କ୍ୱାରେଣ୍ଟିନ୍ ସେଣ୍ଟରରୁ ପ୍ରବାସୀଙ୍କୁ ନେଲାନି ଆମ୍ବୁଲାନ୍ସ, ଶେଷରେ ଆଖି ବୁଜିଲେ
ଭୁବନେଶ୍ବର, (ଓଡିଶା ଟାଇମ୍) : କ୍ୟାରେଣ୍ଟାଇନ୍ ସେଣ୍ଟରରେ ଥିବାରୁ ଅସୁସ୍ମତା ଅନୁଭବ କରୁଥିବା ପ୍ରବାସୀଙ୍କୁ ଡାକ୍ତରଖାନା ନେବାକୁ ମନା କରିଦେଲା ଆମ୍ବୁଲାନ୍ସ । ସ୍ଥାନୀୟ ଲୋକ,ପ୍ରଶାସନ ବି କିଛି ମୁଣ୍ଡ ଖେଳାଇଲେ ନାହିଁ । ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରବାସୀଙ୍କୁ ବାଇକ୍ ଯୋଗେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ଏପରି ଦୁଃଖଦ ଘଟଣା ବାଲେଶ୍ବର ଜିଲ୍ଲା ଖଇରା ଥାନା ଜଳଦାରେ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ବାଲେଶ୍ଵର ଜିଲା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନ ବିହାରି ମଳିକ ମୁମ୍ବାଇରେ କାମ କରୁଥିଲେ । ଗତ ୨୭ତାରିଖରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ ତାରିଖରେ କାରେଣ୍ଟାଇନ୍ ସେଣ୍ଟରରେ ରହିଥିଲେ । ଗତ କାଲି ରାତିରେ ସେ ଅସୁସ୍ମତା ଅନୁଭବ କରିଥିଲେ । ଏହାପରେ ତାଙ୍କ ବଡ଼ ଭାଇ ୧୦୮ ଓ ୧୦୪କୁ ଯୋଗାଯୋଗ କରିବାରୁ କ୍ୟାରେଣ୍ଟାଇନ୍ ସେଣ୍ଟରରୁ ରୋଗୀ ଆଣିବାକୁ ସେମାନେ ମନା କରିଦେଇଥିଲେ । ଏହାପରେ ତାଙ୍କ ବଡ଼ ଭାଇ ଏକ ବାଇକ୍ ଯୋଗେ ବିପିନଙ୍କୁ କ୍ୟାରେଣ୍ଟାଇନ୍ ସେଣ୍ଟରରୁ ସୋର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଚିକିତ୍ସା କରୁଥିବା ବେଳେ ବିପିନଙ୍କ ମୃତ୍ୟୁ ହୋଇ ଯାଇଥିଲା । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ଯ ଖେଳି ଯାଇଛି ।