କରୋନା ଆକ୍ରାନ୍ତ ସଂଖ୍ୟାକୁ ନେଇ ଚିନ୍ତିତ ହୁଅନ୍ତୁ ନାଁହି : ପ୍ରଦୀପ୍ତ ମହାପାତ୍ର
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢି ଚାଲିଛି । ଆଜି ସର୍ବାଧିକ ୧୨୬୪ ଜଣ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣଙ୍କର ପ୍ରାଣ ନେଇଛି କରୋନା । ବଢୁଥିବା ସଂଖ୍ୟାକୁ ନେଇ ଜବାବ୍ ରଖିଛନ୍ତି ରାଜ୍ୟ ସରକାର ।
ଅତିରିକ୍ତ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ‘ବିଶ୍ୱ ସହ ଆମ ଦେଶରେ କରୋନା ସଂକ୍ରମଣ ବଢି ଚାଲିଛି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟ ସ୍ଥିତି ଭଲ ଅଛି । ରାଜ୍ୟରେ ସର୍ଭେ ଯୋଗୁଁ ପଜିଟିଭ ଚିହ୍ନଟ ଅଧିକ ହୋଇଛି । ଘରକୁଘର ଯାଇ ସ୍ୱାସ୍ଥ୍ୟକର୍ମୀମାନେ ସର୍ଭେ କରୁଥିବାରୁ ସଂକ୍ରମିତ ଜଣାପଡୁଛି । ସେଥିପାଇଁ ଆକ୍ରାନ୍ତଙ୍କ ଚିନ୍ତା ବଢିବା ନେଇ ଚିନ୍ତା କରିବାର ନାହିଁ ।
ସର୍ଭେ କରୁଥିବା କର୍ମଚାରୀଙ୍କୁ ପ୍ରୋତ୍ସାହିତ ପାଇଁ ବ୍ୟବସ୍ଥା କରାଯାଇଛି। ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା ହୋଇଛି। କାହାରିଠାରେ ଲକ୍ଷଣ ଦେଖାଗଲେ ସ୍ବାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ। ଏବେ ୧୯ ଜାଗାରେ କୋଭିଡ୍ ଟେଷ୍ଟିଂ କରାଯାଉଛି। ଆଗାମୀ ଦିନରେ ଆଉ ୬ ଜାଗାରେ କୋଭିଡ୍ ଟେଷ୍ଟିଂ କରାଯିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
ଆଜି ଦିନରେ ୧୧ହଜାର ଟେଷ୍ଟ ହେଉଛି, ଆଗକୁ ଏହାର ସଂଖ୍ୟା ମଧ୍ୟ ବଢ଼ିବ। ୨ ମାସ ଆଗୁଆ ଯୋଜନା ହିସାବରେ ହସ୍ପିଟାଲ୍ରେ ବେଡ୍ ସଂଖ୍ୟା ବଢ଼ାଯାଇଛି। ଅଗଷ୍ଟ ୩୧ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଥିବାରୁ ହସ୍ପିଟାଲ୍ଗୁଡ଼ିକରେ ବେଡ୍ ସଂଖ୍ୟା ବଢ଼ାଇ ଦିଆଯାଇଛି।
ଲକ୍ଷଣ ନ ଥିବା ରୋଗୀ ନିଜ ଘରେ ଚିକିତ୍ସିତ ହୁଅନ୍ତୁ। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକେ ଘରେ ରହି ଚିକିତ୍ସିତ ହୋଇପାରିବେ। ଘରେ ରହିବା ବ୍ୟବସ୍ଥା ଥିଲେ ଘରେ ରହି ଚିକିତ୍ସିତ ହେବା ଆବଶ୍ୟକ। ଲକ୍ଷଣହୀନ ବ୍ୟକ୍ତି ଘରେ ରହି ଚିକିତ୍ସା ହୋଇପାରିଲେ ମେଡ଼ିକାଲ୍ରୁ ବୋଝ କମିଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପ୍ରକାଶ କରିଛନ୍ତି।