ହେଇ ଦେଖ, ହାତୀ ଆସୁଛି…
Bhubaneswar: ହଁ ଆଜ୍ଞା, ବଡ଼ ବଡ଼ ପାହୁଣ୍ଡ ପକାଇ ହାତୀଟା ୟାଡ଼େ କୁଆଡ଼େ ମାଡ଼ି ଆସୁଛି ! କଣ କରିବ ଏଠି ସେ ହାତୀ ! କାହାକୁ ମାରିବ ନା ନିଜେ ମରିବ !
ହାତୀ, ଜଙ୍ଗଲର ସବୁଠାରୁ ବଡ଼ ଜୀବ, ବର୍ତ୍ତମାନର ଜୀବଜଗତରେ ବି । ତେଣୁ ଏତେ ବଡ଼ ଜନ୍ତୁଟେ ଆସୁଛି ମାନେ, ନିଶ୍ଚିତ କିଛି ନା କିଛି ଗୋଟେ ହେବ । କିଛି ନହେଲେ, ଲୋକେ ତ ବଡ଼ ଶବ୍ଦଟେ ଶୁଣିବାକୁ ପାଇବେ ନା ! ହାତୀ ଆସିଲା, ହେଲେ କାହାକୁ କିଛି ଶୁଭିଲାନି । ସବୁ ଫୁସ୍ ହୋଇଗଲା ନା ଫୁରୁସି ଗଲା ନା ଭୁଲ୍ ରିଡରେ ହାତ ମାରି, କିଏ ଫସିଗଲା !!!
ପହଲଗାମ ଘଟଣା ପରର ସର୍ବଦଳୀୟ ବୈଠକ ଏବଂ ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳଙ୍କ ପ୍ରଶ୍ନ । ହଠାତ ମାହୋଲରେ ପରିବର୍ତ୍ତନ, ତା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବୈଠକ । କିଛି ଗୋଟେ ହେବ, କିଛି ଗୋଟେ ବଡ଼ ଧରଣର ହେବ… ଏମିତି ରାଉ ରାଉ ହୋଇ ଅଧିକାଂଶ ଗଣମାଧ୍ୟମ, ଅଧାରୁ ଅଧିକ ଭାରତୀୟଙ୍କ ମୁଣ୍ଡ ଖାଇ ସାରିଥିଲେ ।
ଏପ୍ରିଲ ୩୦… ଦିନ ୩ଟା ବେଳକୁ କିଛି ଗୋଟେ ବଡ଼ ଘୋଷଣା ହେବ… ଏହି ସୂଚନା ମିଳିବା ମାତ୍ରେ, ପ୍ରାୟ ସବୁ ଟେଲିଭିଜନ ମିଡିଆ, ଅଧିକ ଉତ୍ସାହିତ ହୋଇ ଯାଇଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ମଣ୍ଟାଜ୍, ବ୍ୟାଙ୍ଗ, ବ୍ରେକିଂ ପ୍ଲେଟ୍ ସବୁ ପ୍ରସ୍ତୁତ କରି ପ୍ରସ୍ତୁତ ହୋଇ ଯାଇଥିଲେ । ୩ଟା ପରିବର୍ତ୍ତେ ୪ଟାରେ ହାତୀ ଆସିଲା । ହାତୀ ଆସିଲା ସତ, ହେଲେ ଶବ୍ଦ ବଦଳରେ ସବୁକିଛି ଫୁସ୍ କରିଦେଲା ।
ପହଲଗାମ୍ ଘଟଣା ବାବଦରେ ଜାଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ସାଉଦି ଆରବ ଗସ୍ତ ଅଧାରୁ ବାତିଲ କରି ସ୍ବଦେଶ ଫେରି ଆସିଲେ । ବିରୋଧୀ ଦଳ ନେତା ମଧ୍ୟ ତାଙ୍କ ଆମେରିକା ଗସ୍ତ ଅଧାରୁ ବାତିଲ କରି ସ୍ବଦେଶ ଫେରିଲେ । ଘଟଣାର ଠିକ ପରଦିନ, ପ୍ରଧାନମନ୍ତ୍ରୀ ବିହାର ଗଲେ, କାରଣ ଆଗକୁ ବିହାର ନିର୍ବାଚନ । ବିରୋଧୀ ଦଳ ନେତା କିନ୍ତୁ ପହଲଗାମ୍ ଆହତଙ୍କୁ ଭେଟିବାକୁ ଜାମ୍ମୁ-କାଶ୍ମୀର ଗଲେ ।…
… ହାତୀ ଆସିଥିଲା, ଶବ୍ଦ କରିନି ସତ, ହେଲେ ଯେଉଁ ଫୁସ୍ ଟିକକ କରିଦେଲା, ତାହା ବହୁତ ବଡ଼ ଶବ୍ଦ ସୃଷ୍ଟି କରିଦେଇଛି ।… “ଆଗାମୀ ଜନଗଣନା, ଜାତିଭିତ୍ତିକ ହେବ”… (ଯାହା ଗତ କିଛିବର୍ଷ ଧରି କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଦାବି କରି ଆସୁଛନ୍ତି । କିନ୍ତୁ ସରକାର, ଧରାଛୁଆଁ ଦେଉ ନଥିଲେ…)
ବାସ୍, ଆଉ କିଛି ବୁଝିବାକୁ ବାକି ରହିଲା କି ! …
ଯଦି କେହି ବୁଝିପାରୁ ନାହାନ୍ତି, ତେବେ ଅତୀତରେ ଦେଶରେ ଘଟିଥିବା ଅତି ପ୍ରମୁଖ ଆତଙ୍କବାଦୀ ହମଲା କେଉଁ ସରକାର ଅମଳରେ ହୋଇଛି, ତାହା ଅବଲୋକନ କରି ନେଲେ, ବୋଧହୁଏ ହୁଏତ ବହୁତ ଭଲ ହୁଅନ୍ତା ।…