ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ
ପୁରୀ, (ଓଡିଶା ଟାଇମ୍) :ଆଜିଠୁ ଆରମ୍ଭ ହୋଇଛି ବଡଦାଣ୍ତ ସେବା। ମୋ ଧାମ ମୋ ଗର୍ବ ଅଭିଯାନ ଅଧିନରେ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଏଣିକି ପ୍ରତି ଶନିବାର ସକାଳ ୬.୩୦ ରୁ ୮.୩୦ ଯାଏଁ ଏହି ବଡ଼ଦାଣ୍ଡ ସେବା କରାଯିବ।
ପୁରୀ ସହର ଓ ପବିତ୍ର ବଡଦାଣ୍ତକୁ ସଫା ରଖିବା ପାଇଁ ସ୍ବେଚ୍ଛାକୃତ ଭାବେ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ପୁରୀବାସୀ ଓ ପର୍ଯ୍ୟଟକ ମାନଙ୍କୁ ଆହ୍ବାନ ଦିଆଯାଇଥିବା ବେଳେ ଅନେକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରୁ ମରିଚିକୋଟ ଛକ, ମରିଚିକୋଟ ଛକରୁ ମାର୍କେଟ ଛକ, ମାର୍କେଟ ଛକରୁ ଡାକ୍ତରଖାନା ଛକ, ଡାକ୍ତରଖାନା ଛକରୁ ବଡଶଙ୍ଖ ଏବଂ ବଡଶଙ୍ଖରୁ ଗୁଣ୍ତିଚା ମନ୍ଦିର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଛି । ଏଥିରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ବାଣିଜ୍ୟିକ ସଂଘ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଛନ୍ତି । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବକ୍ତୃତା, ରଙ୍ଗୋଲି ଓ କୁଇଜ ଭଳି ପ୍ରତିଯୋଗିତା ହେଉତିବା ବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।