ଦାନା ବାନ୍ଧୁଛି ଲଘୁଚାପ: ୧୧ ସୁଦ୍ଧା ଓଡ଼ିଶାରେ ମୌସୁମୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଉତ୍ତର ପଶ୍ଚିମ ଏବଂ ତତ୍ ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ। ଏହି କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବେଶ କରିବାର ସମ୍ଭାବନା ରହିଥିବା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ପାଣିପାଗ ବିଭାଗ ମୁଖ୍ୟ ଡ. ଶରତ ଚନ୍ଦ୍ର ସାହୁ।

ଦକ୍ଷିଣପୂର୍ବ ଏବଂ ପୂର୍ବ-ମଧ୍ୟ ଆରବସାଗରରେ ଘନୀଭୂତ ହୋଇଥିବା ଲଘୁଚାପ ମଙ୍ଗଳବାର ସକାଳ ସାଢ଼େ ୮ ଟା ସୁଦ୍ଧା ଏହା ଦକ୍ଷିଣପଶ୍ଚିମ ମୁମ୍ବାଇ ଠାରୁ ୪୫୦ କିମି ଦୂରରେ ଅବସ୍ଥିତ ରହି ଗଭୀର ଅବପାତର ରୂପ ନେଇଛି । ଏହା ଏକ ଘୂର୍ଣ୍ଣିଝଡରେ ପରିଣତ ହୋଇ ବୁଧବାର ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଡ. ସାହୁ କହିଛନ୍ତି ।

ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଙ୍ଗଳବାରରୁ ଗୁରୁବାର ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ ।

ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।

ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମହାରାଷ୍ଟ୍ର ଉପକୂଳ ଅତିକ୍ରମ କରିବା ପରେ ମଧ୍ୟ ଭାରତ ମୁହାଁ ହେବ ଏବଂ ସେହି ସ୍ଥାନମାନଙ୍କରେ ମଙ୍ଗଳବାର ରୁ ଶୁକ୍ରବାର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ଡ. ସାହୁ କହିଛନ୍ତି ।

Leave a Reply

Your email address will not be published.