ଆସନ୍ତା ୨୩ ତାରିଖ ପରେ ରାଜ୍ୟରେ ଦୁର୍ବଳ ହେବ ମୌସୁମୀ ବାୟୁ
ଭୁବନେଶ୍ବର, (ଓଡିଶା ଟାଇମ୍) : ମୌସୁମୀର ଆଗମନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି । ଯାହାଦ୍ୱାରା ୧୮ଟି ଜିଲ୍ଲାରେ ପ୍ରଚୁର ବର୍ଷା ହୋଇଥିବା ବେଳେ ୫ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡିଛି । ଆସନ୍ତା ୨୩ ତାରିଖ ପରେ ରାଜ୍ୟରେ ମୌସୁମୀ ଦୁର୍ବଳ ହେବାର ଆଶଙ୍କା ଥିବାରୁ ଜୁନ୍ ଶେଷ ସପ୍ତାହରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କମ୍ ରହିଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବ ଆକଳନ ଅନୁଯାୟୀ, ଘୂର୍ଣ୍ଣିବଳୟ ଯୋଗୁଁ ୨୧ ଓ ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅପେକ୍ଷାକୃତ ଅଧିକ ବର୍ଷା ହେବ । ଘୂର୍ଣ୍ଣିବଳୟ ଯୋଗୁଁ ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗଞ୍ଜାମ ଓ ଗଜପତିରେ ୨୧ ଓ ୨୨ ତାରିଖରେ ପ୍ରାୟ ୫୦ ମିମି ବର୍ଷା ହେବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।
ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ହାରାହାରି ୭୦ ମିଲିମିଟର ବର୍ଷା ହେବ ଓ ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ । ତେବେ ପୁରୀଠାରୁ ଉତ୍ତରରେ ଥିବା ଉପକୂଳ ଅଞ୍ଚଳରେ ସ୍ଵଳ୍ପ ବର୍ଷା ହେବ । କେନ୍ଦ୍ରାପଡ଼ାରେ ମଧ୍ୟମ ଧରଣର ବର୍ଷା ହେବା ସହ ବାକି ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି ।