ଝିଅଙ୍କ ବିବାହ ବୟସରେ ହେବକି ପରିବର୍ତ୍ତନ !
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଝିଅଙ୍କ ନ୍ୟୁନତମ ବିବାହ ବୟସକୁ ନେଇ ସମୀକ୍ଷା କରାଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏନେଇ ସ୍ୱାଧୀନତା ଦିବସ ଅବସରରେ ଅଭିଭାଷଣ ଦେବା ସମୟରେ ସମ୍ୟକ ସୂଚନା ଦେଇଥିଲେ ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିବାହ ଲାଗି ସଠିକ୍ ବୟସ କ’ଣ ରହିଛି, ସେନେଇ କମିଟି ଗଠନ କରାଯାଇଛି । ରିପୋର୍ଟ ଆସିବା ବେଳେ ଝିଅ ମାନଙ୍କ ବିବାହ ବୟସ ଉପରେ ନିଷ୍ପତ୍ତି ନିଆଯିବ ।
ଆଜିର ସମୟରେ ଝିଅ ମାନେ କେଉଁ ଗୁଣରେ ପଛରେ ନାହାଁନ୍ତିି । ଝିଅ ମାନେ କେଉଁଠି ଲଢୁଆ ବିମାନ ଉଡାଉଛନ୍ତି ତ ଆଉ କେଉଁଠି ଅଣ୍ଡରଗ୍ରାଉଣ୍ଡ କୋଇଲା ଖାଦାନରେ କାମ କରୁଛନ୍ତି । ଏହାଛଡା ଦେଶରେ ଯେଉଁ ୪୦ କୋଟି ଜନଧନ ଖାତା ଖୋଲା ଯାଇଛି, ସେଥିରେ ପ୍ରାୟ ୨୨ କୋଟି ଖାତା ମହିଳାଙ୍କର ରହିଛି ।
କରୋନା ସମୟରେ ଏପ୍ରିଲ-ମେ-ଜୁନ୍ ଆଦି ମାସରେ ମହିଳାଙ୍କ ଖାତାରେ ପାଖାପାଖି ୩୦ ହଜାର କୋଟି ଟଙ୍କାର ସିଧା ଟ୍ରାନ୍ସଫର କରାଯାଇଛି ।
ମହିଳା ମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଜୋର୍ ଦେଇ କହିଥିଲେ । ବର୍ତ୍ତମାନ ସମୟରେ ଦେଶରେ ଝିଅଙ୍କ ବିବାହ ବୟସ ୧୮ ବର୍ଷ ଏବଂ ପୁଅଙ୍କ ୨୧ ବର୍ଷ ରହିଛି ।
କେନ୍ଦ୍ରୀୟ ବଜେଟ୍ ୨୦୨୦-୨୧ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ୧୯୭୮ରେ ତତ୍କାଳୀନ ସାରଦା ଅଧିନିୟମ ୧୯୨୯କୁ ସଂଶୋଧିତ କରା ଯାଇ ମହିଳାଙ୍କ ବିବାହ ବୟସ ୧୫ରୁ ୧୮କୁ ବୃଦ୍ଧି କରାଯାଇଥିଲା । ଯେମିତି ଯେମିତି ଦେଶ ଆଗକୁ ବଢୁଛି ମହିଳାଙ୍କ ଉଚ୍ଚ ଶିକ୍ଷା ଓ କ୍ୟାରିୟର ରାସ୍ତା ମଧ୍ୟ ଖୋଲି ଖୋଲି ଯାଉଛି ।
ଅର୍ଥମନ୍ତ୍ରୀଙ୍କ ଏଭଳି ବୟାନ ପରେ ଗତ ଜୁନରେ ସାମାଜିକ କାର୍ଯ୍ୟକର୍ତ୍ତା ଜୟା ଜେଟଲୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରାଯାଇଥିଲା ।