ଶ୍ରମିକ ଟ୍ରେନ୍ ପାଇଁ ରାଜ୍ୟର ଅନୁମତି ଲୋଡ଼ିବନି କେନ୍ଦ୍ର, ସଙ୍ଗରୋଧ ଅର୍ଥରୁ ଟିକଟ ଖର୍ଚ ଦେବେ ଶ୍ରମିକ
ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଏଣିକି କେନ୍ଦ୍ର ସରକାର କେଉଁ ରାଜ୍ୟକୁ ଶ୍ରମିକ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ କରିବେ ସେଥିଲାଗି ଅନୁମତି ମାଗିବେ ନାହିଁ। ନୂଆ ଲକ୍ଡାଉନ୍ ନିୟମାବଳୀ ଅନୁସାରେ ଏହା ସ୍ପଷ୍ଟ ହୋଇଛି। ଗୃହ ମନ୍ତ୍ରଣାଳୟ ଏ ବିଷୟ ସ୍ପଷ୍ଟ କରିବା ପରେ ରେଳ ମନ୍ତ୍ରଣାଳୟ କେବଳ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ଆସୁଥିବା ଶ୍ରମିକଙ୍କ ତାଲିକା ଆଗୁଆ ପ୍ରଦାନ କରିବେ।
ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଚଇ ଯେ, ଯେଉଁ ରାଜ୍ୟରୁ ଶ୍ରମିକ ଯିବେ ତାହାର ଏକ ତାଲିକା ସମ୍ପୃକ୍ତ ରାଜ୍ୟମାନେ ରେଳମନ୍ତ୍ରଣାଳୟକୁ ପ୍ରଦାନ କରିବେ। ଏହି ତାଲିକାକୁ ଯାଞ୍ଚ କରି ଶ୍ରମିକଙ୍କ ଟିକେଟ୍ ଆଧାରରେ ରେଳ ମନ୍ତ୍ରଣାଳୟ ସ୍ଵତନ୍ତ୍ର ଟ୍ରେନ୍ଗୁଡ଼ିକର ରହଣୀ ସ୍ଥିର କରିବେ। ଏହି ରହଣୀ ଅନୁସାରେ କେତେ ସଶ୍ରମିକ ଓହ୍ଲାଇବେ ସେ ସମ୍ବନ୍ଧୀୟ ଏକ ତାଲିକା ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁଚ ପ୍ରଦାନ କରାଯିବ।
ପୂର୍ବରୁ ରାଜ୍ୟମାନଙ୍କ ଅନୁମତି ନେଇ ରେଳ ମନ୍ତ୍ରଣାଳୟ ସ୍ଵତନ୍ତ୍ର ଟ୍ରେନ୍ ଚଳାଚଳ ସ୍ଥିର କରୁଥିଲେ।
ଫେରନ୍ତା ଦେବେ ଟିକଟ ଖର୍ଚ
ମେ’ ମାସ ୧ ତାରିଖରୁ ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ କରି ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇବା ଉଦ୍ୟମ ସରକାର କରିଛନ୍ତି। ଏହି ଟ୍ରେନ୍ ବାବଦ ଖର୍ଚରୁ ୮୫ପ୍ରତିଶତ କେନ୍ଦ୍ର ସରକାର ବହନ କରୁଥିବା ବେଳେ ୧୫ ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି। ଏବେ କିନ୍ତୁ ଓଡ଼ିଶ ସରକାର ଏକ ସ୍ଵତନ୍ତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛଇ ଯେ, ଏହି ଟିକଟ ବାବଦ ଖର୍ଚକୁ ଶ୍ରମିକଙ୍କୁ ମିଳିବାକୁ ଥିବା ସଙ୍ଗରୋଧ ପ୍ରୋତ୍ସାହନ ରାଶିରୁ କାଟି ରେଳବାଇକୁ ପ୍ରଦାନ କରାଯିବ। ପରୋକ୍ଷରେ କହିଲେ ୧୫ ପ୍ରତିଶତ ଖର୍ଚ ରାଜ୍ୟ ସରକାର ନୁହେଁ ବରଂ ପ୍ରବାସୀ ଶ୍ରମିକ ହିଁ ବହନ କରିବେ।