେ ବିଶେଷ ଟ୍ରେନ୍ ବ୍ୟବସ୍ଥା କରାଯାଇପାରିବ ତେବେ ଆମର ପ୍ରବାସୀ ଭାଇ ଭଉଣୀମାନେ ଉପକୃତ ହେବେ । ଓଡିଶାରେ ଥିବା ସେମାନଙ୍କର ପରିବାର ଓ ବନ୍ଧୁ ସ୍ୱଜନମାନେ ମଧ୍ୟ ସେମାନଙ୍କୁ ନେଇ ଚିନ୍ତାରେ ଅଛନ୍ତି । ସେମାନଙ୍କୁ ଆମ ରାଜ୍ୟକୁ ଫେରାଇ ଆଣିବା ପାଇଁ ଆସନ୍ତୁ ସବୁମତେ ଉଦ୍ୟମ କରିବାକୁ ଶ୍ରୀ ନାଏକ ପତ୍ରରେ ଉଲ୍ଲେଖ କରିଛନ୍ତି ।
ଏବେ ଦେଶରେ ପ୍ରତି ଦିନ ୩୦୦ ଟ୍ରେନ୍ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇବା ଲାଗି ଚଳାଚଳ କରୁଛି। ଏଥିଲାଗି କେନ୍ଦ୍ର ସରକାର ୮୫ ପ୍ରତିଶତ ଖର୍ଚ ବହନ କରୁଥିବା ବେଳେ ରାଜ୍ୟ ସରକାର ୧୫ ପ୍ରତିଶତ ଟିକେଟ୍ ଖର୍ଚ ବହନ କରୁଛନ୍ତି।